ମହାମାରୀ କରୋନା ଯେ କେତେ ଭୟଙ୍କର ଯିଏ ଅଙ୍ଗେ ନିଭାଉଛି ସେ ଜାଣୁଛି । ଖାଲି ଗୋଟିଏ ଗୋଟିଏ ଜୀବନ ନୁହେଁ ପୁରା ପରିବାର ଉଜାଡିଦେଉଛି ସଂକ୍ରମଣ । କେଉଁଠି ପୁଅ ମୃ୍ତ୍ୟୁର ଖବର ଶୁଣି ବାପାର ଜୀବନ ପଳାଉଛି ତ କେଉଁଠି ମା ପରେ ପୁଅ ,ଆଉ କେଉଁଠି ପୁଅ ପରେ ମାଆର ମୃତ୍ୟୁ ହେଉଛି । ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖବାକୁ ମିଳୁଛି ।
କେନ୍ଦ୍ରାପଡା ବ୍ଲକ ଜମଧର ପଂଚାୟତରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା । ବଡ ପୁଅର ମୃତ୍ୟୁର ଖବର ଶୁଣି ଆଖି ବୁଜିଲେ ବାପା । ହୁହୁରିଆରେ ଜଣେ ୪୨ ବର୍ଷର ଯୁବକ ଏକ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ହଠାତ ଅସୁସ୍ଥ ହୋଇଯିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ କୋଭିଡ ପଜିଟିଭ ଥିବା ଜଣାପଡିବା ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ଅକ୍ସିଜେନ ଅଭାବରୁ ଏହି ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ବଡ଼ପୁଅର ମୃତ୍ୟୁ ଖବରୁ ସହ୍ୟ କରିପାରିନଥିଲେ ବୃଦ୍ଧ ବାପା । ପୁଅର ମୃତ୍ୟୁ ଖବର ଶୁଣିବା ପରେ ହୃହଘାତରେ ସେଇଠି ଟଳିପଡିଥିଲେ ବାପା ।
ସେହିପରି ଝାରସୁଗୁଡା ଲଇକେରାରେ ମଧ୍ୟ ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । ଲଇକେରାର ବୁଇ ବେହେରା ଓ ତାଙ୍କ ବଡ଼ ପୁଅ ବିଜୟ କିଛି ଦିନ ତଳେ କରୋନା ଆକ୍ରାନ୍ତ ହୋଇଥିଲେ । ଝାରସୁଗୁଡା ସ୍ଥିତ କୋଭିଡ ହସ୍ପିଟାଲରେ ପୁଅ ବିଜୟ ଚିକିତ୍ସିତ ହେଉଥିଲେ । ଗତ ରବିବାର ମାର ମୃତ୍ୟୁ ହୋଇଥିବା ବେଳେ ଗତକାଲି ବଡପୁଅ ବିଜୟର ମୃତ୍ୟୁ ହୋଇଛି । ଯାହାକୁ ନେଇ ପୁରା ପରିବାରେ ଶୋକର ଛାୟା ଖେଳିଯାଇଛି । ସ୍ତବ୍ଧ ହୋଇଯାଇଛି ଗାଁ ।
କରୋନା ଆଉ କେତେ କଲବଲ କରିବ କେଜାଣି ।କରୋନାର ଦ୍ୱିତୀୟ ଲହର ଯେ ଏତେ ଭୟଙ୍କର ହେବ ତାହା କାହାକୁ ଜଣାନଥିଲା । ସୁନାର ସଂସାର ଉଜାଡିଦେଉଛି ମହାମାରୀ । କେତେବେଳେ କାହା ଜୀବନ ପଳାଉଛି କହିହେଉନାହିଁ ।