ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି । ପିକ ଆଡକୁ ମୁହାଁଉଛି ସଂକ୍ରମଣ । ଦୈନିକ ସଂକ୍ରମଣରେ କରୋନାର ନୂଆ ରେକର୍ଡ । ଲଗାତର କିଛି ଦିନ ହେବ ୪ ହଜାର ଉପରେ ରହୁଥିବା ସଂକ୍ରମଣ ଗତ ୨୪ ଘଂଟାରେ ୬ ହଜାର ପାର କରିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ତେବେ ଦ୍ରୁତ ଗତିରେ ମାଡିଚାଲିଛି ଖୋର୍ଦ୍ଧା । ଖୋର୍ଦ୍ଧାରେ ସଂକ୍ରମଣ ଏବେ ୪ ଅଙ୍କ ଛୁଇଁଛି ।
ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ ଓ କଟକଣା ପରେ ବି ସଂକ୍ରମଣ ସାଂଘାତିକ ଭାବେ ବଢି ଚାଲିଛି । ଦିନକୁ ଦିନ ସ୍ଥିତି ସଂଗୀନ ହେବାରେ ଲାଗିଛି । ଦିନକରେ ରାଜ୍ୟରେ ୬୧୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଗୋଟିଏ ଦିନରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଓ ରାୟଗଡାରୁ ୨ ଜଣ ଲେଖାଏଁ ଏବଂ କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମଣ ଦୃଷ୍ଟିରୁ ପୁଣି ଖୋର୍ଦ୍ଧ ଜିଲ୍ଲା ଆଗରେ ରହିଛି । ଖୋର୍ଦ୍ଧରେ ସର୍ବାଧିକ ୧ ହଜାର ୧୩୨ ନୂଆ ମାମଲା ଚିହ୍ନଟ ହୋଇଛି । ନୂଆପଡାରେ ଦ୍ୱିତୀୟ ସର୍ବାଧିକ ୪୫୯, କଳାହାଣ୍ଡିରେ ୪୫୨, ସୁନ୍ଦରଗଡରେ ୪୨୭, କଟକରେ ୩୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୩ଟି ଜିଲ୍ଲାରୁ ୨୦୦ରୁ ଅଧିକ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଚିନ୍ତାର ବିଷୟ।
ତେବେ ମେ ମାସରେ ସଂକ୍ରମଣ ଶୀର୍ଷକୁ ଯାଇପାରେ ବୋଲି କୁହାଯାଉଥିବା ବେଳେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହୋଇପାରେ । ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବା ଓ କୋଭିଡ ନିୟମ ପାଳନ କରିବାକୁ ବର୍ତମାନ ସ୍ଥିତିରେ ଜରୁରୀ ଅଟେ । ନହେଲେ ଆଗକୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇପାରେ ।