ସ୍ୱାସ୍ଥ୍ୟବିଭାଗର ସତର୍କତା..ପୁଣି କଡାକଡି ହେବ କୋଭିଡ ନିୟମ

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ଓ ଲକଡାଉନ ପରି ସ୍ଥିତି ଉପୁଜିବାରେ ରାଜ୍ୟ ସରକାର ସତର୍କ ହୋଇଯାଇଛନ୍ତି । ଓଡିଶାରେ ଯେପରି ପୁଣି କରୋନା ସଂକ୍ରମଣ ନବଢେ ସେଥିପାଇଁ କୋଭିଡ ନିୟମ କଡ଼ାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲାପାଳ, ମହାନଗର ନିଗମ ଓ ପୋଲିସ ବିଭାଗକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସତର୍କ କରାଇଛନ୍ତି।

କରୋନା ସଂକ୍ରମଣ ହ୍ରାସ ପାଇବା ପରେ ରାଜ୍ୟରେ କୋଭିଡ ନିୟମ ସାମାନ୍ୟ କୋହଳ କରାଯାଇଥିଲା । ହେଲେ ମହାରାଷ୍ଟରେ ଯେଉଁଭଳି ଭାବେ ସଂକ୍ରମଣ ବୃଦ୍ଧି ପାଇଛି ଆମ ରାଜ୍ୟରେ ବି ଏହା ପୁଣି ଥରେ ବଢ଼ିପାରେ। ତାକୁ ନଜରରେ ରଖି ରାଜ୍ୟରେ ଯେପରି ସେମିତି ପରିସ୍ଥିତି ନଫେରେ ସେଥିପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି । ସବୁ ଜିଲ୍ଲାରେ କୋଭିଡ୍ ନିୟମ କଡାକଡି ଭାବେ ପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ ନିୟମ ଅନୁସାରେ ଯଥେଷ୍ଟ କରୋନା ଟେଷ୍ଟିଂ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଅନ୍ୟପଟେ ଜନଗହଳିପୂର୍ଣ୍ଣ ସ୍ଥାନ ଯେପରିକି ମାର୍କେଟ, ଧର୍ମାନୁଷ୍ଠାନରେ ଭିଡ କମାଇବାକୁ କୁହାଯାଇଛି ।

କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ମହାରାଷ୍ଟ୍ର ସରକାର ଅମରାବତୀରେ ଶନିବାର ରାତି ୮ଟାରୁ ସୋମବାର ସକାଳ ୭ଟା ପର୍ୟ୍ୟନ୍ତ ଲକଡାଉନ୍ ଲାଗୁ ହେବ । ସେହିପରି ଯବତମାଲ ଜିଲ୍ଲାରେ ଫେବୃଆରୀ ୨୮ ତାରିଖ ଯାଏଁ ଜନଗହଳି ରୋକିବାକୁ କଟକଣା ଜାରି କରାଯାଇଛି। ଏହି ସମୟରେ ସ୍କୁଲ, କଲେଜ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ତା’ ସହ ଅଧା ଲୋକଙ୍କୁ ନେଇ ବିବାହ ହେବ ଏବଂ ରେସ୍ତୋରାଁ ଖୋଲିବ । ଗୋଟିଏ ସ୍ଥାନରେ ୫ ଜଣରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି ।

Comments (0)
Add Comment