ଓଡିଶାରେ ଧିରେ ଧିରେ ସଂକ୍ରମଣ ବଢୁଛି । କରୋନାକୁ ମାତ୍ ଦେବାକୁ ହେଲେ କଟକଣା କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର କହିଛନ୍ତି । ତେବେ ଆବଶ୍ୟକ ପଡ଼ିଲେ ଲକ୍ଡାଉନ୍ ମଧ୍ୟ ହୋଇପାରେ ବୋଲି କୁହାଯାଇଛି । ଭୁବନେଶ୍ୱରର ସ୍ଥିତି ମଧ୍ୟ ଟିକେ ଚିନ୍ତାଜନକ ରହିଛି । ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଉଁଛି ।
ବିଏମ୍ସି କମିଶନର ପ୍ରେମ୍ଚାନ୍ଦ ଚୌଧୁରୀ କହିଛନ୍ତି, ଭୁବନେଶ୍ୱରେ ବଢୁଛି କରୋନା ସଂକ୍ରମଣ। ତେଣୁ ଏହାକୁ ରୋକିବାକୁ ହେଲେ ପ୍ରଶାସନକୁ କଡ଼ା ପଦକ୍ଷେପ ନେବାକୁ ପଡ଼ିବ । ଭୁବନେଶ୍ୱରରେ ଟେଷ୍ଟିଂ ବଢାଯିବ। କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ୍ ଉପରେ ଗୁରୁତ୍ୱ ଦିଆଯିବ। ପୋଲିସ ପ୍ରଶାସନ ମାସ୍କ ବ୍ୟବହାର ଓ ସାମଜିକ ଦୂରତା ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ସାଧାରଣ ଲୋକ ଯେପରି ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ଅବଲମ୍ବନ କରିବେ ତାହା ଉପରେ ବିଏମ୍ସି ଓ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ନଜର ରହିବ । ଏୟାରପୋର୍ଟ ଓ ଷ୍ଟେସନରେ ଯାଂଚ କଡ଼ାକଡ଼ି କରାଯିବ। ଜଞ-ଚଉଜ ଟେଷ୍ଟ ସଂଖ୍ୟା ବଢାଯିବ ବୋଲି ପ୍ରେମ୍ଚାନ୍ଦ ଚୌଧୁରୀ କହିଛନ୍ତି।
ସେହିଭଳି ଡିଏମଇଟି ନିର୍ଦ୍ଦେଶକ ଡ. ସିବିକେ ମହାନ୍ତି କହିଛନ୍ତି, ରାଜ୍ୟର ଅଳ୍ପ କେତୋଟି ସ୍କୁଲ, କଲେଜରେ ସଂକ୍ରମିତ ବାହାରିଛି । ଯଦି ଆବଶ୍ୟକ ହୁଏ ଅନ୍ୟ ରାଜ୍ୟ ଭଳି ଏଠି ବି ଲକ୍ଡାଉନ୍ କରାଯିବ । ହସ୍ପିଟାଲର ମୂଳ ଲକ୍ଷ ଚିକିତ୍ସା ଯୋଗାଇବା, ଦରକାର ପଡିଲେ ନିଶ୍ଚୟ ବେଡ୍ ସଂଖ୍ୟା ବଢାଯିବ । ରାଜ୍ୟରେ ଲକ୍ଡାଉନ୍ ଭଳି ପରିସ୍ଥିତିକୁ ଏଡ଼ାଇବାକୁ ହେଲେ ସମସ୍ତେ ନିୟମ ମାନିବା ଦରକାର, ସରକାର ପଦକ୍ଷେପ ନେଉଛନ୍ତି, ହେଲେ ଲୋକମାନେ ଏହାକୁ ମାନିବା କଥା । କୋଭିଡ୍ ସଂପର୍କରେ ସମୀକ୍ଷା ଏକ ନିୟମିତ ପ୍ରକିୟା, ଦରକାର ପଡିଲେ ଉଚ୍ଚ ସ୍ତରୀୟ ବୈଠକ ହେବ । ଅନ୍ୟ ରାଜ୍ୟ ଭଳି କଟକଣା ଜାରି ହୋଇପାରେ ବୋଲି ଡ. ସିବିକେ ମହାନ୍ତି କହିଛନ୍ତି ।