ପାଖାପାଖି ନଅ କି ଦଶ ମାସର ବ୍ୟବଧାନ ପରେ ଲକଡାଇନ, ସଟଡାଉନ ପରି କଟକଣାରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । କରୋନା ସଂକ୍ରମଣ ହ୍ରାସ ପାଇବା ପରେ କରୋନା ଚାଲିଗଲା ବୋଲି ଲୋକେ ଭାବିନେଇଥିଲେ । ହେଲେ ଏବେ ପଡୋଶୀ ରାଜ୍ୟରେ ଯେପରି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇଛି , ତାକୁ ନେଇ ତତ୍ପର ହୋଇପଡିଛନ୍ତି ରାଜ୍ୟ ସରକାର । ପୁଣି ଥରେ ରାଜ୍ୟରେ କରୋନା କଟକଣା କଡାକଡି କରିବାକୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ।
କରୋନା କଟକଣା କଡ଼ାକଡ଼ି ପାଳନ କରିବା ପାଇଁ ସବୁ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର ଓ ଏସ୍ପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ମାସ୍କ ବ୍ୟବହାର, ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି । ସର୍ବସାଧାଣ ସ୍ଥାନ, ଅନୁଷ୍ଠାନ ଓ କାର୍ୟ୍ୟାଳୟରେ କୋଭିଡ଼ ନିୟମ କଡ଼ାକଡ଼ି ହେବ । ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ସ୍ଥିତି ଉପରେ ନଜର ରଖିବେ । ବଜାର ଓ ହାଟରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯିବ । କରୋନା ନିୟମ କଡ଼ାକଡ଼ି ପାଳନ ହେଉଛି ନା ନାହିଁ, ତା ଉପରେ ନଜର ରଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଚିଠିରେ ଲେଖା ଯାଇଛି ଯେ, ଅନେକ ସ୍ଥାନରେ ଲୋକେ ଆଉ କରୋନା ନିୟମ ମାନୁ ନାହାଁନ୍ତି ଏବଂ ଏହାକୁ ହାଲୁକା ଭାବେ ନେଉଛନ୍ତି ।
ଅଙ୍ଗନୱାଡ଼ି ଓ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବିଶୋଧନ ଉପରେ ଗୁରୁତ୍ୱ ଦିଆଯିବ । ସ୍କୁଲରେ ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡୱାସ ଓ ସାନିଟାଇଜର ଉପରେ ଗୁରୁତ୍ୱ ଦିଆଯିବ । କୌଣସି ଲୋକଙ୍କ ପାଖରେ ଲକ୍ଷଣ ଦେଖାଦେଲେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଣାଇବା ପାଇଁ ନିର୍ଦ୍ଦେଶ ରହିଛି । ବିବାହ, କ୍ରୀଡ଼ା, ସାଂସ୍କୃତିକ କାର୍ୟ୍ୟକ୍ରମକୁ ଅନୁମତି ଥିଲେ ମଧ୍ୟ କରୋନା ନିୟମ ମାନିବାକୁ ନିର୍ଦ୍ଦେଶ ରହିଛି । ହୋଟେଲ, ରେଷ୍ଟୁରାଂଟ ଓ ଢାବା ଉପରେ ନଜର ରଖିବେ ପୁଲିସ । ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ ବରିଷ୍ଠ ଅଧିକାରୀ । ଯଦି କରୋନା ଲକ୍ଷଣ ଅନୁଭବ କରୁଚନ୍ତି ତେବେ ତୁରନ୍ତ ନିକଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଣାଇବାକୁ କୁହାଯିବା ସହିତ ହୋଟେଲ୍, ରେସ୍ତୋରାଁ, ଢାବାରେ ସାମାଜିକ ଦୂରତ୍ୱ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।