ବାପା, ମାଆ ସିନା ନାହାଁନ୍ତି ହେଲେ ତୋ ପାଇଁ ବା ମୁଁ ଅଛି । ଦେଢ ମାସର ଭାଇକୁ ଛାତିରେ ଜାବୁଡି ଧରି ଏଭଳି ଆଶ୍ୱସନା ଦେଉଛି ୮ ବର୍ଷର ଭଉଣୀ । ମହାମାରୀ କରୋନାରେ ଆଗ ପଛ ଡକାଡକି ହୋଇ ଚାଲିଗଲେ ବାପା , ମାଆ । ଆଉ ଯେଉଁ ବୟସରେ ବାପା, ମାଆଙ୍କ କୋଳରେ ଗେହ୍ଲା ହେବା କଥା ସେହି ବୟସରେ ଦେଢ ମାସର ଭାଇକୁ ସମ୍ଭାଳୁଛି ୮ ବର୍ଷର କ୍ରୀଷ୍ଣା ।
ଅଫେରା ରାଇଜକୁ ବାପା-ମାଆ ଚାଲିଗଲା ପରେ ଦେଢ଼ ମାସର କଅଁଳା ଶିଶୁକୁ ଛାତିରେ ଜାବୁଡ଼ି ଧରି ବୋଧ କରାଉଛି କୁନି ଝିଅ କ୍ରିଷ୍ଣା । କ୍ରିଷ୍ଣା ଜାଣିଛି ତା ବାପା-ମାଆ ଆ ଉ କେବେ ଫେରିବେନି, ହେଲେ ନିଜେ ଧୈର୍ୟ୍ୟ ଧରି ଛୋଟ ଭାଇକୁ ଖୁଆଇ ଦେଉଛି, ଶୁଆ ଇ ଦେଉଛି, ତାର ସବୁ ଦେଖାଶୁଣା କରୁଛି ।ବାଲେଶ୍ୱର ଜିଲ୍ଲା ଭୋଗରାଇ ନିମାତପୁର ଗାଁର କମଳେଶ ପଣ୍ଡାଙ୍କ ପତ୍ନୀ ସ୍ମିତା କଟକ ଆ ଚାର୍ୟ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ନର୍ସ ଥିଲେ । ସେ ଗର୍ଭବତୀ ଥିବା ବେଳେ ଗତ ଏପ୍ରିଲରେ କୋଭିଡ୍ ଆ କ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହେଲେ । ୭ ଦିନ ପରେ ଛୁଆଟିଏ ଜନ୍ମ ହେଲା । ହେଲେ ଭଗବାନଙ୍କ ଦୟାରୁ ନବଜାତ ଶିଶୁଟି କରୋନା ନେଗେଟିଭ ଥିଲା । କିନ୍ତୁ ଶିଶୁଟି ଜନ୍ମ ହେବାର କିଛି ଦିନ ପରେ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ ସ୍ମିତା । ହେଲେ ଏତିକିରେ ଦୁଃଖ ସରିନଥିଲା । ପତ୍ନୀ ଆଖି ବୁଜିବା କମଳେଶ ଭାଙ୍ଗି ପଡ଼ିଥିଲେ। ବିଧିର ବିଧାନ ଏତେ ନିଷ୍ଠୁର ଥିଲା ଯେ, ସ୍ମିତାଙ୍କ ସ୍ୱାମୀ କମଳେଶ ଇଷ୍ଟକୋଷ୍ଟ ରେଲେଓ୍ୱ ମୁଖ୍ୟାଳୟରେ ଚାକିରି କରୁଥିବାବେଳେ ସେ ବି କରେନାରେ ଆକ୍ରାନ୍ତ ହୋଇଥିଲେ । ଭୁବନେଶ୍ୱରର ଏକ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ ୯ ତାରିଖରେ ସେ ବି ଆଖି ବୁଜିଦେଲେ । ତାଙ୍କ ମୃତ୍ୟୁରେ ନିମାତପୁର ଗାଁରେ ଶୋକର ଛାୟା ଖେଳି ଯାଇଛି।
ଦିନ କେଇଟା ଭିତରେ ବାପା-ମାଆ ଛେଉଣ୍ଡ ହୋଇଗଲେ ୮ ବର୍ଷର କ୍ରିଷ୍ଣା ଓ ଦେଢ଼ ମାସର ଶିଶୁ ପୁତ୍ର । ଏବେ ସେମାନେ ନିଜ ବଡ଼ବାପାଙ୍କ ପାଖରେ ରହୁଛନ୍ତି ।ଦୁନିଆକୁ ଚିହ୍ନିବା ପୂର୍ବରୁ ଏତେ କମ ବୟସରେ କୁନି କୁନି ଦୁଇ ଛୁଆ ହୋଇଗଲେ ବାପା, ମାଆ ଛେଉଣ୍ଡ । ଆଉ ଏବେ ୮ ବର୍ଷର କୁନି ଝିଅ କ୍ରୀଷ୍ଣା ଦେଢ ମାସର ଭାଇର ପାଲଟିଛି ସାହାରା ।