ଗତ ବର୍ଷ ଠିକ ଆଜିର ଦିନରେ କେନ୍ଦ୍ର ସରକାର ଲକଡାଉନ ଲାଗୁ କରିଥିଲେ । କିନ୍ତୁ ବର୍ଷ ପରେ ପୁଣି କରୋନା ତାର କାୟା ବିସ୍ତାର କରିଛି । ଦେଶରେ ଯେପରି ଭାବେ ଏବେ ସଂକ୍ରମଣ ବଢୁଛି , ହୁଏତ ଦିନେ କି ଦୁଇ ଦିନ ଭିତରେ ଏହା ୫୦ ହଜାର ଟପିପାରେ । ସଂକ୍ରମଣ ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ୧୩୨ ଦିନ ପରେ ଦେଶରେ ପ୍ରଥମ ଥର ଲାଗି ୪୭ ହଜାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ସତର୍କ ନହେଲେ ଆଗକୁ ପୁଣି ଥରେ ଲକଡାଉନ ଭଳି ସ୍ଥିତି ଉପୁଜିବାର ସମ୍ଭାବନା ରହିଛି ।
ଗତ ୨୪ ଘଣ୍ଟାରେ ଦେଶରେ ୪୭ ହଜାର ୨୬୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିୂବା ବେଳେ ମୃତ୍ୟୁ ସଂଖ୍ୟା ୨୦୦ ଟପିଛି । ଦିନକରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଛି । ନୂଆ କରୋନା ସଂକ୍ରମିତ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୭ ଲକ୍ଷ ୩୪ ହଜାର ୫୮କୁ ବୃଦ୍ଧି ପାଇଛି। ଅନ୍ୟପଟେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୪୪୧ରେ ପହଁଚିଛି। ଅନ୍ୟପକ୍ଷାରେ ଦିନକରେ ୨୩ ହଜାର ୯୦୭ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ଯାଏଁ ୧ କୋଟି ୧୨ ଲକ୍ଷ ୫ ହଜାର ୧୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ ଲକ୍ଷ ୬୮ ହଜାର ୪୫୭ଟି ଆକ୍ଟିଭ କେସ୍ ରହିଛି। ଏବେ ଯାଏ ଦେଶରେ ୫ କୋଟି ୮ ଲକ୍ଷ ୪୧ ହଜାର ୨୮୬ ଜଣଙ୍କୁ କୋଭିଟ୍ ଟିକା ଦିଆଯାଇଛି ।
ମହାରାଷ୍ଟ୍ରରେ କରୋନା ସ୍ଥିତି ଉଦ୍ଧବ ସରକାରର ନିଦ ହଜାଇ ଦେଇଛି। ରାଜ୍ୟରେ ୧୭ ଦିନ ମଧ୍ୟରଆ ୨୫ଟି ଜିଲ୍ଲାରେ ୧୦୦ ପ୍ରତିଶତ, ୧୭ ଜିଲ୍ଲାରେ ୨୦୦ ପ୍ରତିଶତ ଏବଂ ୩ ଜିଲ୍ଲାରେ ୫୦୦ ପ୍ରତିଶତ କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୟୁକେ, ଦକ୍ଷିଣ ଆଫ୍ରିକା, ବ୍ରାଜିଲର କରୋନା ଭାଇରସ ଭାରିଏଣ୍ଟ ୭୯୫ ଜଣ ରୋଗୀଙ୍କଠାରେ ଠାବ କରାଯାଇଛି। ଗତବର୍ଷ ୟୁନାଇଟେଡ କିଙ୍ଗଡମରେ ସାମ୍ନାକୁ ଆସିଥିବା ଷ୍ଟ୍ରେନ୍ ଭାରତରେ ବେଶି ପରିମାଣରେ ଦେଖାଦେଇଛି। ବିଶେଷକରି ପଞ୍ଚାବରେ ଚଳିତମାସୀ ୩୨୬ ଏହି ଷ୍ଟ୍ରେନ ଦେଖିବାକୁ ମିଳିଛି।