ଓଡିଶାରେ କରୋନା ଟିକା

ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । କରୋନା କାଳରେ ସବୁଠୁ ବଡ ଖବର । ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ କରୋନା ଟିକା ଆସି ପହଞ୍ଚିଛି । ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ସ୍ୱତନ୍ତ୍ର ଗାଡ଼ି ଯୋଗେ ଓଡ଼ିଶା ରାଜ୍ୟ ଟିକା ଭଣ୍ଡାରରେ ପହଞ୍ଚିଛି ।

ସ୍ପାଇସ ଜେଟର ଏକ ସ୍ବତନ୍ତ୍ର ବିମାନ ଯୋଗେ ଅପରାହ୍ନ ୩ଟା ୪୦ମିନିଟରେ ପୁନେର ସେରମ୍ ଇନଷ୍ଟିଚ୍ୟୁଟରୁ ଭୁବନେଶ୍ବରରେ ଆସି ପହଞ୍ଚିଛି କରୋନା ଟିକା କ‌ୋଭିସିଲ୍ଡ । ବିମାନ ବନ୍ଦରରେ ପହଞ୍ଚିବା ପରେ ଟିକା ବାକ୍ସଗୁଡ଼ିକୁ ସ୍ବତନ୍ତ୍ର ଗାଡ଼ି ଯୋଗେ ଶ୍ରୀରାମ ମନ୍ଦିର ଛକରେ ଥିବା ରାଜ୍ୟ ଔଷଧ ନିଗମ କାର୍ୟ୍ୟାଳୟ ପରିସରକୁ ଅଣାଯାଇଛି।୩ଟି ଜାତୀୟ ଟିକା ଯାନରେ ପ୍ରାୟ ୧୨୦୦ କିଲୋ ଓଜନର ୩୪ଟି ପ୍ୟାକେଟରେ ଭର୍ତ୍ତି ହୋଇ ଆସିଥିବା ଟିକାକୁ ରାଜ୍ୟ ଟିକାକରଣ କେନ୍ଦ୍ରରେ ଗଚ୍ଛିତ ରଖାଯାଇଛି ।

ପ୍ରଥମ ପର୍ୟ୍ୟାୟରେ ଓଡ଼ିଶାକୁ ୪୦ ହଜାର ୮୦୦ ଭାୟାଲ ପଠାଇଛି ସେରମ । ଗୋଟିଏ ଶିଶିରୁ ୧୦ଟି ଡୋଜ ଦିଆଯାଇପାରିବ । ପ୍ରାଥମିକ ପର୍ୟ୍ୟାୟରେ ଯେତିକି ସଂଖ୍ୟାରେ ଟିକା ଆସିଛି ସେହି ଅନୁଯାୟୀ ବିଭିନ୍ନ ଜିଲ୍ଲା ଗୁଡିକ ପଠାଯିବ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ତଥା କୋଭିଡ଼ ଯୋଦ୍ଧାଙ୍କୁ ଦିଆଯିବ ଟିକା ।ଆଜି ଯେତିକି ଟିକା ଆସିଛି ତାହା ୧ ଲକ୍ଷ ୯୧ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯାଇପାରିବ । ୧୬ ତାରିଖରେ ଟିକାକରଣ କରାଯିବ । ଏଥି ପାଇଁ ରାଜ୍ୟରେ ୧୬୦ଟି ଟିକାଦାନ କେନ୍ଦ୍ର ଚିହ୍ନଟ କରାଯାଇଛି ।

କୋଭିଡ୍‌ ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ୩୦ ଜିଲ୍ଲା ବାଦ୍ ୫ ମହାନଗର ନିଗମରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତି ଟିକାଦାନ କେନ୍ଦ୍ରରେ ୧୦୦ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ସବୁ ଟିକାଦାନ କେନ୍ଦ୍ରରେ ଏଇଏଫ୍‌ଆଇ କିଟ୍‌ ମହଜୁଦ ରହିବ। ଟିକା ନେବା ପରେ କୌଣସି ବ୍ୟକ୍ତିଙ୍କ ଯଦି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ ତା’ହେଲେ ଏଇଏଫ୍‌ଆଇ କିଟ୍‌ରେ ଥିବା ଇଞ୍ଜେକସନ୍‌ ଦିଆଯିବ।

Comments (0)
Add Comment