ଖୁବ ଶୀଘ୍ର ଆସିପାରେ କରୋନା ଟିକା । ସର୍ବଦଳୀୟ ବୈଠକ ପରେ ଆଜି ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁ ରାଜ୍ୟର ପ୍ରତିନିଧିମାନଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକରେ କରୋନା ସ୍ଥିତି ନେଇ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ବୈଠକରେ କହିଛନ୍ତି ଯେ, ଆଉ କରୋନା ଟିକା ପାଇଁ ଅପେକ୍ଷା କରିବାକୁ ପଡିବନି । ଖୁବ ଶୀଘ୍ର ଭାରତକୁ ଆସିଯିବ କରୋନା ଟିକା ।
ସର୍ବଦଳୀୟ ବୈଠକର ଓଡିଶାର ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇଥିଲେ । ଅଗ୍ରାଧିକାର ଭିତରେ ଓଡିଶାକୁ ପ୍ରାଥମିକତା ଦେବାକୁ ବିଜେଡି ଦାବି କରିଛି । ବିଜେଡି ପକ୍ଷରୁ ୨ଟି ପ୍ରସ୍ତାବ ଦିଆଯାଇଥିଲା । ଜାତୀୟ ସ୍ତରରେ ତୃଣମୂଳ ସ୍ତରରୁ ଡାଟାବେସ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦିଆଯାଇଛି । ଜାତୀୟ ସ୍ତରରେ ଟିକାକରଣ ପାଇଁ ଯେଉଁ ନିଷ୍ପତି ହୋଇଛି,ସେହି ପ୍ରକ୍ରିୟା ଅନୁଯାୟୀ ଟିକାକରଣ କରିବାକୁ ପ୍ରାଧ୍ୟାନ୍ୟ ଦିଆଯିବ । ସେହିପରି କରୋନା ମୁକାବିଲା ନେଇ ଓଡିଶାର ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ଟିକା ଆସିଲେ ପ୍ରଥମେ ବୟସ୍କ ବ୍ୟକ୍ତି, କରୋନା ଯୋଦ୍ଧାଙ୍କୂୁ ପ୍ରାଥମିକତା ଭିତ୍ତିରେ ପ୍ରଦାନ କରାଯିବ । ମୋଦି କହିଛନ୍ତି କି ଏବେ ୮ ଟିକା କମ୍ପାନୀ ସେମାନଙ୍କର ଟିକାକୁ ଟ୍ରାଏଲ ଅବସ୍ଥାରେ ରଖିଛନ୍ତି । ଆଶା କରାଯାଉଛି କି କିଛି ସପ୍ତାହ ମଧ୍ୟରେ ଟିକାକୁ ନେଇ ଶୁଭ ଖବର ମିଳିବ । ବୈଜ୍ଞାନିକ ମାନଙ୍କ ଠାରୁ ଅନୁମତି ମିଳିବା ପରେ ତୁରନ୍ତ ଟିକାକରଣ ଆରମ୍ଭ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି ।