ଦୁର୍ନୀତିର ପେଂଠ – ଟେଣ୍ଡର କରନି, ଟଙ୍କା କମାଅ !

ଦୁର୍ନୀତି ବିରୁଦ୍ଧରେ ଶୁନ୍ୟ ସହନଶୀଳ ନୀତିର ଡିଣ୍ଡିମ ପିଟୁଛନ୍ତି ସରକାର । କାର୍ଯ୍ୟାନୁଷ୍ଠାନର ଲମ୍ବା ପ୍ରେସ ରିଲିଜ ଧରାଇ ଗଣମାଧ୍ୟମରେ ଘନଘନ ପ୍ରଚାର କରାଉଛନ୍ତି । କେତେ ଅଧିକାରୀ ବିଦା ହେଲେ, କେତେ ଜଣଙ୍କର ପେନସନ ବନ୍ଦ ହେଲା ତାକୁ ନେଇ ବିତର୍କ ହେଛି । ହେଲେ ଦୁର୍ନୀତିର ଗନ୍ତାଘର ପାଲଟିଥିବା ତଥା ଦୁର୍ନୀତିର ପେଂଠ କୁାହଯାଉଥିବା ପୁର୍ତ୍ତ ବିଭାଗ ଉପରେ କିନ୍ତୁ କାହିଁକି ସରକାରଙ୍କ ନଜର ଯାଉନାହିଁ, ତାକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ସରକାରଙ୍କ କିଛି ଦୁଧିଆଳି ବିଭାଗ ଯେଉଁଠି ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଉଛି ଏବଂ ଟଙ୍କା ଖର୍ଚ୍ଚ ପାଇଁ କିଭଳି ଫନ୍ଦି ଫିକର କରାଯାଉଛି, ସେନେଇ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପାୱାରଫୁଲ ଅଧିକାରୀଙ୍କ ଯାଏଁ ସମସ୍ତେ ଅବଗତ ଅଛନ୍ତି । ହେଲେ ଏଠି କିନ୍ତୁ ଜିରୋ ଟଲରାନ୍ସ କିମ୍ବା ନୋ କରପ୍ସନ ନୀତି ଦେଖିବାକୁ ମିଳୁନାହିଁ । ଖାଲି ଆଖିରେ ଦେଖିବାକୁ ଗଲେ ଜଣଙ୍କୁ ଲାଗିବ, ବିଭାଗରେ କିଛି ବି ଦୁର୍ନୀତି ହେଉନାହିଁ, ହେଲେ ଟିକେ ନିରିଖେଇ ଏବଂ କାଗଜପତ୍ରରେ ଆଖି ବୁଲାଇ ଆଣିଲେ ସ୍ପଷ୍ଟ ଭାବେ ଜଣାପଡୁଛି, ଦୁର୍ନୀତିରେ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତର ଯାଏଁ ଅଧିକାରୀ ମାନେ ତଂଟିଯାଏଁ ଦୁର୍ନୀତିରେ ବୁଡି ରହିଛନ୍ତି ।

ରାଜ୍ୟ ସରକାରଙ୍କର ଏକ ନୀତିଗତ ନିଷ୍ପତ୍ତିକୁ ଆୟୁଧ କରି ଅଧିକାରୀ ମାନେ ଏତେ ଦୁର୍ନୀତିଗ୍ରସ୍ତ ହୋଇଯିବେ ଏବଂ ନୀତି ନିୟମକୁ ମାଡିମକଚି ଦଳିଦେବେ ତାର ଉଦାହରଣ ଆପଣ ଏକଜିକ୍ୟୁଟିଭ ଇଂଜିନିୟରମାନଙ୍କର ହାବଭାବ ଏବଂ କାମ କରିବାର ତରିକାକୁ ଦେଖିଲେ ଜାଣିପାରିବେ । ରାଜ୍ୟ ସରକାର ଏକ ନିଷ୍ପତ୍ତି ନେଇଥିଲେ ୫ ଲକ୍ଷ ଟଙ୍କା ଯାଏଁ ସରକାରୀ କାର୍ଯ୍ୟରେ ଟେଣ୍ଡରର ଆବଶ୍ୟକତା ନାହିଁ । ଏଭଳି ନିଷ୍ପତ୍ତି ନେବା ପଛରେ ଦୁଇଟି ଉଦ୍ଦେଶ୍ୟ ଥିଲା । କାଗଜପତ୍ର ଆଉ ଟେଣ୍ଡର ଜରିଆରେ ହେଉଥିବା ସମୟ ଖର୍ଚ୍ଚକୁ କମ୍ କରାଯାଇପାରିବ ଏବଂ ହଠାତ୍ ଆବଶ୍ୟକ ପଡୁଥିବା କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅଧିକାରୀ ସାରିପାରିବେ । ମୁଖ୍ୟମନ୍ତ୍ରୀ ନେଇଥିବା ଏହି ନିଷ୍ପତ୍ତି ପଛର ଉଦ୍ଦେଶ୍ୟ ମହତ ଥିଲା । ହେଲେ କିଛି ଅସାଧୁ ଅଧିକାରୀ ଏବଂ ଦୁର୍ନୀସ୍ର ମନୋଭାବ ରଖୁଥିବା ବ୍ୟକ୍ତିବିଶେଷ ଏହାକୁ ଏକ ସୁଯୋଗ ଭାବେ ବ୍ୟବହାର କରିଦେଲେ । ରାଜ୍ୟ ସରକାରଙ୍କର ଏହି ବ୍ୟବସ୍ଥାକୁ କିଛି ଏଭଳି ଢଙ୍ଗରେ ନିଜ ସୁବିଧାରେ ଲଗାଇଲେ ଯେ କୋଟି କୋଟି ଟଙ୍କାର କାର୍ଯ୍ୟ ପାଇଁ ବି ଆଉ ଟେଣ୍ଡର କରିବାକୁ ବିଭାଗୀୟ ଅଧିକାରୀ ରାଜି ହେଉନାହାନ୍ତି । ବେଶ ଚତୁରତାର ସହ ବାଟ ବାହାର କରିଛନ୍ତି ଏକଜିକ୍ୟୁଟିଭ ଇଂଜିନିୟର ମାନେ । କଥା କେବଳ ସେମାନଙ୍କ ନିକଟରେ ସୀମିତ ରହୁନାହିଁ । କୁହାଯାଉଛି ବିଭାଗୀୟ ଅଧିକାରୀଙ୍କର ସମ୍ମତି ମଧ୍ୟ ଏହା ପଛରେ ରହିଛି । ରୀତିମତ ଏକ ର୍ୟାକେଟ ଏଥିପାଇଁ କାର୍ଯ୍ୟ କରୁଛୁ । ଏଥିରୁ ସିଂହଭାଗ ଅର୍ଥ ଦୁର୍ନୀତି ଜରିଆରେ ବାବୁଙ୍କ ପକେଟକୁ ଗରମ କରୁଛି ।

ଗୋଟିଏ ଉଦାହରଣ ଆପଣଙ୍କ ସାମ୍ନାରେ ରଖିବାକୁ ଚାହିଁବୁ । ୫ ଲକ୍ଷ ଟଙ୍କା ଯାଏଁ ହେବାକୁ ଥିବା କାର୍ଯ୍ୟରେ ଟେଣ୍ଡର କରିବାକୁ ପଡିବ ନାହିଁ । ଏହା ଉପରକୁ କାମ ଥିଲେ ଟେଣ୍ଡର ବାଧ୍ୟତାମୁଳକ । ଏହାକୁ ନିଜ ଢଙ୍ଗରେ ଏବେ ଅଧିକାରୀ ମାନେ କାର୍ଯ୍ୟକାରି କରୁଛନ୍ତି । କୋଟିଏ ଟଙ୍କାର କାର୍ଯ୍ୟକୁ ୨୦ ଭାଗ କରି ୨୦ ଜଣଙ୍କ ମଧ୍ୟରେ ବାଂଟି ଦେଉଛନ୍ତି । ହେଲେ ଅସଲରେ କାମ କିନ୍ତୁ ଗୋଟିଏ ବ୍ୟକ୍ତି ପାଉଛି । ଜଣେ କଂଟ୍ରାକ୍ଟର ଏକାଧିକ ବ୍ୟକ୍ତିଙ୍କ ନାଁରେ ଲାଇସେନସ ବାହାର କରି ଏହି କାମକୁ ହାତେଇ ନେଉଛନ୍ତି । ଏହାଫଳରେ ନା ଟେଣ୍ଡର ଡାକିବାକୁ ପଡୁଛି, ନା କାହାକୁ ଟେନସନ ନେବାକୁ ପଡୁଛି । ବାସ୍, ବିଭାଗୀୟ ଅଧିକାରୀଙ୍କର ଏକ ଛୋଟିଆ କାରସାଦି ରାଜ୍ୟରେ କିଛି କଂଟ୍ରାକ୍ଟରଙ୍କୁ ମାଲାମାଲ କରିଦେଉଛି । ଏହା ବଦଳରେ ଅଧିକାରୀଙ୍କ ପକେଟ ମୋଟା ଅଙ୍କର ଭରିଯାଉଛି । ଏଥିରେ ନା କେହି ସନ୍ଦେହ କରୁଛନ୍ତି, ନା ଟେଣ୍ଡର କାହିଁକି ହେଲାନି କେହି ପ୍ରଶ୍ନ କରୁଛନ୍ତି ।

ଏହି କାରସାଦିକୁ ଅନୁଧ୍ୟାନ କରିବାକୁ ଆମ ପ୍ରତିନିଧି ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିଲେ । ଏମିତି ଅନେକ କିଛି ଦିଗ ଏବେ ସାମ୍ନାକୁ ଆସୁଛି । ଶୀର୍ଷରୁ ଆରମ୍ଭ କରି ତଳସ୍ତର ଯାଏଁ ଅନେକ ବ୍ୟକ୍ତି ଏହି କାରସାଦିକୁ ଜାଣିଛନ୍ତି, ଏହାକୁ ବୁଝିଛନ୍ତି ମଧ୍ୟ । ହେଲେ ଏହାକୁ ବନ୍ଦ କରିବାକୁ କିନ୍ତୁ କେହି ଆଗଭର ନୁହଁନ୍ତି । କାହିଁକି, ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଏଠି ଲାଗୁ ହେଉନାହିଁ କାହିଁକି ରାଜ୍ୟ ସରକାରଙ୍କ କ୍ଷମତା ପ୍ରୟୋଗ ଏଠି ସଂକୁଚିତ ହୋଇଯାଉଛି, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ୫-ଟି ଜରିଆରେ ସ୍ୱଛତାକୁ ଗୁରୁତ୍ୱ ଦେଉଥିବା ପ୍ରଶାସନ ଆଗାମୀ ଦିନରେ ଏଦିଗ ଉପରେ ନଜର ରଖିବାର ଆବଶ୍ୟକତା ରହୁଛି, ନଚେତ ତୃଣମୁଳ ସ୍ତରରେ ବଢୁଥିବା ଦୁର୍ନୀତି ସରକାରଙ୍କ ଭାବମୁର୍ତ୍ତି ଉପରେ ଆଂଚ ଲଗାଇବା ପାଇଁ ବେଶୀଦିନ ଲାଗିବନି । ମୁଖ୍ୟମନ୍ତ୍ରୀଙ୍କ ଏକ ମହତ ପଦକ୍ଷେପକୁ ଯେଉଁଭଳି ମୋଡିମକଚି ଅଧିକାରୀ ନିଜ ସ୍ୱାର୍ଥ ପାଇଁ ବ୍ୟଭହାର କରୁଛନ୍ତି ଏବଂ ଅଧିକାରୀ ଏଥିରେ ମାଲାମାଲ ହେଉଛନ୍ତି, ସେଥିରେ ବ୍ରେକ ନଲାଗିଲେ ସରକାରଙ୍କ ଆଭିମୁଖ୍ୟ ଉପରେ ମଧ୍ୟ ଜନତା ସନ୍ଦେହ କରିବେ । ଆଗାମୀ ସମୟରେ ଆମେ ତଥ୍ୟ ଭିତ୍ତି ଦିଗ ଆପଣଙ୍କ ସାମ୍ନାରେ ରଖିବି ଏବଂ ଜଣାଇବୁ କିଭଳି ରାଜ୍ୟ ସରକାରଙ୍କର କିଛି ପ୍ରମୁଖ ବିଭାଗକୁ ଦୁର୍ନୀତି ନିଜ କବଳକୁ ନେଇ ସାରିଲାଣି, ଯେଉଁଥିରୁ ଚେଷ୍ଟା କଲେ ମଧ୍ୟ ସରକାର ନିଜକୁ ମୁକୁଳାଇ ପାରିବେ ନାହିଁ ।

Comments (0)
Add Comment