୫ମ ପାଳିକୁ ପୂରିଲା ୨ ବର୍ଷ: ସଂଧ୍ୟାରେ ବସିବ ମନ୍ତ୍ରୀ ପରିଷଦ ବୈଠକ

ରାଜ୍ୟରେ ଆଜି ନବୀନ ପଟ୍ଟନାୟକ ସରକାରର ପଞ୍ଚମ ପାଳିର ଦୁଇ ବର୍ଷ ପୂରିଛି। ୨୦୧୯ ମେ ୨୯ ତାରିଖରେ ନବୀନ ପଟ୍ଟନାୟକ ଲଗାତାର ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ସେହି ଅବସରରେ ଆଜି ଅପରାହ୍ନ ସାଢେ ୫ଟାରେ ବସୁଛି ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ହେବ। ବୈଠକରେ ତୃତୀୟ ବର୍ଷ ଲାଗି କାର୍ୟ୍ୟ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି। ଏହି ଦୁଇ ବର୍ଷ ମଧ୍ୟରେ ସରକାର ଯାହା ଭଲ କାମ କରିଛନ୍ତି, ତାହାର ବି ନବୀନ ତର୍ଜମା କରିବେ।

ରାଜ୍ୟରେ ମହାମାରୀ କରୋନା ବିରୋଧୀ ଲଢେଇ ଜାରି ରହିଛି । ଅନ୍ୟପଟେ ଉତ୍ତର ଓଡ଼ିଶା ବାତ୍ୟା ୟସ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଏହାରି ଭିତରେ ରାଜ୍ୟ ସରକାର ଓ ପ୍ରଶାସନର ଆଭିମୁଖ୍ୟ ଆଗାମୀ ଦିନରେ କଣ ରହିବ, ସେ ସଂପର୍କରେ ଆଜି ସଂଧ୍ୟାରେ ହେବାକୁ ଥିବା ବୈଠକରେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇପାରନ୍ତି। ରାଜ୍ୟ ୨ଟି ମୁକାବିଲାକୁ ସାମ୍ନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ନେଇ କିଛି ବାର୍ତ୍ତା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।ବାତ୍ୟା ପରବର୍ତୀ ପୁନରୁଦ୍ଧାର ଏବଂ କରୋନା ମୁକାବିଲାକୁ କିପରି ସଫଳ କରାଯିବ, ସେନେଇ ସମୀକ୍ଷା କରିପାରନ୍ତି ମୁଖ୍ୟମନ୍ତ୍ରୀ ।

Comments (0)
Add Comment