କରୋନା ଦ୍ୱିତୀୟ ଲହର ସଂକମ୍ରଣ ଏବେ ଧୀରେ ଧୀରେ କମିବାରେ ଲାଗୁଛି । ହେଲେ ଏଯାଏ ସ୍ଥିତି ଖରାପ ରହିଛି । କରୋନାର ତୃତୀୟ ଲହର ମଧ୍ୟ ଆଗକୁ ଆସିବ । ହେଲେ ତୃତୀୟ ଲହର ପୂର୍ବରୁ କିଭଳି ଶିଶୁମାନଙ୍କୁ ଟିକା ଦେଇହେବ ସେ ନେଇ ପରୀକ୍ଷଣକୁ ଜୋରଦାର କରାଯିବ । ଆଜିଠୁ ଦିଲ୍ଲୀରେ ଏମ୍ସରେ ଛୋଟ ପିଲାଙ୍କ ସ୍କ୍ରିନିଂ ହେବ ବୋଲି ଜଣାପଡିଛି । ଟିକା ପରୀକ୍ଷା ଆରମ୍ଭ କରିବା ପୂର୍ବରୁ ପିଲାମାନଙ୍କର ପୁଙ୍ଖାନୁପୁଙ୍ଖ ସ୍କ୍ରିନିଂ କରାଯିବ। ଯେଉଁଥିରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି କି ନାହିଁ ଅନୁଧ୍ୟାନ କରାଯିବ। ପିଲାମାନେ ସୁସ୍ଥ ଥିଲେ ହିଁ ଟିକାକରଣ କରାଯିବ।
ଛୋଟ ପିଲାଙ୍କ ଦେହରେ ହେବ ଟିକା ପରୀକ୍ଷା । ଆଜିଠାରୁ ଦିଲ୍ଲୀ ଏମ୍ସରେ ପିଲାମାନଙ୍କ ଶରୀର ଉପରେ କୋଭାକ୍ସିନର ଟିକା ପରୀକ୍ଷଣ ଆରମ୍ଭ ହୋଇଛି। ମୋଟ୍ ୧୬ ଜଣ ପିଲା ଏହି ପରୀକ୍ଷଣର ପ୍ରଥମ ପର୍ୟ୍ୟାୟରେ ଅଂଶଗ୍ରହଣ କରିବେ। ପୂର୍ବରୁ ଭାରତ ବାୟୋଟେକ୍ ୧୨ ରୁ ୧୮ ବର୍ଷର ପିଲାମାନଙ୍କୁ ନେଇ ପାଟନା ଏମ୍ସରେ ଟିକା ପରୀକ୍ଷା କରିଥିଲା। ୨ରୁ ୧୮ ବର୍ଷର ପିଲାଙ୍କ ଉପରେ କରୋନା ଟିକାର ଦ୍ୱିତୀୟ ଓ ତୃତୀୟ ପର୍ୟ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ଦେଇଛି ଭାରତ ସରକାରଙ୍କ ଔଷଧ ନିୟନ୍ତ୍ରକ- ଡିଜିସିଆଇ । ବିଶେଷ କରି କରୋନାର ତୃତୀୟ ଲହରରେ ଛୋଟ ପିଲା ଅଧିକ ସଂକ୍ରମିତ ହେବା ଆଶଙ୍କା ରହିଛି । ତେଣୁ ସେମାନଙ୍କୁ ତୁରନ୍ତ ଟିକା ଦେବାପାଇଁ ପ୍ରୟାସ ଆରମ୍ଭ ହୋଇଛି । ଟିକା ପରୀକ୍ଷଣ ପରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଉଛି କି ନାହିଁ ତାର ନିରିକ୍ଷଣ କରାଯିବ । ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜର ପରୀକ୍ଷଣ ହେବ ।
ପାଟନା ଏମ୍ସରେ ୭ ଜଣ ଶିଶୁଙ୍କୁ କୋଭାକ୍ସିନ ଟିକା ଦିଆଯାଇଛି । ଜୁନ୍ ୩ ତାରିଖରେ ଏଠାରେ ପ୍ରଥମେ ୨ରୁ ୧୮ ବର୍ଷ ପିଲାଙ୍କ ଉପରେ କରୋନା ଟିକାର ପରୀକ୍ଷଣ ଆରମ୍ଭ ହୋଇଥିଲା । ପ୍ରଥମ ଦିନ ୩ ଜଣ ଶିଶୁଙ୍କୁ କୋଭାକ୍ସିନ ଟିକା ଦିଆଯାଇଥିଲା । ୨୧ ଜଣ ପିଲାଙ୍କୁ ଯାଂଚ ପରେ ୧୨ ଜଣଙ୍କଠାରେ ପର୍ୟ୍ୟାପ୍ତ ଆଂଟିବଡି ବା ପ୍ରତିରୋଧ ଶକ୍ତି ତିଆରି ହୋଇଥିବା ଦେଖା ଯାଇଥିଲା । ତେଣୁ ବର୍ତମାନ ସୁଦ୍ଧା ୧୦ ଜଣ ପିଲାଙ୍କୁ କୋଭାକ୍ସିନ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ୨୮ ଦିନ ପରେ ଏମାନଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ ।