ଜାଣନ୍ତୁ କରୋନାରୁ ସୁସ୍ଥ ହେବାର କେତେ ଦିନ ପରେ ନେଇପାରିବେ ଟିକା?

କରୋନା ସଂକ୍ରମଣରୁ ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ କୋଭିଡ-୧୯ ଟିକା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ନୂଆ ନିୟମ ଅନୁଯାୟୀ, କୋଭିଡରୁ ସୁସ୍ଥ ହେବାର ୩ ମାସ ପରେ କୋଭିଡ୍ ଟିକା ନେଇ ପାରିବେ । କେନ୍ଦ୍ର ସରକାରଙ୍କ ପରାମର୍ଶଦାତା କମିଟି ଏକ ପରାମର୍ଶ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଦେଇଥିଲା । ଏହାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗ୍ରହଣ କରିଛି । ଏଥିରେ କୁହାଯାଇଛି କି ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇପାରିବ ।

ଯେଉଁମାନେ କୋଭିଡ୍ ଚିକିତ୍ସା ବେଳେ ପ୍ଲାଜମା ନେଇଥିବେ ସେମାନେ ମଧ୍ୟ ହସ୍ପିଟାଲରୁ ଡିସଚାର୍ଜ ହେବାର ୩ ମାସ ପରେ ଟିକା ନେବେ । ପ୍ରଥମ ଡୋଜ୍ ଟିକା ନେବା ପରେ କୋଭିଡ୍ ସଂକ୍ରମିତ ହୋଇଥିଲେ ନିର୍ଦ୍ଧାରିତ ସମୟରେ ଦ୍ୱିତୀୟ ଡୋଜ୍ ଟିକା ନେବେ ନାହିଁ । କୋଭିଡରୁ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇପାରିବେ । ଏହା ବ୍ୟତୀତ ଜାରୀ ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି କି, ଜଣେ ବ୍ୟକ୍ତି ଟିକା ନେବା ପୂର୍ବରୁ ତା’ର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟର ଆବଶ୍ୟକତା ନାହିଁ ।

ଅନ୍ୟପଟେ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଟିକା ଦେବା ନେଇ ଥିବା ସନ୍ଦେହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦୂର କରିଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ମାନେ ସୁସ୍ଥ ଥିଲେ କୌଣସି ବି ସମୟରେ ଟିକା ନେଇପାରିବେ । ସେହିପରି କେହି ବ୍ୟକ୍ତି କୌଣସି ଗମ୍ଭୀର ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲ କିମ୍ବା ଆଇସିୟୁରେ ଭର୍ତ୍ତି ହୋଇଥିଲେ । ୪ରୁ ୮ ସପ୍ତାହ ପରେ କୋଭିଡ୍ ଟିକା ନେବେ । ଜଣେ ବ୍ୟକ୍ତି ଟିକା ନେବାର ୧୪ ଦିନ ପରେ ରକ୍ତଦାନ କରିପାରିବେ ।

Comments (0)
Add Comment