ଟିକାକରଣ କାର୍ୟ୍ୟକ୍ରମକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନୂଆ ପଦକ୍ଷେପ ନିଆଯାଇଛି। ଏବେ ଅଫିସରେ ମିଳିବ କରୋନା ଟିକା । ପୂର୍ବରୁ ଟିକାକରଣ କେନ୍ଦ୍ରରେ ହିଁ ଲୋକମାନେ ଟିକାର ଡୋଜ୍ ନେଇପାରିବେ ବୋଲି କେନ୍ଦ୍ର ସରକାର କହିଥିଲେ। ହେଲେ ଏବେକୌଣସି କାର୍ୟ୍ୟାଳୟରେ ୧୦୦ରୁ ଅଧିକ ଲୋକ କାର୍ୟ୍ୟକରୁଥିଲେ ଓ ଟିକାକରଣ କରି ନଥିଲେ ସେଠାରେ କୋଭିଡ ଭେକ୍ସିନ ସେଣ୍ଟର କରାଯାଇପାରେ। ଏଥି ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିବା ଜଣାଯାଇଛି।
ଜାନୁଆରି ୧୬ ତାରିଖ ଠାରୁ କରୋନା ଟିକାକରଣ ଜାରି ଥିବା ବେଳେ ଆଗାମୀ ଦିନରେ ଘରୋଇ ସଂସ୍ଥା/ଅଫିସ୍ରେ ମଧ୍ୟ ଏହି କାମ କରାଯିବାକୁ କେନ୍ଦ୍ର ସରକାର ମନ ବଳାଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏନେଇ ରାଜ୍ୟ ଗୁଡ଼ିକୁ ଏପ୍ରିଲ ୬ ତାରିଖରେ ଚିଠି ଲେଖିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଘରୋଇ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ଟିକାଦାନ ପାଇଁ ପ୍ରସ୍ତୁତ ରୁହନ୍ତୁ। ୧୦୦ରୁୁ ଅଧିକ ଜଣ ଟିକା ନେବାକୁ ଚାହୁଁଥିଲେ ସରକାରଙ୍କ ପକ୍ଷରୁ ସେଠାରେ ଟିକାକରଣ ବ୍ୟବସ୍ଥା କରାଯିବ।
କାର୍ୟ୍ୟସ୍ଥଳ ଟିକାକରଣ କେନ୍ଦ୍ର ଚିହ୍ନଟ ଲାଗି ଜିଲ୍ଲାସ୍ତରରେ ମାଜିଷ୍ଟ୍ରେଟ୍ଙ୍କ ଅଧ୍ୟକ୍ଷତାରେ ଡିଷ୍ଟ୍ରିକ୍ଟ ଟାସ୍କ ଫୋର୍ସ ଓ ସହରାଞ୍ଚଳରେ ମ୍ୟୁନସିପାଲ କମିଶନରଙ୍କ ଅଧ୍ୟକ୍ଷତାରେ ଅର୍ବାନ ଟାସ୍କଫୋର୍ସ ଗଠିତ ହେବ। ଏହି ଟାସ୍କଫୋର୍ସ ଜିଲ୍ଲା ଓ ସହରାଞ୍ଚଳରେ କର୍ମଚାରୀଙ୍କ ସଂଖ୍ୟା ଓ ଟିକା ପ୍ରାର୍ଥୀଙ୍କ ଆଧାରରେ ଟିକାକରଣ କେନ୍ଦ୍ର ଲାଗି ପଦକ୍ଷେପ ନେବେ। ଯେଉଁ କାର୍ୟ୍ୟସ୍ଥଳରେ ଟିକାକରଣ କେନ୍ଦ୍ର ହେବ ସେହି କାର୍ୟ୍ୟାଳୟ ପ୍ରବନ୍ଧନର ଜଣେ ବରିଷ୍ଠ କର୍ମଚାରୀଙ୍କୁ ସଂସ୍ଥା ନୋଡାଲ ଅଫିସରଙ୍କୁ ନିଯୁକ୍ତ କରିବେ। ଏହି ଅଧିକାରୀ ଜିଲ୍ଲା ଓ ସହରାଞ୍ଚଳ ସ୍ୱାସ୍ଥ୍ୟ ପ୍ରଶାସନ ଓ ଘରୋଇ କୋଭିଡ ଟିକାକରଣ କେନ୍ଦ୍ର ସହ ସମନ୍ୱୟ ରକ୍ଷା କରି ଟିକାକରଣ କାର୍ୟ୍ୟକ୍ରମ ପରିଚାଳନା କରିବେ।