ମହାମାରୀ କରୋନା ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏକ ବଡ଼ ଖବର ଆସିଛି । ଆସନ୍ତା କିଛି ସପ୍ତାହରେ କୋଭିଡ ଟିକାକୁ ମିଳିପାରେ ଅନୁମତି । ବୈଜ୍ଞାନିକଙ୍କ ଠାରୁ ଥରେଟିଏ ଗ୍ରୀନ ସିଗନାଲ ମିଳିବା ପରେ କରୋନା ଭ୍ୟାକସିନର ଉତ୍ପାଦନ ଆରମ୍ଭ ହୋଇଯିବ । କମ ସମୟରେ କିଭଳି ଅଧିକ ଲୋକଙ୍କ ପାଖରେ ଭ୍ୟାକସିନ ପହଚିଂବ ସେ ନେଇ କାର୍ଯ୍ୟ ଜାରି ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ନିକଟରେ ୩ଟି କରୋନା ଟିକା ପ୍ରସ୍ତୁତକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ,ଫାଇଜର ଇଣ୍ଡିଆ ଓ ଭାରତ ବାୟୋଟେକ ଡିସିଜିଆଇକୁ ଅନୁମତି ମାଗିଛନ୍ତି । ଏଦିଗରେ ଭାରତ ସରକାର ଅନୁଧ୍ୟାନ କରୁଛନ୍ତି । ବୈଜ୍ଞାନିକଙ୍କ ଠାରୁ ଗ୍ରୀନ ସିଗନାଲ ମିଳିବା ପରେ ଏହି ଟିକାଗୁଡିକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିପାରେ । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ୩ ଭ୍ୟାକସିନ ପ୍ରି କ୍ଲିନିକାଲ ଷ୍ଟେଜରେ ରହିଛି । ଏବଂ ୬ ଭ୍ୟାକସିନ କ୍ଲିନିକାଲ ଟ୍ରାଏଲରେ ରହିଛି । ଅଧିକାଂଶ ଟିକା ୨ ଡୋଜ ବିଶିଷ୍ଟ । ପ୍ରତି ଡୋଜ ମଧ୍ୟରେ ୩ରୁ ୪ ସପ୍ତାହ ବ୍ୟବଧାନ ରହିଛି ।
ଏବେ ଦେଶରେ ମୋଟ ଆକ୍ଟିଭ ମାମଲା ୪ ଲକ୍ଷରୁ କମ ରହିଛି । ଭାରତରେ ପଜିଟିଭ ହାର ୬ ଦଶମିକ ୫ ପ୍ରତିଶତ ରହିଛି । ଏପରି ସମୟରେ ଟିକା ଆସିଗଲେ କରୋନା ମୁକାବିଲାରେ ବଡ଼ ପଦକ୍ଷେପ ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।
ସେହିପରି ବ୍ରିଟେନରେ ଆଜି କୋଭିଡ୍ ମୁକାବିଲା ଲାଗି ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ଟିକା ନେଇଛନ୍ତି ଜଣେ ୯୦ ବର୍ଷୀୟା ବୃଦ୍ଧା । ବ୍ରିଟେନର ୯୦ ବର୍ଷୀୟା ବୃଦ୍ଧା ମାର୍ଗାରେଟ୍ କେନାନଙ୍କୁ ଦିଆଯାଇଛି ଫାଇଜରର ପ୍ରଥମ ଟିକା । ନିକଟରେ ଏହି ଟିକାକୁ ଅନୁମତି ଦେଇଥିଲେ ବ୍ରିଟେନ୍ ସରକାର । କ୍ଲିନିକାଲ୍ ଅନୁମୋଦନ ପରେ ଫାଇଜର ଟିକା ଗ୍ରହଣ କରିବାରେ ଏବେ ମାର୍ଗାରେଟ୍ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି ।