ଭାରତରେ ମାଗଣାରେ ମିଳିବ କୋଭିଡ ଟୀକା

କୋଭିଡ ଟୀକାକରଣ ଆରମ୍ଭ ହେବା ପ୍ରକ୍ରିୟା ଚୁଡାନ୍ତ ପର୍ଯ୍ୟାୟରେ ପହଁଚିଥିବା ବେଳେ ଆଜି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଦେଶରେ କୋଭିଡ ଟୀକାକରଣ ସଂପୁର୍ଣ୍ଣ ମାଗଣାରେ କରାଯିବ ବୋଲି ସୂଚନା ଦେଇଛନ୍ତି ହର୍ଷବର୍ଦ୍ଧନ । ସାରା ଦେଶରେ କୋଭିଡ ଟୀକାକରଣର ଡ୍ରାଏ ରନ୍ ଚାଲିଥିବା ବେଳେ ଏହି ଘୋଷଣା ସମସ୍ତଙ୍କ ପାଇଁ ଆଶ୍ୱସ୍ତିକର ହୋଇଛି । ସେହିଭଳି ଟୀକାକୁ ନେଇ ଦେଖାଦେଇଥିବା ସଂଶୟ ଏବଂ ଦ୍ୱନ୍ଦ୍ୱ ଉପରେ ମଧ୍ୟ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ସେ କହିଛନ୍ତି, ସମସ୍ତ ଦିଗକୁ ଅନୁଧ୍ୟାନ କରି ଖାସ କରି ସୁରକ୍ଷା ଦିଗ ଉପରେ ଅଧିକ ଧ୍ୟାନ ଦିଆଯାଇ ଟୀକାକୁ ବିଶେଷଜ୍ଞ କମିଟି ଅନୁମତି ପ୍ରଦାନ କରିଛନ୍ତି । ଏପରିକି ଯେତେବେଳେ ପୋଲିଓ ଭ୍ୟାକସିନ ରୋଲ ଆଉଟ କରାଯାଇଥିଲା ସେତେବେଳେ ମଧ୍ୟ ସମାନ ସଂଶୟ ଅନେକଙ୍କ ମନରେ ସୃଷ୍ଟି ହୋଇଥିଲା ।

ସାରା ଦେଶରେ ୧୧୬ ଜିଲ୍ଲାରେ ୨୫୯ ସ୍ଥାନରେ ଟୀକାକରଣର ଡ୍ରାଏରନ୍ ଚାଲିଛି । ପାଖାପାଖି ୯୬ ହଜାର ଭ୍ୟାକସିନେଟର ଏଥିରେ ନିୟୋଜିତ ଅଛନ୍ତି । ଏହା ପଛର ଉଦ୍ଦେଶ୍ୟ ହେଲା, କିଭଳି ଟୀକାକରଣର ପ୍ରକ୍ରିୟାକୁ ସୁଚାରୁରୂପେ ସମାପନ କରାଯାଇପାରିବ । କେନ୍ଦ୍ରର ୧୫୦ ପୃଷ୍ଠା ସମ୍ବଳିତ ଯେଉଁ ଗାଇଡଲାଇନ ରହିଛି, ସେଥିରେ ସୁଧାର ଆଣିବାକୁ ଏହି ବ୍ୟବସ୍ଥା ଆପଣାଯାଇଛି । ବିଶେଷଜ୍ଞ କମିଟିର ଅନୁମୋଦନ ପରେ ଏବେ ସମସ୍ତଙ୍କ ନଜର ଡିସିଜିଆଇ ଉପରେ ରହିଛି । ଡ୍ରଗ କଂଟ୍ରୋଲର ଜେନେରାଲଙ୍କ ଅନୁମୋଦନ ପରେ ଦେଶରେ ଆସନ୍ତା ସପ୍ତାହରୁ ଟୀକାକରଣ ଆରମ୍ଭ ହୋଇଯାଇପାରେ ।

ସାରା ବିଶ୍ୱରେ ଆମେରିକା କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଦ୍ୱିତୀୟରେ ଭାରତ ଏବଂ ତୃତୀୟରେ ବ୍ରାଜିଲ ରହିଛି । ବିଶ୍ୱରେ ଏଯାଏଁ ୮ କୋଟିରୁ ଅଧିକ ଲୋକ କରୋନାରେ ଅକ୍ରାନ୍ତ ହୋଇସାରିଛନ୍ତି । କିଛି ରାଷ୍ଟ୍ରରେ ଟୀକାକରଣ ଆରମ୍ଭ ହୋଇସାରିଥିବା ବେଳେ ଭାରତରେ ଅକ୍ସଫୋର୍ଡ ଟୀକାକରଣ ଆଉ କିଛି ଦିନ ଭିତରେ ଆରମ୍ଭ ହୋଇଯିବ ବୋଲି ପ୍ରସ୍ତୁତିରୁ ଜଣାପଡୁଛି । ଫଳରେ କରୋନାକୁ ନେଇ ତିଆରି ହୋଇଥିବା ଆଶଙ୍କାର ବାତାବରଣ କିଛିମାତ୍ରାରେ ଦୁର ହୋଇପାରେ ବୋଲି ଅନୁମାନ କରାଯାଉଛି ।

Comments (0)
Add Comment