ବର୍ଷେ ତଳେ ଯାହା ବର୍ଷେ ପରେ ସେୟା । ସେହି ଭୟ, ସେହି ଡର, ସେହି ଆତଙ୍କ । ଛାତିରେ ଛାତିଏ ଛନକା, ଆଖିରେ ଆଖିଏ ଆଶଙ୍କା । ଯାହାକୁ ଦେଖିଲେ ତାକୁ କରୋନା । ସମସ୍ତେ ସଂକ୍ରମିତ, ପୁଳାପୁଳା ପଜିଟିଭ ସଂଖ୍ୟା । କରୋନାର ୨ୟ ଲହର ପୁଣି ଦେଶରେ କୋକୁଆ ଭୟ ଖେଳାଇ ଦେଇଥିବା ବେଳେ ଏବେ କରୋନା କବଳରେ କ୍ରିକେଟ ଜଗତ । ଗତକାଲି କ୍ରିକେଟର ଭଗବାନଙ୍କୁ କରୋନା ହୋଇଥିବା ବେଳେ ଆଜି ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କ କରୋନା ପଜିଟିଭ ଥିବା ଜଣାପଡିଛି । କରୋନା ସଂକ୍ରମିତ ନେଇ ୟୁସୁଫ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ତେବେ ରିପୋର୍ଟ ଆସିବା ପରେ ସେ ନିଜକୁ ହୋମ କ୍ୱାରେଣ୍ଟାଇନରେ ରଖିଛନ୍ତି । ତେବେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଉଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇ ନେବାକୁ ୟୁସୁଫ ପରାମର୍ଶ ଦେଇଛନ୍ତି ।
ତେବେ ଗତକାଲି କ୍ରିକେଟର ଭଗବାନଙ୍କୁ କରୋନା ହୋଇଥିଲା । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସଂକ୍ରମିତ ହୋଇଥିଲେ । ତେବେ ସଚିନଙ୍କ ସଂସ୍ପର୍ଶରେ ଆସିଥିବା ୟୁସୁଫ କରୋନା ପରୀକ୍ଷା କରାଇବା ପରେ ତାଙ୍କର ପଜିଟିଭ ବାହାରିଛି । ତେଣୁ ଦୁଇ କ୍ରିକେଟରଙ୍କ ସହ ଆସିଥିଲେ ତୁରନ୍ତ କରୋନା ପରୀକ୍ଷା କରାଇବାକୁ କୁହାଯାଇଛି ।
ଅନ୍ୟପଟେ ଦେଶକୁ ବେହାଲ କଲାଣି କରୋନା ସ୍ଥିତି । କରୋନାର ୨ୟ ଲହର ଦେଶକୁ ପୁଣି ଦୋହଲାଇ ଦେଲାଣି । ଦୈନିକ ସଂକ୍ରମଣ ସଂଖ୍ୟା ୬୦ ହଜାର ଟପୁଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦୦ ଛୁଇଁଲାଣି । ତେବେ ଯଦି ଦିନକୁ ଭାରତରେ ଶହଶହ ଲୋକ କରୋନା ପାଇଁ ମୃତ୍ୟୁ ବରଣ କରିବେ ତାହାଲେ ସ୍ଥିତି କଣ ହେବ ତାହା ସ୍ପଷ୍ଟ ଅନୁମାନ କରିହେଉଛି । ତେବେ ମହାରାଷ୍ଟ୍ରରେ ସ୍ଥିତି ବିଗୁଡିଥିବାରୁ କଟକଣା ଜୋରଜାର ହୋଇଛି । ତେବେ ମହାମାରୀର ସଫଳ ମୁକାବିଲା ପାଇଁ ସମସ୍ତଙ୍କୁ କରୋନା ନିୟମ ମାନିବାକୁ ପଡିବ ।