ତଦନ୍ତରେ ସହାୟତା କରିବ କ୍ରାଇମବ୍ରାଂଚ

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତଦନ୍ତ ପାଇଁ ପୁଲିସକୁ ସହାୟତା କରିବ କ୍ରାଇମବ୍ରାଂଚ ଟିମ । କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ ପାରଳାଖେମୁଣ୍ଡିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ସହଯୋଗ କରିବ ଏହି ଟିମ ।ଆଜି ସୌମ୍ୟରଂଜନଙ୍କ ପତ୍ନୀ ଓ ତାଙ୍କ ବାପା,ମାଆଙ୍କୁ ୫ ଘଂଟା ଧରି ମାରାଥନ ଜେରା କରିଛି ପୁଲିସ । ଜେରା ପରେ କିଛି ଦସ୍ତାବିଜ ନେଇ ପୁଲିସ ପାରଳାଖେମୁଣ୍ଡି ଫେରିଛି ।

ସୌମ୍ୟଙ୍କ ପରିବାର ଲୋକ ବୋହୂ ବିଦ୍ୟାଙ୍କୁ ଆଙ୍ଗୁଳି ଦେଖାଉଥିବାବେଳେ, ପତ୍ନୀ ବିଦ୍ୟାଭାରତୀ ଏବେ ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସ୍ୱାମୀଙ୍କର ଅନ୍ୟ ଝିଅ ସହ ସଂପର୍କ ଥିବା ସେ କହିଛନ୍ତି ।୨୩ ସେକେଣ୍ଡର ଏକ ଅଡିଓ କ୍ଲିପ ମଧ୍ୟ ସେ ଦେଇଛନ୍ତି । ଯେଉଁଥିରେ ସେ ଓ ସୌମ୍ୟରଂଜନ କଥାବର୍ତା ହେବାର ଅଡିଓ ରେକର୍ଡ ହୋଇଛି । ସେପଟେ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ସୌମ୍ୟଙ୍କ ବାପା ମାଆ । ପୁଅର ପରକୀୟା ସମ୍ପର୍କ ବିଷୟରେ ବୋହୂକୁ ଯଦି ଜଣାଥିଲା, ତେବେ ସେ ଆଜି ପର୍ୟ୍ୟନ୍ତ କାହିଁକି କହିନଥିଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି ।
ସୌମ୍ୟଙ୍କ ବାପା ସ୍ୱାମୀ ପୋଡ଼ି ହୋଇଯିବା ପରେ ବିଦ୍ୟାଭାରତୀଙ୍କ ହାବଭାବ ନେଇ ବରଂ ସେ ପ୍ରଶ୍ନ କରିଛନ୍ତି । ସ୍ୱାମୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଆଗ, ନା ଗହଣାଗାଣ୍ଠି ଠୁଳେଇବା ଆଗ ବୋଲି ସେ କହିଛନ୍ତି ।ସେପଟେ ଆଜି ମୁହଁ ଖୋଲିଛନ୍ତି ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା । ଝିଅଜ୍ୱାଇଁଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନଥିଲା । ଉଭୟଙ୍କ ମଧ୍ୟରେ ଯାହା ବି ଅସୁବିଧା ଥିଲା, ତାହା ସମାଧାନ ହୋଇ ସାରିଥିଲା । ଝିଅର ଶାଶୁଘର ଲୋକ ଭଲ ଏବଂ ଜ୍ୱାଇଁ ମୋର ଦେବତା ବୋଲି ସେ କହିଛନ୍ତି ।

Comments (0)
Add Comment