ଦୂରତା କମୁଛି, ଡର ଘାରୁଛି । ୟାସ ଝଡର ରୂପ ନେବା ପରେ ଭୟ ଦ୍ୱିଗୁଣିତ ହୋଇଛି । ବାତ୍ୟାର କେନ୍ଦ୍ରସ୍ଥଳ ଏବଂ ଓଡିଶା ଉପକୂଳ ମଧ୍ୟରେ ବ୍ୟବଧାନ ଯେତେଯେତେ କମିବାରେ ଲାଗିଛି ସେତେସେତେ ଭୟ ମନରେ ଘାରୁଛି । ମଝି ସମୁଦ୍ରରୁ ମାଡି ମାଡି ଆସୁଛି ବାତ୍ୟା ୟସ । ଶକ୍ତି ଗୋଟାଇ ସୁ ସୁ ଗର୍ଜନ କରି ସ୍ଥଳଭାଗ ଆଡକୁ ମାଡି ଆସୁଛି ।
ପାରାଦୀପ ଠାରୁ ୫୩୦ ଏବଂ ବାଲେଶ୍ୱର ଠାରୁ ୬୩୦ କିଲୋମିଟର ଦୂରରେ ରହିଛି ଆଉ ଏହା ଉପକୂଳ ମୁହାଁ ହେଉଛି । ଆଉ ଇତି ମଧ୍ୟରେ ୟାସ ସାମୁଦ୍ରିକ ଝଡର ରୂପ ନେଇଛି । ୨୬ ତାରିଖ ମଧ୍ୟାହ୍ନରେ ଓଡିଶା ଉପକୂଳରେ ଏହା ଲ୍ୟାଣ୍ଡଫଲ କରିବ । ଆଇଏମଡିର ଆକଳନ ଅନୁସାରେ ଏହା ବାଲେଶ୍ୱର ଭୋଗରାଇ ଅଞ୍ଚଳରେ ଲ୍ୟାଣ୍ଡଫଲ କରିପାରେ । ତେବେ ମଧ୍ୟାହ୍ନରେ ଲ୍ୟାଣ୍ଡକରି ଅପରାହ୍ଣ ପର୍ଯ୍ୟନ୍ତ ଏହାର ପ୍ରକ୍ରିୟା ଜାରି ରହିବ । ବଡ କଥା ହେଉଛି ଲ୍ୟାଣ୍ଡଫଲ ପରେ ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ୧୬୫ କିଲୋମିଟର ରହିବ । ଏହାର ଝଟକା ୧୮୫ କିଲୋମିଟର ରହିବ ବୋଲି ଆକଳନ କରାଯାଇଛି । ତେବେ ବାତ୍ୟା ୟାସର ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି । ପାଣିପାଗ ବିଭାଗର ଆକଳନ ପରେ ଆକ୍ସନ ଆରମ୍ଭ କରିଦେଇଛନ୍ତି ସରକାର । ବାତ୍ୟାର ପ୍ରଭାବ ଯଦିଓ କିଛି ଅଞ୍ଚଳରେ ଏବେଠୁ ଦେଖା ଦେଲାଣି । ଅନେକ ସ୍ଥାନରେ ଆକାଶ ମେଘାଚ୍ଛନ ଥିବା ବେଳେ ପବନ ବି ବହିବା ଆରମ୍ଭ ହେଲାଣି ।
ସେପଟେ ଲୋକଙ୍କ ଜୀବନକୁ ଗୁରୁତ୍ୱ ଦେଇ ସରକାରଙ୍କ ନିର୍ଦ୍ଦେଶ କ୍ରମରେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର କରିଛି । ପ୍ରଭାବିତ ଅଞ୍ଚଳମାନଙ୍କରେ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଉଛି । ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟାଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । ଏବଂ ଖାଦ୍ୟ, ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଉଛି । ରିଲିଫ ପାଇଁ ସୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି ଏବଂ ବାତ୍ୟାପରବର୍ତ୍ତୀ ବନ୍ୟା କିମ୍ବା ଅନ୍ୟ ବିପର୍ଯ୍ୟୟ ସ୍ଥିତିରେ ଲୋକଙ୍କୁ ଖାଦ୍ୟ ଦେବାକୁ ରନ୍ଧାଖାଦ୍ୟର ବି ବ୍ୟବସ୍ଥା ହେଉଛି । ସେହିପରି ବାତ୍ୟା ଗଲା ପରେ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ ସଜାଗ ରହିଛନ୍ତି । ଏପଟେ ଭୁବନେଶ୍ୱରରେ ପହଞ୍ଚି ସାରିଛି ଏନଡିଆରଏଫ ଟିମ୍ । ଗୌହାଟୀ, ଗୁଜୁରାଟ, ଜାମୁନଗରରୁ ମୋଟ ୧୫୪ ଜଣ ସ୍ୱତନ୍ତ୍ର ବିମାନରେ ଆସିଛନ୍ତି । ଏମାନେ ବାତ୍ୟା ମୁକାବିଲାରେ ନିୟୋଜିତ ହେବେ ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୟାସ ପାଇଁ ଓଡିଶା ଆଗୁଆ ପ୍ରସ୍ତୁତ ହୋଇଯାଇଛି । କାରଣ ବାତ୍ୟା ଓଡିଶା କାନରେ ଏକ ପରିଚିତ ନାଁ । ବାତ୍ୟା ସହ ଆମ ରାଜ୍ୟ ବଢେ, ପଡେ ପୁଣି ଆଗକୁ ଗଡେ । ବର୍ଷର ୨ରୁ ୩ ଥର ବାତ୍ୟା ଓଡିଶା ଛାତିକୁ ଛୁଇଁ ଚାଲିଯାଇଛି ଯାହାର ଅକ୍ଷତ ଦାଗ ଓ ସଫଳ ମୁକାବିଲା ସମସ୍ତଙ୍କ ମନରେ ରହିଛି । ୧୯୯୯ ମହାବାତ୍ୟାର କରାଳ ରୂପ ଓଡିଶାର ଅଣ୍ଟା ଭାଙ୍ଗିଦେଇଥିଲା । ଦାରୁଣ ଦୁଃଖ ରାଜ୍ୟବାସୀଙ୍କୁ କାଙ୍ଗାଳ କରିଦେଇଥିଲା । ଶହ ଶହ ଶବ, ବାତ୍ୟାର ବିଭୀଷିକା ଏବେବି ଓଡିଶା ଛାତିରେ ଅଲିଭା ଦାଗ ହୋଇ ରହିଯାଇଛି । ସେତେବେଳେ ଯୋଗାଯୋଗ, ଗଣମାଧ୍ୟମ କିମ୍ବା ପାଣିପାଗ ବିଭାଗର ପୂର୍ବାନୁମାନ ସଠିକ ହେଉନଥିଲା ବୋଲି ଏବେ ବଡ କ୍ଷତି ସହିଲା ଓଡିଶା । କିନ୍ତୁ ୧୯୯୯ ପରେ ଆଉ ଏଭଳି ଚିତ୍ର ଓଡିଶା ଆଖିରେ ଦେଖି ନାହିଁ । ନବୀନ ସରକାରଙ୍କ ବାତ୍ୟା ମୁକାବିଲା ମନ୍ତ୍ର ସାରା ଭାରତରେ ପ୍ରଶଂସା ସାଉଁଟିଛି ।
ଫାଇଲିନ ହେଉ କି ତିତିଲି, ଅବା ହେଉ ହୁଡହୁଡ, ଫୋନି, ଅମ୍ଫାନ । ପୂର୍ବରୁ ଓଡିଶା ପାଇଁ ଯେଉଁ ବାତ୍ୟା ଆସିଛି ତାର ସଫଳ ମୁକାବିଲା କରିଛନ୍ତି ରାଜ୍ୟ ସରକାର । ବାତ୍ୟା ପୂର୍ବରୁ ଆଗୁଆ ପଦକ୍ଷେପ, ପ୍ରଶାସନ ସ୍ତରରେ ବାରମ୍ବାର ବୈଠକ, ଏସଆରସିଙ୍କ ତଦାରଖ, ଜନଜୀବନ, ଧନସମ୍ପତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ମନ୍ତ୍ର ଓଡିଶାକୁ ଆଣି ଦେଇଛି ଏକ ନୂଆ ପରିଚୟ । ୧୯୯୯ରେ ଅନେକ ଲୋକ ବାତ୍ୟା ଆଁରେ ଚାଲିଯାଇଥିଲେ ଯାହା ମୁଖ୍ୟମନ୍ତ୍ରୀ ନବୀନଙ୍କୁ ବ୍ୟଥିତ କରିଥିଲା । ଆଉ ଜିରୋ କାଜୁଆଲିଟି ମିଶନରେ ବିପର୍ଯ୍ୟୟ ବେଳେ ଲୋକଙ୍କ ଜୀବନ ରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି । ଆଉ ସେଇଥିପାଇଁ ବାତ୍ୟା ପ୍ରଭାବିତ ଓଡିଶାରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକାଥରେ ସ୍ଥାନାନ୍ତର କରିବାରେ ସକ୍ଷମ ହୋଇଛନ୍ତି ରାଜ୍ୟ ସରକାର । ବାତ୍ୟା ପୂର୍ବରୁ ଲୋକଙ୍କ ସତର୍କ ଓ ସଜାଗ କରାଇବା ହେଉ କି ବାତ୍ୟା ପରର ପୁନରୁଦ୍ଧାର କାମରେ ନିଜ ଦମ ଦେଖାଇଛନ୍ତି ଓଡିଶା ସରକାର । ଫୋନି ଭଳି ଭୟଙ୍କର ସ୍ଥିତିର ମୁକାବିଲା କରି ୨୦ ବର୍ଷ ତଳକୁ ଫେରିଯାଇଥିବା ଭୁବନେଶ୍ୱରର ସୌନ୍ଦର୍ଯ୍ୟ ଫେରାଇ ଆଣିବାରେ ସଫଳ ହୋଇଥିଲେ ରାଜ୍ୟ ସରକାର
ତେବେ ମୁକାବିଲାର ମନ୍ତ୍ର ଓ ପୁରୁଣା ଅଭିଜ୍ଞତାକୁ ଏବେ ପୁଣି କାମରେ ଲଗାଇବାର ସମୟ ଆସିଛି । ସବୁଥର ପରି ଏଥର ବି ଝଡ ସାମ୍ନାରେ ଛାତି ଦେଖାଇ ଛିଡା ହେବ ଓଡିଶା ଆଉ ଝତ ଗଲା ପରେ ପୁଣି ମୁଣ୍ଡ ଟେକି ଅଣ୍ଟା ସଳଖିବ ।