ଖୁବଶୀଘ୍ର ମୋଦିଙ୍କ ଟିମର ହୋଇପାରେ ନବକଳେବର । ମୋଦି ସରକାରର ଦ୍ୱିତୀୟ ପାଳିର ଦୁଇ ବର୍ଷ ପରେ ମନ୍ତ୍ରୀମଣ୍ଡଳ ବଦଳିବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ଆଉ ଏଥିପାଇଁ ଦିଲ୍ଲୀ ଦରବାରରେ ପ୍ରସ୍ତୁତି ପର୍ବ ମଧ୍ୟ ଆରମ୍ଭ ହେଲାଣି । ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ୨ ବର୍ଷର ରିପୋର୍ଟ କାର୍ଡ ମୋଦିଙ୍କ ସମୀକ୍ଷା ଟେବୁଲରେ ପହଞ୍ଚିଛି । ଯେଉଁଠି ବିଭାଗୱାରୀ ମନ୍ତ୍ରୀଙ୍କ କାର୍ୟ୍ୟର ମୂଲ୍ୟାଙ୍କନ କରାଯିବ । ଆଉ ଏହାପରେ ମୋଦିଙ୍କ ଟିମର ନବକଳେବର ହେବା ନେଇ ବାଟ ଫିଟିବ । ତେବେ ଏହି ମନ୍ତ୍ରୀମଣ୍ଡଳ ଅଦଳବଦଳ ସହ ଓଡ଼ିଶା ବିଜେପି ରାଜନୀତିରେ ଏକ ବଡଧରଣର ହଲଚଲ ଦେଖିବାକୁ ମିଳିପାରେ । କାରଣ ଆସନ୍ତାବର୍ଷ ରହିଛି ପଞ୍ଚାୟତ ନିର୍ବାଚନ, ଏଭଳି ସ୍ଥିତିରେ ମୋଦି ଯେଉଁ ଓଡ଼ିଆ ନେତାଙ୍କ ଉପରେ ଆସ୍ଥା ପ୍ରକଟ କରିବେ କେବଳ ଯେ ଦଳରେ ତାଙ୍କର ଗୁରୁତ୍ୱ ବଢିବ ତାହା ନୁହେଁ ବରଂ ରାଜ୍ୟ ବିଜେପିର ବଡ ଚେହେରା ଉଭା ହେବାର ସୁଯୋଗ ସୃଷ୍ଟି ହେବ । ଯେଉଁଥିପାଇଁ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ରାଜ୍ୟର ଅନେକ ବିଜେପି ନେତା ଆଶା ବାନ୍ଧି ବସିଥିବା କୁହାଯାଉଛି, ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ଜୁଏଲ ଓରାମ । କିନ୍ତୁ ଡାର୍କ ର୍ହସ ଭାବେ ଯେଉଁ ଚେହେରାକୁ ନେଇ ଅଧିକ ଚର୍ଚ୍ଚା ହେଉଛି ସେ ବାବଦରେ ଶେଷକୁ ଆଲୋଚନା କରିବା ।
ମୋଦିଙ୍କ ଦ୍ୱିତୀୟ ପାଳିର ମନ୍ତ୍ରୀମଣ୍ଡଳ ଅଦଳବଦଳ ପୂର୍ବରୁ ଆକ୍ଟିଭମୋଡକୁ ଆସିଛି ଅପରାଜିତାଙ୍କ କ୍ୟାମ୍ପ । ମୋଦି-ଶାହାଙ୍କ ଫୋକସରେ ଆସିବାକୁ ରାଜ୍ୟ ସରକାରଙ୍କ ଉପରେ ଷଣ୍ଢୁଆସୀ ଆକ୍ରମଣ ଆରମ୍ଭ କରିଛନ୍ତି ଭୁବନେଶ୍ୱର ସାଂସଦ । କିନ୍ତୁ ନିଜର ଏକଲା ଚଲୋ ନୀତି ପାଇଁ ଦଳୀୟ ନେତାଙ୍କ ଗହଣରେ ଏଯାଏଁ ସେତେଟା ଗ୍ରହଣୀୟ ହୋଇପାରିନାହାନ୍ତି ଅପରାଜିତା । ଦଳର ସଙ୍ଗଠନ ବଦଳରେ ନିଜ ସଙ୍ଗଠନର କଳେବର ବୃଦ୍ଧି କରିବାରେ ଲାଗିଛନ୍ତି ଅପରାଜିତା । ତେଣୁ ଅପରାଜିତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କଲେ ରାଜ୍ୟ ବିଜେପି ପାଇଁ ଏହା ଲାଭଦାୟକ ହେବା ପରିବର୍ତ୍ତେ ବୁମେରାଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ଅନ୍ୟପଟେ ବିଜେପିର ଆସାମ ଦଖଲ ଅଭିଯାନ ସଫଳ ହୋଇଥିବା ବେଳେ ପୁରସ୍କାର ସ୍ୱରୂପ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବ ବୋଲି ଆଶା ବାନ୍ଧି ବସିଛନ୍ତି ବୈଜୟନ୍ତ । କାରଣ ଆସାମ ବିଜୟ ପଛରେ ପ୍ରଭାରୀ ଭାବେ ପଣ୍ଡା ବାବୁଙ୍କର ବଡ ଯୋଗଦାନ ରହିଛି ବୋଲି କହିବୁଲୁଛନ୍ତି ବୈଜୟନ୍ତଙ୍କର କ୍ୟାମ୍ପ । ତେଣୁ ବୈଜୟନ୍ତଙ୍କୁ ବ୍ୟାକଡୋର ଏଣ୍ଟ୍ରି କରାଇ ମୋଦି ମନ୍ତ୍ରୀ ମୁଆଁ ଖୁଆଇପାରନ୍ତି ବୋଲି ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି । କିନ୍ତୁ ରାଜ୍ୟ ବିଜେପିର ଅଳ୍ପ କିଛି ନେତାଙ୍କୁ ଛାଡିଦେଲେ ବୈଜୟନ୍ତ ଏଯାଏଁ କାହାକୁ ସେହିଭଳି ବିଶ୍ୱାସକୁ ନେଇଥିବା ଭଳି ସଂକେତ ମିଳୁନାହିଁ । ଏହାଛଡା ପଦ୍ମ ପୋଖରୀରେ ବୈଜୟନ୍ତ ସେତେଟା ପ୍ରଭାବ ଏଯାଏଁ ବିସ୍ତାର କରିପାରିନାହାନ୍ତି । ସେହିଭଳି ବିଜେପି ସରକାରରେ ମନ୍ତ୍ରୀପଦଟିଏ ପାଇବା ପାଇଁ ଯେଉଁ ସଂଘ ବ୍ୟାକଗ୍ରାଉଣ୍ଡର ଆବଶ୍ୟକତା ରହିଛି ତାହା ବୈଜୟନ୍ତଙ୍କ ପାଖରେ ନାହିଁ । ଏହାଛଡା ବୈଜୟନ୍ତଙ୍କ ପଲିଟିକାଲ କ୍ୟାରିୟର ମଧ୍ୟ ବିବାଦୀୟ ହୋଇ ରହିଛି । ତେଣୁ ଜଣେ ପରାଜିତ ନେତାଙ୍କୁ ମନ୍ତ୍ରୀପଦ ଦେଇ ଦଳ ଭିତରେ ବଡ ଧରଣର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାକୁ ଚାହିଁବେ ନାହିଁ ମୋଦି । ତେଣୁ ବୈଜୟନ୍ତଙ୍କ ମନ୍ତ୍ରୀ ପଦ ଆଶା ଅଧୁରା ରହିବ ବୋଲି କୁହାଯାଉଛି ।
ସେହିଭଳି ମୋଦିଙ୍କ ଟିମରେ ସାମିଲ ହେବାକୁ ବଡ ଦାବିଦାର ଭାବେ ନିଜକୁ ସାମ୍ନାକୁ ଆଣୁଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଜୁଏଲ ଆଦିବାସୀ କାର୍ଡ ଖେଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ରାଜ୍ୟ ବିଜେପି ରାଜନୀତିରୁ ଏକପ୍ରକାର ନିଜକୁ ଦୂରେଇ ରଖିଥିବା ଜୁଏଲଙ୍କୁ ପୁଣିଥରେ ମନ୍ତ୍ରୀ ପଦ ମିଳିବା ଆଶା କ୍ଷୀଣ । କାରଣ ପ୍ରଥମ ପାଳିରେ ମନ୍ତ୍ରୀ ଥିବା ଜୁଏଲ ନିଜର କାର୍ୟ୍ୟଦକ୍ଷତା ସେଭଳି ଦେଖାଇପାରିନଥିଲେ ଏବଂ ବିବାଦୀୟ ମଧ୍ୟ ହୋଇଥିଲେ । ତେଣୁ ପୁଣିଥରେ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ ନ କରିବାକୁ ମନସ୍ଥିର କରିପାରନ୍ତି ମୋଦି ।
ମୋଦିଙ୍କ ମନ୍ତ୍ରୀମଣ୍ଡଳର ସମ୍ଭାବ୍ୟ ତାଲିକାରୁ ଏମାନଙ୍କୁ ବାଦ୍ ଦେବା ପରେ ଡାର୍କ ର୍ହସ ଭାବେ ଅଧିକ ଚର୍ଚ୍ଚାକୁ ଆସିଥିବା ଚେହେରା ଜଣକ ହେଉଛନ୍ତି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ । ଯାହାଙ୍କୁ ନେଇ ଓଡ଼ିଶାରେ ବଡ ବାଜି ଖେଳିପାରନ୍ତି ମୋଦି । ନବୀନଙ୍କ ସମର୍ଥନରେ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନୀଙ୍କୁ ମୋଦି ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ପଛର ସବୁଠୁ ବଡ ମାପକାଠି ହୋଇପାରେ ତାଙ୍କର ର୍ନିବିବାଦୀୟ ଚେହେରା । ଦଳରେ ଏତେ ପୁରୁଖା ନେତା ଥିବା ସତ୍ତ୍ୱେ ମଧ୍ୟ ଅଶ୍ୱିନୀଙ୍କ ଉପରେ ମୋଦି ଆସ୍ଥା ପ୍ରକଟ କରିବା ସହ ତାଙ୍କୁ ରାଜ୍ୟସଭା ପଠାଇବା ନିଷ୍ପତି ସେତେବେଳେ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଥିଲା । ଏପରିକି ଅଶ୍ୱିନୀଙ୍କ ପାଇଁ ନବୀନଙ୍କ ସହ କଥା ହୋଇଥିଲେ ମୋଦି । ତେଣୁ ଯେତେବେଳେ ଓଡ଼ିଶାରେ ପଦ୍ମ ଫୁଟିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଉଛି ସେଭଳି ସ୍ଥଳେ ଅଶ୍ୱିନୀ ଅସ୍ତ୍ର ଛାଡିପାରନ୍ତି ମୋଦି । କାରଣ ପୂର୍ବରୁ ବିଜେପିର ବଡ ଚେହେରା ଭାବେ ସାମ୍ନାକୁ ଆସିଥିବା ଅନେକ ନେତା ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ହୋଇଛନ୍ତି ଓ ଲୋକଙ୍କ ମଧ୍ୟରେ ଏମାନଙ୍କୁ ସେତେଟା କ୍ରେଜ ମଧ୍ୟ ନାହିଁ । ଏପରିକି ତୈଳ ଦର ବୃଦ୍ଧିକୁ ନେଇ ରାଜ୍ୟ ବିଜେପିର ପୋଷ୍ଟରବୟ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଲୋକେ ଖପ୍ପା । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଲୋକଙ୍କ ଭିତରେ ବଡ ଧରଣର ଛାପ ସୃଷ୍ଟି କରିବାରେ ଫେଲ ମାରିଛନ୍ତି ତେଣୁ ଅଶ୍ୱିନୀଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରି ରାଜ୍ୟ ବିଜେପିରେ ବଡଧରଣର ଓଲଟପାଲଟ କରିପାରନ୍ତି ମୋଦି । ଯାହା ପରର୍ତ୍ତୀ ସମୟରେ ରାଜ୍ୟରେ ବିଜେପି ସପକ୍ଷରେ ବାତାବରଣ ସୃଷ୍ଟି କରିପାରେ ବୋଲି ଭାବୁଛନ୍ତି ଦଳର ଥିଙ୍କଟ୍ୟାଙ୍କ୍ । ଏହାଛଡା ଅଶ୍ୱିନୀଙ୍କ ଦିଲ୍ଳୀ ଲବି ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି ।