ପିପିଲି ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ । ପିପିଲି ଉପ-ନିର୍ବାଚନ ନେଇ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ ଆୟୋଗ । ସେପ୍ଟେମ୍ଟର ୩୦ରେ ଅନୁଷ୍ଠିତ ହେବ ପିପିଲି ଉପ-ନିର୍ବାଚନ । ଏଥିସହିତ ପଶ୍ଚିମବଙ୍ଗ ଭବାନୀପୁର ନିର୍ବାଚନ ମଣ୍ଡଳୀ, ସମଶେର ଜଙ୍ଗ ଏବଂ ଯାଜ୍ଞିପୁର ବିଧାନସଭା ଆସନ ପାଇଁ ମଧ୍ୟ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ୩ ଅକ୍ଟୋବରରେ ଭୋଟ ଗଣତି ହେବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ପିପିଲି ଉପ-ନିର୍ବାଚନ ଦୁଇ ଦୁଇଥର ସ୍ଥଗିତ ହୋଇଛି । ଉପ-ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ତାରିଖ ଘୁଞ୍ଚାଯାଇଥିଲା । ପରେ କରୋନାର ଦ୍ୱିତୀୟ ଲହରର ପ୍ରକୋପକୁ ଦୃଷ୍ଟିରେ ରଖି ନିର୍ବାଚନକୁ ସାମୟିକ ଭାବେ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନ । ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପ-ନିର୍ବାଚନ ହେଉଛି । ପୂର୍ବରୁ ବିଜେଡି ପକ୍ଷରୁ ପ୍ରଦୀପଙ୍କ ପୁଅ ରୁଦ୍ରପ୍ରତାପଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ଆଶ୍ରିତ ପଟ୍ଟନାୟକ । ସେହିଭଳି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଦେହାନ୍ତ ପରେ ଦଳ ଏଠାରେ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ପ୍ରାର୍ଥୀ କରିଥିଲା । ତେବେ ପିପିଲି ବାଜି କିଏ ଜିତିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।