ମୃତ୍ୟୁ… ମୃତ୍ୟୁ… ମୃତ୍ୟୁ… ସବୁଠି ମୃତ୍ୟୁ, ସବୁଠି କାଳ । ଗଳିଗଳିରେ ମୃତ୍ୟୁ, ଛକଛକରେ ମୃତ୍ୟୁ, ଘରେଘରେ ମୃତ୍ୟୁର ଆଶଙ୍କା, ହସ୍ପିଟାଲରେ ମୃତ୍ୟୁର ମହାଫାଶ । ଖବର କାଗଜ ଖୋଲିଲେ ମୃତ୍ୟୁର ଖବର, ଟିଭି ଖୋଲିଲେ ମୃତ୍ୟୁର ହେଡଲାଇନ । ସୋସିଆଲ ମିଡିଆ ସାରା ମୃତ୍ୟୁର ମାଳମାଳ ପୋଷ୍ଟ, ଅନେକ ଅଶୁଭସମ୍ବାଦ । ମହାମାରୀ ପାଇଁ ଏବେ ସବୁଠି ହାହାକାର, ସବୁଆଡେ କାଳର କରାଳ ତାଣ୍ଡବ ଆଉ ବିପତ୍ତିର ବିଭୀଷିକା ।
ମାନବ ସଭ୍ୟତା ଉପରେ ମାଡୁଥିବା ମହାବିପତ୍ତି ଦେଖି ଏମିତି ଲାଗୁଛି ସତେ ଯେମିତି କରୋନା କଷୁଛି ମରଣ ଅଙ୍କ । ଜୀବନର ଖାତାରେ ଗାରଉଛି ମୃତ୍ୟୁର ଗଣିତ । କରୋନାର ପ୍ରଥମ ଲହର ପରେ ୨ୟ ଲହରରେ ଦେଖିବାକୁ ମିଳୁଛି କେତେ କେତେ କରୁଣ କାହାଣୀ । ପ୍ରଥମ ଦଫାରେ ଯେତେ ଜୀବନ ଯାଇନଥିଲା ୨ୟ ଦଫାରେ ଜୀବନ ଝରିପଡୁଛି । ପରିବାର ଉଜୁଡିଯାଉଛି । ଗୋଟେ ଗୋଟେ ଗାଁ ଶ୍ମଶାନ ପାଲଟୁଛି । କିଏ ସିନ୍ଦୂର ହରାଉଛି କିଏ ପ୍ରାଣପ୍ରିୟାକୁ, କିଏ ବାପାମାଆଙ୍କୁ ହରାଇ ଅନାଥ ହେଉଛି କିଏ ଆଖି ଆଗରେ ପ୍ରିୟଜନଙ୍କୁ ହରାଇ ହତବାକ ହୋଇଛି ।
ମଶାଣୀ, ଶ୍ମଶାନ, ଶବ, ମୁର୍ଦ୍ଦାର ଦେଶ ସବୁଦିନ ଏସବୁ ଚିତ୍ର ଦେଖି ବିବ୍ରତ ହେଣାଣି । ଅଭାବ, ଅସୁବିଧା ଭିତରେ ଭାରତ ଅଣନିଶ୍ୱାସୀ ପାଲଟିଲାଣି । କରୋନା ଜନିତ ସଂକ୍ରମଣ ଯେତେ ଅଧିକ ହେଉଛି ମୃତ୍ୟୁ ହାର ବି ସେତିକ ବଢୁଛି । ଭାରତରେ ଦିନକୁ କରୋନାରେ ୩୦୦୦ ପରେ ମୃତ୍ୟୁ ହେଉଥିବା ବେଳେ ଗୋଟିଏ ଗୋଟିଏ ଶ୍ମଶାନରେ ୫୦୦ରୁ ଅଧିକ ଶବର ସଂସ୍କାର ହେଉଛି । ମଣିଷ ଏତେ ମରୁଛନ୍ତି ଯେ ଜାଗା ବି ମିଳୁନି ପୋଡିବା ପାଇଁ, ଲୋକ ବି ମିଳୁ ନାହାନ୍ତି ଶବକୁ ଶେଷ ଠିକଣାରେ ପହଞ୍ଚାଇବା ପାଇଁ । ସତରେ କି ସମୟ ଆସିଲା, ଏଠି ଜୀବନ କମ ମୃତ୍ୟୁର ରାଜୁତି ଅଧିକ ଚାଲିଲା ।
ଭାରତରେ ୧୦ ରାଜ୍ୟରେ ଏବେ ମୃତ୍ୟୁ ସଂଖ୍ୟା ୭୮ ପ୍ରତିଶତରୁ ଅଧିକ ହେଉଛି । ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ଛତିଶଗଡ, ଗୁଜରାଟ, ପଞ୍ଜାବ, ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ଆଦି ରାଜ୍ୟ ଦେଶ ପାଇଁ ମୃତ୍ୟୁର ଉପତ୍ୟାକା ପାଲଟିଛି । କରୋନା ଏସମସ୍ତ ରାଜ୍ୟରେ ଏମିତି ତାଣ୍ଡବ ରଚୁଛି ଯେ ପ୍ରତିଦିନ ଶହ ଶହ ଲୋକ ମୃତ୍ୟୁବରଣ କରୁଛନ୍ତି । ଆଉ ଏହାରି ଭିତରେ ସବୁଠାରୁ ଚିନ୍ତାଜନକ ତଥ୍ୟ ମହାରାଷ୍ଟ୍ରରୁ ଆସିଛି । ମହାରାଷ୍ଟ୍ର କରୋନା ମୃତ୍ୟୁରେ ସର୍ବାଧିକ ରହିଛି ।
ସାରା ଭାରତରେ ଏଯାଏଁ ୨ ଲକ୍ଷ ପାରେଇଲାଣି ମୃତ୍ୟୁ ସଂଖ୍ୟା । କିନ୍ତୁ ସବୁଠୁ ଘୃଣା ଓ ପରିତାପର ବିଷୟ ହେଉଛି ଦେଶସାରା ଅନେକ ଲୋକଙ୍କ ମୃତ୍ୟୁ ହେଉଥିଲେ ବି ସରକାର ମୃତକଙ୍କ ସଂଖ୍ୟା ଲୁଚାଉଛନ୍ତି । ରାଜ୍ୟ ସରକାର ହେଉ କେନ୍ଦ୍ର ସରକାର, ଦୈନିକ ହଜାର ହଜାର ମୃତ୍ୟୁ ହେଉଥିଲେ ବି ସରକାରୀ ତଥ୍ୟ କହୁଛି ମୃତ୍ୟୁହାର କମ । ଆଉ ମଶାଣୀରେ ଜଳୁଥିବା ମାଳମାଳ ଶବ ହିଁ ବୟାନ କରୁଛି କେତେ ମିଛ କହୁଛନ୍ତି ସରକାର ।