ଆଉ ନଷ୍ଟ ହେବନି ଶବ । ସ୍ୱର୍ଗଦ୍ୱାରରେ ଉପଲବ୍ଧ ହେଲା ଶବ ସଂରକ୍ଷଣ ଫ୍ରିଜର । ଯେଉଁଥିରେ ମୃତଦେହ ରଖି ଆପଣ କାହାର ପହଞ୍ଚିବା ଯାଏଁ ମଧ୍ୟ ଅପେକ୍ଷା କରିପାରିବେ । ଆଉ ସମ୍ପର୍କୀୟ, ପରିବାର, ପରିଜନ ଆସିବା ପରେ ଶବଦାହ କରିପାରିବେ ।ସ୍ୱର୍ଗଦ୍ୱାରକୁ ସବୁଦିନ ବହୁ ସଂଖ୍ୟାରେ ଶବ, ଦାହ ପାଇଁ ଆସୁଛି । ରାଜ୍ୟର କୋଣ ଅନୁକୋଣରୁ ମୃତଦେହ ସଂସ୍କାର ପାଇଁ ଏଇ ସ୍ୱର୍ଗଦ୍ୱାରକୁ ଆସନ୍ତି । ଶବଦାହ ବେଳେ କିଏ ନିଜ ପୁଅ ଅପେକ୍ଷାରେ ଥାଏ ତ କିଏ ନିଜ ସ୍ୱାମୀ ଅପେକ୍ଷାରେ ଥାଏ । ଅନେକ ସମୟରେ ଦୂରଦୂରାନ୍ତର, ଦେଶ ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ଆସିବା ବାଟକୁ ଅନେଇ ଲୋକେ ଶବକୁ ସେମିତି ପକେଇ ରଖିବାର ଦେଖିବାକୁ ମିଳେ ।
କିନ୍ତୁ ପରିବାର, ପ୍ରିୟଜନଙ୍କ ପାଇଁ ଏଇ ଅପେକ୍ଷା ଭିତରେ ଧିରେଧିରେ ନଷ୍ଟ ହେବାରେ ଲାଗେ ମୃତଦେହ । ଶବ ପଚିଯିବ କହି ଦାହ ପାଇଁ ଜୁଇକୁ ନେବାକୁ ଇସାରା ଦିଅନ୍ତି ଶବଦାହ କରୁଥିବା ବ୍ୟକ୍ତି । ହେଲେ ଏଣିକି ବିନା ଦ୍ୱିଧାରେ ବି ଶବକୁ ସେମିତି ସତେଜ ରଖି ସମ୍ପର୍କୀୟଙ୍କ ପାଇଁ ଅପେକ୍ଷା କରିହେବ । କାରଣ ସ୍ୱର୍ଗଦ୍ୱାରରେ ଉପଲବ୍ଧ ହେଲାଣି ଶବ ପାଇଁ ଫ୍ରିଜର ବ୍ୟବସ୍ଥା ।
ତେବେ ଖାଲି ଶବ ପାଇଁ ନୁହେଁ ବରଂ ସ୍ୱର୍ଗଦ୍ୱାରରେ ଶବ ସହ ଯାଉଥିବା ଲୋକଙ୍କ ସୁବିଧା ସୁଯୋଗ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସ୍ୱର୍ଗଦ୍ୱାରରେ ନବୀକରଣ ହୋଇଛି । ଶବଦାହ ପାଇଁ ସ୍ୱତନ୍ତ୍ର ପିଣ୍ଡି ଆଉ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ସହ ଶବଦାହ କରିବାକୁ ଆସୁଥିବା ପରିଜନଙ୍କ ପାଇଁ ଅତ୍ୟାବଶ୍ୟକ ବ୍ୟବସ୍ଥା କରାଯାଇଛି । ଆଉ ଖୋଲିଛି କାଫେଟେରିଆ । ୬ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ତେଲେଙ୍ଗାନା ମହାପ୍ରସ୍ଥାନମ୍ ଢାଞ୍ଚାରେ ସ୍ୱର୍ଗଦ୍ୱାରର ରୂପରେଖ ବଦଳାଯାଇଛି ।