ଚାଷୀଙ୍କୁ ଅଟକାଇବାକୁ ଦିଲ୍ଲୀ ପୁଲିସ ସବୁବେଳେ ପହରା ଦେଉଥିବା ବେଳେ ଏଥର ଦିଲ୍ଲୀ, ଉତରପ୍ରଦେଶ, ଗାଜିପୁର ସୀମାରୁ ଆସିଛି ଏକ ଅଭିନବ ଚିତ୍ର । ଦିଲ୍ଲୀକୁ ଏକ ପ୍ରକାର ଅଭେଦ୍ୟ ଦୂର୍ଗରେ ପରିଣତ କରିଛି ଦିଲ୍ଲୀ ପୁଲିସ । ରାସ୍ତା ଉପରେ କଂଟା ପୋତାଯାଇଛି । ତାର ବାଡ ଓ କଂଟା ବାଡ଼ରେ ବ୍ୟାରିକେଡ଼ ତିଆରି କରାଯାଇଛି । ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନରତ ଚାଷୀ ଯେଭଳି ହିଂସାକାଣ୍ଡ ଘଟାଇଥିଲେ, ତା ପରେ ଏଭଳି ପଦକ୍ଷେପ ନେଇଛି ଦିଲ୍ଲୀ ପୁଲିସ ।
ରାସ୍ତା ଉପରେ ପୋତଯାଇଛି କଂଟା । ଗାଡି କିମ୍ବା ଚାଲିଚାଲି ଯିବା ଅସମ୍ଭବ । ଚାଷୀ ଯେମିତି ନିର୍ଦ୍ଧାରିତ ସୀମା ଅତିକ୍ରମ କରି ଦିଲ୍ଲୀ ଭିତରକୁ ପଶି ଆସିବେ ନାହିଁ ସେଥିପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ଏଭଳି ଲୁହା କଣ୍ଟା ପୋତାଯାଇଛି । ଲୁହା କଣ୍ଟା ଏବଂ ତାରବାଡ଼ରେ ଏଭଳି ବ୍ୟାରିକେଡ଼ କରାଯାଇଛି , କେହି ଚାହିଁଲେ ଦିଲ୍ଲୀ ଭିତରକୁ ପ୍ରବେଶ କରିପାରିବେ ନାହିଁ । ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ପୁଲିସ ଯେଭଳି ଉତ୍ପାତ କରିଥିଲେ, ତା ପରେ ଚାଷୀଙ୍କୁ ଅଟକାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି । ସେପଟେ ରାହୁଲ ଟୁଇଟ କରି କହିଛନ୍ତି, ଚାଷୀଙ୍କ ପାଇଁ ପାଚେରୀ ନୁହେଁ ସେତୁ ତିଆରି କରନ୍ତୁ ସରକାର ।
ସେପଟେ ଆସନ୍ତା ୬ ତାରିଖରେ ଦେଶରେ ଦିନ ୧୨ଟାରୁ ୩ଟା ଯାଏଁ ଚକାଜାମ ଆନ୍ଦୋଳନ କରାଯିବ ବୋଲି ଭାରତୀୟ କିଷାନ୍ ସଂଘ (ଆର୍) ପକ୍ଷରୁ କୁହାଯାଇଛି । ଦେଶର ସବୁ ରାଜ୍ୟରେ ଥିବା ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥକୁ ୩ ଘଂଟା ଧରି ବନ୍ଦ କରି ରଖାଯିବ । ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖି ଗତକାଲି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଇଂଟରନେଟ୍ ସେବାରେ କଟକଣା ଏବଂ କ୍ୟାରିକେଟ୍ ଲଗାଇ ରାସ୍ତା ବନ୍ଦ କରିଥିଲା ଦିଲ୍ଲୀ ପୁଲିସ୍ ।