ଦେଶରେ ବଢିବାରେ ଲାଗିଛି ଓମିକ୍ରନ ସଂକ୍ରମଣ ମାମଲା । ଦେଶରେ ଓମିକ୍ରନ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୭୭ରେ ପହଁଚିଗଲାଣି । ଦିଲ୍ଲୀରୁ ଆଜି ୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୦ରେ ପହଂଚିଛି ।
ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି, ସମ୍ପ୍ରତି ୯ଜଣ ଓମିକ୍ରନ୍ ରୋଗୀ ଦିଲ୍ଲୀର ‘ଏଲ୍ଏନ୍ଜେପି ହସ୍ପିଟାଲ୍’ରେ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ ଜଣେ ରୋଗୀଙ୍କୁ ଘରକୁ ବିଦା କରିଦିଆଯାଇଛି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ମଧ୍ୟରୁ କାହାରି ସ୍ବାସ୍ଥ୍ୟାବସ୍ଥା ସାଙ୍ଘାତିକ ନାହିଁ । ଜୈନ୍ ଆହୁରି ମଧ୍ୟ କହିଛନ୍ତି, ଏବେ ‘ଏଲ୍ଏନ୍ଜେପି ହସ୍ପିଟାଲ୍’ରେ ୪୦ଜଣ କୋଭିଡ୍ ରୋଗୀ ଭର୍ତ୍ତି ହୋଇଛନ୍ତି। ଆଜି ସକାଳେ ୮ଜଣ ସନ୍ଦିଗ୍ଧ ବିମାନ ବନ୍ଦରରୁ ଆସିଛନ୍ତି ।
ମହାରାଷ୍ଟ୍ର, କେରଳରେ ଆଉ ୮ଟି କେସ୍ ସାମ୍ନାକୁ ଆସିଛି । ସେହିପରି ତାମିଲନାଡୁରେ ମଧ୍ୟ ଗୋଟିଏ ନୂଆ କେସ୍ ସାମ୍ନାକୁ ଆସିଛି । ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାୟରୋଲୋଜି ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରରେ ନୂଆ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨ଜଣ ଉସମାନାବାଦର, ଜଣେ ମୁମ୍ବାଇର ଓ ଆଉ ଜଣେ ବୁଲଢାଣାର ଅଟନ୍ତି । ଏଥିରୁ ୩ଜଣ ଟିକା ନେଇ ସାରିଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ବେଳେ ୧୬ରୁ ୬୭ ବୟସଙ୍କ ମଧ୍ୟରେ ୩ ଜଣ ପୁରୁଷ ରହୁଛନ୍ତି । ସମସ୍ତ ଆକ୍ରାନ୍ତଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ ।