ବାହାନା ଇକୋ ରିଟ୍ରିଟରେ ରହିବା, ହେଲେ ଲକ୍ଷ୍ୟ ବୈଜୟନ୍ତଙ୍କୁ ପାନେ ଚଖାଇବା । କିଛି ଏଭଳି ରଣନୀତି ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତଙ୍କ ନିର୍ବାଚନ ମଣ୍ଡଳୀରେ ଧଶେଇ ପଶିଛନ୍ତି । ସ୍ଥାନେ ସ୍ଥାନେ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ବ୍ୟାପକ ଆୟୋଜନ । ଧର୍ମେନ୍ଦ୍ରଙ୍କ ଉପରେ ଫୁଲ ବର୍ଷା ଠାରୁ ଆରମ୍ଭ କରି ବାଇକ ରାଲି ଯାଏଁ ସବୁ କିଛି ହେଉଥିଲା । କାରଣ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରାପଡା ଗସ୍ତ କରିଥିଲେ । କୋଣାର୍କରେ ଇକୋ ରିଟ୍ରିଟରେ ରାତି ବିତାଇବା ଭଳି କେନ୍ଦ୍ରାପଡାରେ ହୋଇଥିବା ଆୟୋଜନରେ ରାତି କାଟିବାକୁ ଆସିଥିଲେ ଧର୍ମେନ୍ଦ୍ର । ସାଙ୍ଗରେ ଥିଲେ ଅନେକ ନେତା, ହେଲେ ବୈଜୟନ୍ତ କିନ୍ତୁ ନଥିଲେ । ହଁ, ବୈଜୟନ୍ତ ଆସାମରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲେ । ଆଉ ଏପଟେ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତଙ୍କ ନିର୍ବାଚନ ମଣ୍ଡଳୀରେ ନିଜ ଶକ୍ତି ପ୍ରଦର୍ଶନ କରୁଥିଲେ ।
ବୈଜୟନ୍ତଙ୍କ ମାଲିକାନାରେ ଥିବା ଚ୍ୟାନେଲ ଯେବେଠାରୁ ଧର୍ମେନ୍ଦ୍ରଙ୍କୁ ପଛରେ ପକାଇ ଅପରାଜିତା ଷଡଙ୍ଗୀଙ୍କୁ ଗୁରୁତ୍ୱ ଦେବା ଆରମ୍ଭ କଲା ସେବେଠାରୁ ଏହି ବିବାଦ ଆରମ୍ଭ ହୋଇଛି । ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି । କିଏ କାହାକୁ ସହି ପାରୁନାହାନ୍ତି । ହେଲେ ଗୋଟିଚାଳନାରେ ବୈଜୟନ୍ତଙ୍କ ଠାରୁ ଢେର ଆଗରେ ଅଛନ୍ତି ଧର୍ମେନ୍ଦ୍ର । କୁହାଯାଉଛି, କେନ୍ଦ୍ରାପଡାରେ ସବୁ ନେତା ଧର୍ମେନ୍ଦ୍ରଙ୍କ ଅନୁଗତ । ଏପରିକି ବୈଜୟନ୍ତ ଚାହିଁଲେ କୈାଣସି ବଡ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବାରେ ବିଫଳ ହେବେ । ସ୍ଥିତି ଏମିତି ହେବ ଯେ, ବିଜେଡିରେ ଥିଲା ବେଳେ ଯେଉଁ ଦଶା ବୈଜୟନ୍ତ ଭୋଗୁଥିଲେ ସେହି ସମାନ ଦଶା ବିଜେପିରେ ମଧ୍ୟ ହୋଇପାରେ ।
ବଡ କଥା ହେଉଛି, ଦିଲ୍ଲୀରେ ବୈଜୟନ୍ତଙ୍କର ଏକ ଭଲ ଲବି ରହିଛି । ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟର ପ୍ରଭାରୀ ଭାବେ ସେ ଦାୟିତ୍ୱ ପାଇବା ପରେ ଆସାମ ରାଜନୀତିକୁ ନେଇ ବ୍ୟସ୍ତ ରହୁଛନ୍ତି । ନେତାଜୀ ଜୟନ୍ତୀରେ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ଆସାମରେ ଥିଲା, ଆଉ ପାଖେ ପାଖେ ପ୍ରଭାରୀ ବୈଜୟନ୍ତଙ୍କୁ ମଧ୍ୟ ଦେଖିବାକୁ ମିଳୁଥିଲା । ଏହି ଚିତ୍ର ଧର୍ମେନ୍ଦ୍ର ପ୍ରଧାନ କ୍ୟାମ୍ପ ପାଇଁ ମଧ୍ୟ ଚିନ୍ତାଦାୟକ । ତେଣୁ ଶୀତଳ ଲଢେଇରେ ଉଭୟ କ୍ଷତିଗ୍ରସ୍ତ ହେବା ସହ ରାଜ୍ୟ ସଂଗଠନକୁ ଦୁର୍ବଳ କରୁଥିବା ଚର୍ଚ୍ଚା ଏବେ ଦଳ ଭିତରେ ବି ଆରମ୍ଭ ହୋଇଗଲାଣି । ଅପରାଜିତାଙ୍କୁ ସାମ୍ନାରେ ରଖି ଲଢେଇ କରୁଥିବା ବୈଜୟନ୍ତ କିନ୍ତୁ ଶାଣିତ ଲଢେଇ ଲଢିବାରେ ବିଫଳ ହୋଇଥିବା ଚର୍ଚ୍ଚା ଚାଲିଛି ।