ଯେଉଁମାନେ ରାଜ୍ୟ ବିଜେପିର ପୋଷ୍ଟର ବୟଙ୍କୁ ମାତ୍ ଦେବା ପାଇଁ ଦିଲ୍ଲୀରେ ରହି ରଣନୀତି କରୁଛନ୍ତି, ଆଉ କୈାଣସି ପ୍ରକାରରେ ପ୍ରଭାରୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ରାତିର ନିଦ ଏହି ଖବର ହଜାଇଦେବ । ପଶ୍ଚିମବଙ୍ଗ ନିର୍ବାଚନ ଉପରେ ସାରା ଦେଶର ନଜର ଥିବା ବେଳେ ଗୋଟିଏ ନିର୍ବାଚନ ମଣ୍ଡଳୀ ନନ୍ଦୀଗ୍ରାମ ଏବେ ଫୋକସ ପଏଂଟରେ ରହିଛି । ଏଠାରୁ ନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଉ ତାଙ୍କ ବିରୁଦ୍ଧରେ ପ୍ରାର୍ଥୀ ହୋଇଛନ୍ତି ଏକଦା ମମତାଙ୍କ ଏକାନ୍ତ ଅନୁଗତ ଥିବା ଆଉ ଏବେ ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ । ଏହି ଲଢେଇ ପଶ୍ଚିମବଙ୍ଗ ରାଜନୀତିର ଦିଶା ନିର୍ଦ୍ଧାରଣ କରିବ । ଏହି ନିର୍ବାଚନ ଉଭୟ ବିଜେପି ଆଉ ଟିଏମସିର ଶକ୍ତି ପ୍ରଦର୍ଶନର ମଇଦାନ ପାଲଟିଯାଇଛି । ଏହି ନିର୍ବାଚନ ମଣ୍ଡଳୀ ଏବେ ଦେଖୁଛି ସବୁଠାରୁ ହାଇପ୍ରୋଫାଇଲ ଲଢେଇ । ହେଲେ ଓଡିଶା ପାଇଁ ଏହି ନିର୍ବାଚନର ଏକ ବଡ ସଂକେତ ରହିଛି, ଯାହା ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କାର୍ଯ୍ୟ କରୁଥିବା ନେତାଙ୍କ ପାଇଁ ସଂକଟର ସମୟ ଆଣିଦେଇଛି ।
ନନ୍ଦିଗ୍ରାମରେ ମମତାଙ୍କୁ ହରାଇବା ପାଇଁ ମୋଦି-ଶାହା ଯୋଡି ଦାୟିତ୍ୱ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ । ଆଉ ଶୁଭେନ୍ଦୁ ଅଧିକାରୀ ନାମାଙ୍କର ଭରିବାକୁ ଗଲାବେଳେ ଧର୍ମେନ୍ଦ୍ର ତାଙ୍କ ପାଖେ ପାଖେ ରହି ପୁରା ପ୍ରଚାର ମଇଦାନର ମଙ୍ଗ ଧରିଛନ୍ତି । ମମତାଙ୍କୁ ନନ୍ଦିଗ୍ରାମରୁ ମାତ୍ ଦେବା ବିଜେପି ପକ୍ଷରେ ଏତେ ସହଜ ହୋଇନପାରେ । ହେଲେ ବିଜେପି ମଧ୍ୟ ସହଜରେ ପରାଜୟ ବରଣ କରିବା ମୁଡରେ ନଥିବା ଭଳି ଲାଗୁଛି । ଆଉ ସେଥିପାଇଁ ମୋଦି-ଶାହାଙ୍କ ଏକାନ୍ତ ଅନୁଗତ ଆଉ ବିଶ୍ୱସ୍ତ ଅଛନ୍ତି ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ । ପାଖେ ପାଖେ ରହି ସବୁ କିଛି ମ୍ୟାନେଜ କରୁଛନ୍ତି । ବିଜେପି ଶକ୍ତିପ୍ରଦର୍ଶନର ସୁତ୍ରଧର ସାଜିଛନ୍ତି ଧର୍ମେନ୍ଦ୍ର । ମମତାଙ୍କୁ ହରାଇବାର ଗୁରୁ ଦାୟିତ୍ୱ ପାଇବା ପରେ ସେ ନନ୍ଦିଗ୍ରାମରେ କ୍ୟାମ୍ପ ପକାଇ ବସିଛନ୍ତି ।
ଏହି ଖବର ରାଜ୍ୟ ବିଜେପିର କିଛି ନେତାଙ୍କ ପାଇଁ ସତର୍କଘଂଟି । ଖାସ କରି ପ୍ରଶାସକରୁ ଆସି ସାଂସଦ ହୋଇଥିବା ତଥା ଧର୍ମେନ୍ଦ୍ରଙ୍କ କ୍ୟାମ୍ପ ବିରୋଧରେ କାର୍ଯ୍ୟ କରୁଥିବା ନେତ୍ରୀଙ୍କ ପାଇଁ ଏହା ଏକ ଚ୍ୟାଲେଂଜ ମଧ୍ୟ । କାରଣ ଚର୍ଚ୍ଚା ଅନୁସାରେ ଉଭୟ ଅପରାଜିତା ଆଉ ଧର୍ମେନ୍ଦ୍ରଙ୍କ ଭିତରେ ସଂପର୍କ ଭଲ ନାହିଁ । ଯାହାର ପ୍ରଭାବ ସଂଗଠନ ଉପରେ ପଡୁଥିବା କଥା ବାରମ୍ବାର କୁହାଯାଉଛି । କର୍ମୀ ମଧ୍ୟ ଦ୍ୱନ୍ଦ୍ୱରେ ରହୁଥିଲ ସେମାନେ କାହା କଥା ଶୁଣିବେ ଆଉ ଦଳରେ ସବୁଠାରୁ ଶକ୍ତିଶାଳୀ ନେତା କିଏ । ହେଲେ ନନ୍ଦିଗ୍ରାମର ଦାୟିତ୍ୱ ପାଇ ଧର୍ମେନ୍ଦ୍ର ପ୍ରମାଣିତ କରିଛନ୍ତି ସେ ହିଁ ହେଉଛନ୍ତି ମୋଦି-ଶାହା ଯୋଡିଙ୍କ ଅତ୍ୟନ୍ତ ବିଶ୍ୱସ୍ତ । କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରିଥିବା କିଛି ଫଟୋ ନିହାତି ଭାବେ ରାଜ୍ୟ ବିଜେପିର କିଛି ନେତା ଯେଉଁମାନେ ଜାତୀୟ ସ୍ତରରେ ମୁଖପାତ୍ର ହୋଇ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପାଇଁ ଆହ୍ୱାନ ତିଆରି କରିଛି । ଯଦି ଧର୍ମେନ୍ଦ୍ର ପ୍ରଧାନ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କୁ ଜିତାଇବାରେ ସମର୍ଥ ହୋଇଯାଆନ୍ତି ତେବେ ସେ ହିଁ ସର୍ବଶକ୍ତିମାନ ନେତା ହୋଇ ଉଭା ହେବେ ଏବଂ ଅନ୍ୟ ସମସ୍ତେ ଫିକା ପଡିଯିବେ ଏଥିରେ କୈାଣସି ସନ୍ଦେହ ନାହିଁ ।