ଦେଶରେ ଗତ କିଛି ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ହୁହୁ ହୋଇ ବଢ଼ି ଚାଲିଛି । ଅନେକ ସହରରେ ଶତକ ମାରିଛି ପେଟ୍ରୋଲ । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର କମ ଥିବାବେଳେ ଦେଶରେ ତୈଳ ଦର ଅହେତୁକ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଏହାରି ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦେଶରେ ଲଗାତାର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିର କାରଣ କହିଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ତୈଳ ଦର ବୃଦ୍ଧି ପାଇବା ପଛରେ ୨ଟି କାରଣ ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଇନ୍ଧନ ଉତ୍ପାଦନ ହ୍ରାସ ପାଇଛି ଏବଂ ଅଧିକ ଲାଭ ପାଇବା ପାଇଁ ବିନିର୍ମାଣ ଦେଶଗୁଡିକ କମ ଇନ୍ଧନ ଉତ୍ପାଦନ କରୁଛନ୍ତି । ଯାହାଫଳରେ ସିଧାସଳଖ ଏହାର ପ୍ରଭାବ ଗ୍ରାହକମାନଙ୍କ ଉପରେ ପଡୁଛି । ନେଇ ଓପିଇସି ଓ ଓପିଇସି ପ୍ଲସ୍ ଦେଶକୁ ଅନୁରୋଧ କରିଛୁ । ଆଶା ରଖିଛୁ ନିକଟରେ କିଛି ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ପ୍ରେଟ୍ରୋଲିୟମ ମନ୍ତ୍ରୀ । ଦେଶରେ ପେଟ୍ରୋଲ ଏବଂ ଡିଜେଲ ବୃଦ୍ଧିର ଆଉ ଏକ କାରଣ ହେଉଛି କରୋନା । ସରକାର ଅନେକ ଗୁଡ଼ିଏ ଉନ୍ନୟନମଳକ କାର୍ୟ୍ୟ କରୁଛନ୍ତି । ଯେଉଁଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ଆଦାୟ କରୁଛନ୍ତି । ବିକାଶମୂଳକ କାର୍ୟ୍ୟରେ ଖର୍ଚ୍ଚ ଦ୍ୱାରା ଅଧିକ ନିଯୁକ୍ତି ସୃଷ୍ଟି ହେବ । ସରକାର ନିବେଶ ବଢ଼ାଇଥିବା ବେଳେ ଚଳିତ ବଜେଟରେ ୩୪ ପ୍ରତିଶତ ଅଧିକ ବ୍ୟୟ କରାଯିବ ବୋଲି କହିଛନ୍ତି ।
ଏଥିସହ ଖର୍ଚ୍ଚ ନେଇ ରାଜ୍ୟକୁ ତୀର ମାରିଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ସରକାର ମଧ୍ୟ ଖର୍ଚ୍ଚ ବୃଦ୍ଧି କରିଛନ୍ତି । ସେଥିପାଇଁ ଆମକୁ ଟିକସ ଆବଶ୍ୟକତା ହେଉଛି । ଆଦାୟ ଟିକସ ଓ ଖର୍ଚ୍ଚ ମଧ୍ୟରେ ସନ୍ତୁଳନ ଆବଶ୍ୟକ । ମୁଁ ଆଶା କରୁଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ନେଇ କୌଣସି ଏକ ବାଟ ବାହାର କରିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଲଗାତାର ୧୨ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପରେ ଆଜି ସ୍ଥିର ରହିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ଉପରେ ରହିଥିବା ବେଳେ ମାଲକାନଗିରିରେ ସର୍ବାଧିକ ୯୫ ଟଙ୍କା ୯୬ ପଇସା ରହିଛି । ତୈଳଦରରେ ଅହେତୁକ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।