ରାଜ୍ୟ ବିଜେପିରେ ଯାହା ଘଟିବା ଅସମ୍ଭବ ଏବେ ତାହା ହିଁ ଘଟୁଛି । ଯାହାଙ୍କ ଇଶାରାରେ ଭାଜପାର ଉପରୁ ତଳ ଯାଏଁ ନେତା ଆଉ କର୍ମୀ ପରିଚାଳିତ ସିଏ ଏବେ ହରଡଘଣାରେ ପଡିଥିବା ଚର୍ଚ୍ଚା ହେଉଛି । ନୂଆ ପ୍ରଭାରୀ ଦାୟିତ୍ୱ ନେଇଥିବା ଡି. ପୁରନ୍ଦେଶ୍ୱରୀ ରାଜ୍ୟ ଗସ୍ତରେ ଆସିଲେ, ଦାୟିତ୍ୱ ନେବା ପରେ ଏହା ତାଙ୍କ ପ୍ରଥମ ଗସ୍ତ ଥିଲା । ହେଲେ ଏହି ଅବସରରେ କିନ୍ତୁ ରାଜ୍ୟ ଗସ୍ତରେ ଆସିଲେନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକୁ ନେଇ ଏବେ ବିଜେପି କର୍ମୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।
କୁହାଯାଉଛି ନିଜ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଆସିପାରିଲେ ନାହିଁ । ହେଲେ ଏହି ଯୁକ୍ତିକୁ ଗ୍ରହଣ କରିବାକୁ ରାଜନୈତିକ ପର୍ଯ୍ୟବେକ୍ଷକ ପ୍ରସ୍ତୁତ ନାହାନ୍ତି । କାରଣ କେନ୍ଦ୍ରମନ୍ତ୍ରୀ ଚାହିଁଥିଲେ ଆଲୋଚନା ମାଧ୍ୟମରେ ଭିନ୍ନ ଏକ ତାରିଖ ନିର୍ଦ୍ଧାରଣ କରିପାରିଥାନ୍ତେ । ମାତ୍ର ଏହା କରିବା ବଦଳରେ ସେ ଏଥିରୁ ନିଜକୁ ଦୂରେଇ ରଖିଲେ । ପ୍ରଭାରୀ ସାଂଗଠନିକ ସ୍ତରରେ ଅଲୋଚନା କଲେ ଏବଂ ସମୀକ୍ଷା କଲେ । ଧର୍ମେନ୍ଦ୍ର ପ୍ରଧାନଙ୍କ ବିନା ଉପସ୍ଥିତିରେ ଦଳୀୟ ସ୍ଥିତି ନେଇ ସମୀକ୍ଷା ମଧ୍ୟ ତଥାକଥିତ ମହଲକୁ ଚର୍ଚ୍ଚାରେ ପକାଇ ଦେଇଛି । ହୁଏତ ସେ ଭିଡିଓ କନଫରେନସିଂ ଜରିଆରେ ସାମିଲ ହୋଇଥାଇପାରନ୍ତି, ହେଲେ ଏହା କେମିତି ବିଜେପି ରାଜନୀତିକୁ ଗୋଳିଆ କରିଦେଇଛି ।
ପୂର୍ବରୁ ଆମେ ଆପଣଙ୍କୁ କହିଥିଲୁ, କିଭଳି ପ୍ରଭାରୀଙ୍କ ନିକଟରେ ନିଜ ଦବଦବା ଜାହିର କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ ରେସ୍ ଚାଲିଥିଲା, ଲାଗୁଛି ଏଥିରେ ଅପରାଜିତା ଷଡଙ୍ଗୀ ବାଜି ମାରିନେଇଛନ୍ତି । କାରଣ ପ୍ରଭାରୀଙ୍କ ପ୍ରଥମ ଓଡିଶା ଗସ୍ତ ସମୟରେ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ନଆସିବା ଅନେକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଦେଇଛି । ଉଭୟ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦଙ୍କ ମଧ୍ୟରେ ଶୀତଳଯୁଦ୍ଧ ଚାଲିଥିବା ସମସ୍ତେ ଉଣା ଅଧିକେ ଅବଗତ ଥିବେ । ଆଉ ଏବେ ଅପରାଜିତା, ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜ ଚାଲ୍ ବଳରେ ପଛରେ ପକାଇଥିବା କୁହାଯାଉଛି ।
ଚର୍ଚ୍ଚା ଅନୁସାରେ, ଅପରାଜିତା ଷଡଙ୍ଗୀଙ୍କୁ ରାଜ୍ୟ ବିଜେପିର ଭବିଷ୍ୟତ ଭାବେ କିଛି ନେତା ଦେଖିବା ଆରମ୍ଭ କଲେଣି । ଏପରିକି ତାଙ୍କର ଗ୍ରହଣୀୟତା, କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ମଧ୍ୟ ଅଧିକ ବୋଲି ଦଳରେ କିଛି ନେତା ଖୋଲାଖୋଲି କହିବା ଅରମ୍ଭ କଲେଣି । ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା ସଭାପତି ପଦକୁ ନେଇ ଯେଉଁ ଟଣାଓଟରା ଚାଲିଲା, ତାହା ସ୍ପଷ୍ଟ ଭାବେ ପ୍ରମାଣିତ କରିଦେଲା, ବିଜେପିରେ କାହାର କାଟତି କେତେ । ଆଉ ଏବେ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଂଗଠନ ଠାରୁ ନିଜକୁ ଦୂରେଇ ନେବା ତାଙ୍କ ବାଧ୍ୟବାଧ୍ୟକତା ନା କେନ୍ଦ୍ର ନେତୃତ୍ୱଙ୍କ ନିର୍ଦ୍ଦେଶ ତାକୁ ନେଇ ସମୀକ୍ଷା ଆରମ୍ଭ ହୋଇଯାଇଛି ।