ଯାହା ଅନୁମାନ କରାଯାଇଥିଲା, ଠିକ ସେଭଳି ସ୍ଥିତି ସାମ୍ନାକୁ ଆସିଛି । ବୈଜୟନ୍ତ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ଖୋଲା ମୈଦାନରେ । ଆଗରୁ ସବୁ ଚର୍ଚ୍ଚାରେ ଥିଲା, ହେଲେ ଏବେ ସମସ୍ତଙ୍କ ସାମ୍ନାରେ ଘଟଣା ଘଟୁଛି । ମାହାଙ୍ଗାରେ ରାଜନୈତିକ ବିବାଦ ଜଳଜଳ ହୋଇ ଦିଶୁଥିଲା । ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଥିଲେ । ଆଉ କହିଥିଲେ ବିଜେପି ନେତାଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ହେଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଥିରେ ନଥିଲେ ବିଜେପି ନେତା ବୈଜୟନ୍ତ ପଣ୍ଡା ।
ଆପଣ ଭାବୁଥିବେ, ବୈଜୟନ୍ତଙ୍କ ଅନୁପସ୍ଥିତି କିଭଳି ଏତେ ବଡ ରାଜନୈତିକ ବିବାଦ ତିଆରି କଲା? କଥା ହେଉଛି, ମାହାଙ୍ଗା ହେଉଛି ବୈଜୟନ୍ତ ପଣ୍ଡାଙ୍କ ନିର୍ବାଚନ ମଣ୍ଡଳୀ ଅର୍ଥାତ୍ କେନ୍ଦ୍ରାପଡା ଲୋକସଭା ଆସନ ଅନ୍ତର୍ଗତ ଏକ ବିଧାନସଭା ନିର୍ବାଚନ ମଣ୍ଡଳୀ । ତେଣୁ ମାହାଙ୍ଗାର ଯେତେବେଳେ ଦୁଇ ବିଜେପି ନେତାଙ୍କୁ ହତ୍ୟା କରାଗଲା ସେତେବେଳେ ବୈଜୟନ୍ତ ଅଧିକ ପ୍ରତିକ୍ରିୟାଶୀଳ ହେବା କଥା । ଆଉ କେନ୍ଦ୍ରମନ୍ତ୍ରୀ ମାହାଙ୍ଗା ଯିବା ସମୟରେ ବୈଜୟନ୍ତ ମଧ୍ୟ ସେଠାରେ ଉପସ୍ଥିତ ରହିବା କଥା । ହେଲେ ଏଭଳି ଚିତ୍ର ଦେଖିବାକୁ ମିଳିନଥିଲା । ବରଂ ମାହାଙ୍ଗାରେ ଦୁଇ ଦୁଇଟି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି ।
ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାହାଙ୍ଗା ଗଲେ । ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ । ମାହାଙ୍ଗା ଘଟଣା ନେଇ ମୋଦିଙ୍କୁ ଅବଗତ କରାଇଥିବା କହିଲେ । ଏଥିସହ ଉଭୟଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି କହି ବଡ ରାଜନୈତିକ ବାର୍ତ୍ତା ଦେଲେ । ଏହାର ଠିକ ଦିନକ ପରେ ବୈଜୟନ୍ତ ପଣ୍ଡା ମାହାଙ୍ଗାରେ ଆୟୋଜିତ ଆଉ ଏକ କାର୍ଯ୍ୟକ୍ରମରେ ସାମିଲ ହେଲେ । ଉଭୟ କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ଦ୍ୱାଦଶାହ ତିଥିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହୋଇଥିଲେ ବୈଜୟନ୍ତ ପଣ୍ଡା । ପ୍ରଶ୍ନ ଉଠୁଛି, କେନ୍ଦ୍ରମନ୍ତ୍ରୀଙ୍କ ସହ ମାହାଙ୍ଗା ଯିବାରେ ବୈଜୟନ୍ତଙ୍କ ପାଇଁ କିଛି ସମସ୍ୟା ଥିଲା କି? କାହିଁକି ଧର୍ମେନ୍ଦ୍ରଙ୍କ ସହ ମାହାଙ୍ଗା ଗଲେ ନାହିଁ ବୈଜୟନ୍ତ? ନିଜ ଜନ୍ମଦିନ ପାଳନକୁ ବାତିଲ କରି ଯଦି ନିର୍ବାଚନ ମଣ୍ଡଳୀର ଦୁଇ ଜଣ କାର୍ଯ୍ୟକର୍ତ୍ତାଙ୍କ ଘରକୁ ଯାଇଥାନତେ, ତେବେ ରାଜନୈତିକ ଦୃଷ୍ଟିରୁ ଯଥେଷ୍ଟ ଆଗରେ ରହିଥାନ୍ତେ ବିଜେପିର ରାଷ୍ଟ୍ରୀୟ ଉପ-ସଭାପତି । ହେଲେ ଧର୍ମେନ୍ଦ୍ରଙ୍କ ସହ ଚାଲିଥିବା ତାଙ୍କର ଶୀତଳ ଯୁଦ୍ଧ ଏଥିରେ ବାଧା ସୃଷ୍ଟି କଲା ବୋଲି ଚର୍ଚ୍ଚା ।
ପୁର୍ବରୁ ବୈଜୟନ୍ତଙ୍କ ମାଲିକାନାରେ ଥିବା ଚ୍ୟାନେଲ ଅପରାଜିତାଙ୍କୁ ଗୁରୁତ୍ୱ ଦେବା. ଚ୍ୟାନେଲର ସମ୍ପାଦକ ଅପରାଜିତାଙ୍କ ନୁଆ ଯୋଜନା ଆରମ୍ଭ ହେବା ଦିନ ସେଠାରେ ଉପସ୍ଥିତ ରହିବା ଆଦି ଘଟଣା ଉଭୟ ବୈଜୟନ୍ତ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଥିଲା । ଯାହା ହୁଏତ ଆଗାମୀ ଦିନରେ ଆହୁରି ବିସ୍ଫୋରକ ରୁପ ନେଇପାରେ ବୋଲି ଅନୁମାନ କରାଯାଉଛି । ଆଉ ଏବେ ସଂଗଠନରେ ତାହା ପ୍ରତିଫଳିତ ହେବା ଆରମ୍ଭ କଲାଣି । ସ୍ଥିତି ଏମିତି ଯେ ବୈଜୟନ୍ତଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦୧୯ରେ ଲଢିଥିବା ନେତା ଏବେ ବୈଜୟନ୍ତଙ୍କ କଥା ଶୁଣୁନାହାନ୍ତି । ସେମାନେ ସମସ୍ତେ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପ ଆଡେ ଢଳିସାରିଛନ୍ତି । ତେଣୂ ଆଗାମୀ ଦିନରେ ଏହି ଫାଟ ଆହୁରି ବଢିପାରେ ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଛି ।