ପରୀକୁ ମାରିଲା କିଏ ? କୁନି ପିଲାକୁ କାହିଁକି କିଏ କରିବ ହତ୍ୟା ? ଯଦି ହତ୍ୟା ହୋଇଛି ତେବେ କିଏ ସେ ହତ୍ୟାକାରୀ ? ପରୀ ପ୍ରସଙ୍ଗରେ ଯେତେବେଳେ ପିଶାଚ ଧରାହୋଇନଥିଲା ସେତେବେଳେ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା । ହଜାରେ ପ୍ରଶ୍ନର ପାହାଡ ଚଢି ବିରୋଧୀ ସରକାରଙ୍କୁ ଘେରୁଥିଲେ । ପରୀ ପାଇଁ ବିଧାନସଭା ହଲଚଲ ହେଉଥିଲା । ଆଉ ଏ ସମ୍ବେଦନଶୀଳ ମାମଲାରେ ଯେତେବେଳେ ସରକାର ଏସଆଇଟି ଗଠନ କଲେ ସେତେବେଳେ ଅଭିଯୁକ୍ତ ଧରାପଡିବାର ଆଶା ଉଜ୍ଜିବିତ ହୋଇଥିଲା । ଦୀର୍ଘ ୪ ମାସ ଧରି ଯେଉଁ ବାପାମାଆ ଥାନାକୁ ଧାଇଁ ଧାଇଁ ନୟାନ୍ତ ହୋଇଥିଲେ ସେମାନେ ସ୍ଥିର ନିଶ୍ଚିତ ହେଲେ ଯେ ନା ପ୍ରକୃତ ଘଟଣା କଣ ତାହା ସାମ୍ନାକୁ ଆସିବ। କାରଣ ତଦନ୍ତକାରୀ ଦଳର ମୁଖିଆ ଥିଲେ ଅରୁଣ ବୋଥ୍ରା ।ଶୀଘ୍ର ହେଉ କି ବିଳମ୍ବରରେ ଅପରାଧୀ ବୋଥ୍ରାଙ୍କ ସନ୍ଦେହ ବୋର୍ଡରରୁ ଖସି ଯାଇପାରିବନି ଜହ୍ଲାଦ । ଦିନେ ନା ଦିନେ ଧରାପଡିବ । ଏ ଆଶା ସାରା ରାଜ୍ୟର ଲୋକଙ୍କ ମନରେ ଆସିଯାଇଥିଲା ।
ସେ ପାଟଣାଗଡ ପାର୍ସଲ ବୋମା ହେଉ କି ନୟାଗଡର ପରୀ । ସବୁଠି ବୋଥ୍ରା ଥିଓରୀ ଆଗରେ ଥରହର ହୋଇଛନ୍ତି ହତ୍ୟାକାରୀ । ଯେଡେବଡ ଅପରାଧି ହେଉନା କାହିଁକି, ଯେତେ ଚାଲାକରେ ଥାଉନା କାହିଁକି ବୋଥ୍ରା ଥିଓରୀ ଆଗରେ ଅପରାଧୀଙ୍କ ସବୁ ଅଙ୍କ ଭୁଲ ହୋଇଯାଏ ଆଉ ସମାଧାନରେ ସତ ସ୍ୱୀକାର କରେ ସୈତାନ । ସେ ପୁଞ୍ଜିଲାଲ ମେହେର ହେଉ କି ସରୋଜ ସେଠୀ । ସବୁ ପିଶାଚଙ୍କ ପାଠ ବୋଥ୍ରାଙ୍କ ବ୍ଲାକ ବୋର୍ଡରେ ଗୋଲ ହୋଇଯାଏ ଆଉ ବୋଥ୍ରା ବ୍ରହ୍ମାସ୍ତ୍ର ଆଗରେ ଆତ୍ମସମର୍ପଣ କରି ସତ ଓଗାଳି ଦିଅନ୍ତି ଅପରାଧୀ ।
ଯେତେବେଳେ ପରୀ ପାଇଁ ପୂରା ବ୍ୟବସ୍ଥାକୁ ବିରୋଧୀ ଉଠାପକା କରୁଥିଲେ ସେତେବେଳେ ପରୀ ଗାଁ ଯଦୁପୁରରେ ତଦନ୍ତକୁ ଜୋରଦାର କରିଥିଲେ ଟିମ୍ କ୍ୟାପଟେନ୍ ବୋଥ୍ରା । ପରୀ ପରିବାରକୁ ପଚରାଉଚରା, ସନ୍ଦେହରେ ଥିବା ଲୋକଙ୍କୁ ବାରମ୍ବାର ଜେରା ସହ ୧୨୦ ପରିବାରର ପୂରା ତଥ୍ୟ ନେଇ ଘଣ୍ଟାଚକଟା କରିଥିଲା ଟିମ୍ । ଆଉ ଶେଷରେ ବିଭିନ୍ନ ଆଡୁ ଭିନ୍ନ ଭିନ୍ନ ପ୍ରମାଣ ପାଇବା ପରେ ଯଦୁପୁର ଗାଁରୁ ହିଁ ଜହ୍ଲାଦକୁ ଗିରଫ କରିଥିଲା ଏସଆଇଟି । ପରୀ ମୃତ୍ୟୁକୁ କେବଳ ଏକ ହତ୍ୟା କୁହାଯାଉଥିବା ବେଳେ ବୋଥ୍ରା ଯାହା ବଖାଣିଥିଲେ ତାହା ସମସ୍ତଙ୍କୁ ତାଜୁବ କରିଦେଇଥିଲା । ପରୀକୁ କେବଳ ହତ୍ୟା ନୁହେଁ ବରଂ ହତ୍ୟା ପୂର୍ବରୁ ତାକୁ ଦୁଷ୍କର୍ମ କରାଯାଇଛି । ଏପରିକି ଅଭିଯୁକ୍ତ ଶବ ସହ ବି ଦୁଷ୍କର୍ମ କରିଥିବା ବୋଥ୍ରାଙ୍କ ଆଗରେ ମାନିଥିଲା । ଘଟଣା ପୂର୍ବଦିନ ରାତିରେ ଅଶ୍ଳୀଳ ଭିଡିଓ ଦେଖି ମାନସିକ ଚାପରେ ଥିବାରୁ ପରୀ ସହ ଏମିତି ଘଟାଇଥିବା ନିଜେ ମାନିଥିଲା ସରୋଜ । ତେବେ ପାପୀର ଏ ପାପ କାହାଣୀ ଶୁଣି ଶେଷରେ ଦୃଢ ପ୍ରମାଣ ସହ ସେହି ଗାଁର କଲେଜ ପଢୁଆ ଯୁବକ ସରୋଜ ସେଠୀକୁ ବାନ୍ଧିଥିଲେ ବୋଥ୍ରା ।
ଗିରଫ ପରେ ଅଧିକ ପଚରା ଉଚରା ସହ ଅପରାଧର ରିକ୍ରିଏସନ ପାଇଁ ଘଟଣାସ୍ଥଳକୁ ନେଇ ଡେଭିଲ ଦ୍ୱାରା ଡେମୋ କରାଇଥିଲେ ବୋଥ୍ରା । ତେବେ ହତ୍ୟା ପରଠୁ ସରୋଜ ପରୀ ବାବଦରେ ଅହରହ ଖବର ଦେଖୁଥିଲା । ଟିଭି ରିଚାର୍ଜ ସରିଗଲେ ବିରକ୍ତି ହେଉଥିଲା । ଏମିତି କି ବୋଥ୍ରାଙ୍କ ବାବଦରେ ବି ଗୁଗୁଲରେ ସର୍ଚ୍ଚ କରୁଥିଲା ସୈତାନ । କେମିତି ପାଟଣାଗଡ କେସରେ ଅପରାଧୀକୁ ଧରାଯାଇଥିଲା ସେ ସବୁ ଦେଖୁଥିଲା ସରୋଜ । ୨୨ ବର୍ଷର ଚାକିରୀ କାଳ ଭିତରେ ଏଭଳୁ ହତ୍ୟାକାଣ୍ଡ କେବେ ଦେଖି ନଥିବା ବୋଥ୍ରା କହିଛନ୍ତି ।
ତେବେ ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ପରେ ଠୋସ ପ୍ରମାଣ ଯୋଗାଡ କରିବାରେ ଲାଗିଛି ଏସଆଇଟି । ପରୀ ହତ୍ୟା ଓ ଦୁଷ୍କର୍ମ ଘଟଣାର କେହି ପ୍ରତ୍ୟକ୍ଷ୍ୟଦର୍ଶୀ ନଥିବାରୁ ତଦନ୍ତକାରୀ ଟିମର ଅଡୁଆ ବଢିଛି । ପରୀର ଫ୍ରକରେ ଲାଗିଥିବା ସିମେନ କାହାର ତାହା ଜଣାପଡିନି । ୟା ଭିତରେ ୪ ମାସ ବିତି ଯାଇଥିବାରୁ ଏହାକୁ ଠିକ ଭାବେ ସଂରକ୍ଷିତ କରି ରଖାଯାଇ ନାହିଁ ତେଣୁ ରିପୋର୍ଟ ସଠିକ ଆସିବା ସନ୍ଦେହ ସୃଷ୍ଟି କରିଥିବାରୁ ଏବେ ପୁଣି ଏକ ଥିଓରୀ ଆପଣାଇଛନ୍ତି ବୋଥ୍ରା ସାହାବ । ଅଭିଯୁକ୍ତର ବ୍ରେନ ମ୍ୟାପିଂ ପାଇଁ କୋର୍ଟରେ ଆବେଦନ କରିବାକୁ ଯୋଜନା ଚାଲୁଛି ।
ସେପଟେ ଏତେସବୁ ପ୍ରମାଣ ପରେ ବି ବ୍ରୋଥ୍ରା ଥିଓରୀକୁ ବିଶ୍ୱାସକୁ ନେଉ ନାହାନ୍ତି ବିଜେପି କର୍ମୀ । ଏସଆଇଟି ମୁଖ୍ୟ ଅରୁଣ ଗପ କହୁଥିବା ବିଜେପି ଅଭିଯୋଗ କରୁଛି । ସରୋଜ ବାବଦରେ ତଦନ୍ତକାରୀ ଦଳର ମୁଖିଆ ବନେଇ ଚୁନେଇ ଗପ କହୁଥିବା ଅଭିଯୋଗ ଆଣୁଥିବା ବେଳେ ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ହାଥରସ ଗଣଦୁଷ୍କର୍ମ ମାମଲାରେ ଯେମିତି ଯୋଗୀ ସରକାର ତଦନ୍ତ ଭାର ସିବିଆଇକୁ ହାତକୁ ଟେକି ଦେଲେ ଠିକ ସେମିତି ରାଜ୍ୟ ସରକାର ପରୀ ମାମଲା ସିବିଆଇକୁ ଦିଅନ୍ତୁ ।
ବିଜେପି ନେତା ଯଦି ଭାବୁଛନ୍ତି ସରୋଜ ସେଠୀ ନିର୍ଦ୍ଦୋଷ, ତେବେ ତାଙ୍କ ପରିବାରକୁ ଭେଟିବାରେ ଅସୁବିଧା କେଉଁଠି? ଘର ସାମ୍ାରେ ରାଲି କରିବେ, ହେଲେ ପରିବାର ସଦସ୍ୟଙ୍କୁ ଭେଟିବେ ନାହିଁ, ଏହାଠାରୁ ବଳି ଦୋମୁହାଁ ନୀତି ଆଉ କେଉଁଠି ଦେଖିବାକୁ ମିଳିବ ନାହିଁ । ବିଜେପି ନେତାଙ୍କୁ ଡର ଯଦି ସରୋଜ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଗଲା, ତେବେ ସେମାନେ ଆଉ କେଉଁଠି ମୁହଁ ଦେଖାଇପାରିବେ ନାହିଁ । ଆଉ ଅନ୍ୟପକ୍ଷରେ ଦଳ ତାରଆଭିମୁଖ୍ୟ ପରିବର୍ତ୍ତନ କଲେ ଦଳ ପଛଘୁଂଚା ଦେଲା ବୋଲି ବାର୍ତ୍ତା ଯିବ । ଏଭଳି ଦୋଛକିରେ ଏବେ ବିଜେପି ଠିଆ ହୋଇଛି । ନା ଆଗକୁ ଯାଇପାରୁଛି ନା ପଛକୁ ଫେରିପାରୁଛି । ନେତା ଖାଲି ଚିକ୍ରାର କରିଚାଲିଛନ୍ତି ।
ଏସଆଇଟି ସରକାରଙ୍କୁ ବଞ୍ଚାଇବାକୁ ଆଉ ମନ୍ତ୍ରୀ ଅରୁଣଙ୍କୁ ସୁରକ୍ଷା ଦେବାକୁ ଗପର ସାହାରା ନେଉଥିବା ବିଜେପି କହୁଥିବା ବେଳେ ଏଠି ପ୍ରଶ୍ନ ଉଠୁଛି, କଣ ପାଇଁ ବିଜେପି ପରୀ ପ୍ରସଙ୍ଗରେ କଣ୍ଟାବାଡରେ ଲୁଗା ପକାଇ କଳି କରୁଛି ? ସୈତାନ ନିଜେ ନିଜ ପାପର ସତ୍ୟପାଠ ପରେ ବି କଣ ପାଇଁ ରହୁଛି ଦ୍ବନ୍ଦ୍ବ ? କାହିଁକି ବୋଥ୍ରା ଥିଓରୀକୁ ବିଶ୍ୱାସ କରୁନି ବିଜେପି ? ଘଟଣାରେ ପାଣି ପାଣି କ୍ଷୀର କ୍ଷୀର ହେବାକୁ ଥିଲାବେଳେ ଏସଆଇଟି ଉପରେ କାହିଁକି ରହୁନି ଆଶା ? କଣ ପରୀ ପ୍ରସଙ୍ଗ ନେଇ ନୂଆବର୍ଷରେ ବି ବିଜେପି ରାଜନୀତି କରିବାକୁ ଚାହୁଁଛି ? ନା ବିଜେପିର ଆଉ କିଛି ଉଦେଶ୍ୟ ଅଛି ତାହା ସମୟ କହିବ … ।