ପାକିସ୍ତାନୀ ମହିଳାଙ୍କ ସହ କେମିତି ସଂପର୍କରେ ଆସିଥିଲେ?

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ଘଟଣାରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ତଥ୍ୟ ଲିକ୍ ଘଟଣାରେ ମିଳିଛି ହନି ଟ୍ରାପ୍ ଲିଙ୍କ୍। ୪ ଠିକା କର୍ମଚାରୀ ଗିରଫ ଘଟଣାରେ ଏହି ନୂଆ ତଥ୍ୟ ମିଳିଛି। ଏହି ୪ ଠିକା କର୍ମଚାରୀ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ସୂଚନା ମିଳିଛି। ଏହି ମହିଳା ଜଣକ ପାକିସ୍ତାନୀ ଏଜେଣ୍ଟ ବୋଲି ସୂଚନା ମିଳିଛି। କଲ ରେକର୍ଡରେ ମହିଳାଙ୍କ ସ୍ୱର ଥିବା ସୂଚନା ମିଳିଛି । ମହିଳାଙ୍କ ସହ ସମସ୍ତ ଅଭିଯୁକ୍ତଙ୍କ ସମ୍ପର୍କ ହୋଇଥିଲା । ଜଣକ ପରେ ଜଣେ ଏହି ମହିଳାଙ୍କ ସମ୍ପର୍କରେ ଆସିଥିଲେ ।
ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପ୍ରତ୍ୟେକ ଦିନର କାର୍ୟ୍ୟର ତଥ୍ୟ ପାଇବା ଲାଗି ବିଭିନ୍ନ ବାହାନାରେ ଟଙ୍କା ପଠାଉଥିବା ସୂଚନା ମିଳିଛି । ଅଭିଯୁକ୍ତମାନେ ପାକିସ୍ତାନୀ ମହିଳାଙ୍କ ସହ ଗିରଫ ନିୟମିତ ଯୋଗାଯୋଗରେ ଥିଲେ । ଅନ୍ତର୍ଜାତିକ କଲ ମାଧ୍ୟମରେ ତଥ୍ୟ ଆଦାନ ପ୍ରଦାନ ହେଉଥିଲା । ଯୁବତୀଙ୍କ ସହ ଟଙ୍କା ବଢାଇବା ଆଶାରେ ହନିଟ୍ରାପରେ ଫସିଯାଇଥିଲେ ଏହି ୪ ଠିକା କର୍ମଚାରୀ ।ଗିରଫ ୪ ଜଣ ହେଲେ-ବସନ୍ତ ବେହେରା, ହେମନ୍ତ କୁମାର ମିସ୍ତ୍ରୀ, ତାପସ ରଞ୍ଜନ ନାୟକ ଓ ଶେଖ ମୁସାଫିର୍। ଏହି ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଅଭିଯୁକ୍ତ ବସନ୍ତ ବେହେରା ଆଇଟିଆର୍‌ ୩ ନମ୍ବର ଲଞ୍ଚପ୍ୟାଡ୍ (ଯେଉଁଠି ଡିଆର୍‌ଡିଓ ଏକାଧିକ ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥା‌ଏ) ସେଠାରେ ଏସି ଅପରେଟର ଭାବେ କାମ କରୁଥିଲେ। ତାଙ୍କ ନିକଟକୁ ଅନ୍ତର୍ଜାତୀୟ କଲ୍ ଆସୁଥିବାବେଳେ ସେ ମଧ୍ୟ ବାହାର ରାଷ୍ଟ୍ରକୁ କଲ୍ କରୁଥିବା ଗୁଇନ୍ଦା ଟ୍ରାକିଂରୁ ଜଣାପଡ଼ିଛି। ବସନ୍ତଙ୍କ ସହ କାମ କରୁଥିବା ସ୍ଥାନୀୟ ଅଞ୍ଚଳର ଅନ୍ୟ ୩ ଜଣ ମଧ୍ୟ ବିଭିନ୍ନ ସମୟରେ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ବାହାର ଦେଶକୁ ଲିକ୍‌ କରୁଥିଲେ । ଏହି ୪ ଜଣଙ୍କ ପାଖକୁ ଭାରତ-ପାକ୍‌ ସୀମା ରାଜସ୍ଥାନ ନିକଟରୁ ବାରମ୍ବାର ଅନ୍ତର୍ଜାତୀୟ କଲ୍ ଆସିବା ଏବଂ ସେମାନେ ପାକିସ୍ତାନର ଗୁଇନ୍ଦା ଏଜେଣ୍ଟଙ୍କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଫୋନ୍ ମାଧ୍ୟମରେ ପ୍ରଦାନ କରୁଥିବାର ଭାରତୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ତଥ୍ୟପ୍ରମାଣ ପାଇବା ପରେ ଓଡ଼ିଶା ପୁଲିସ ଡିଜିଙ୍କୁ ଅବଗତ କରାଯାଇଥିଲା ।

Comments (0)
Add Comment