ରାଜ୍ୟରେ ଏବେ ପ୍ରତିଦିନ ନକଲି କାରଖାନା ଉପରେ ଚଢାଉ ଚାଲିଛି । ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ଠାବ ହୋଇଛି ନକଲି ପାଣି କାରଖାନା । ଅସଲି ବ୍ରାଣ୍ଡ ନାଁ ଥିବା ବୋତଲରେ ପାଣି ପୁରାଇ ବଜାରକୁ ଛଡାଯାଉଛି । ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀବିହାର ଦ୍ୱିତୀୟ ଗଳିରେ ଥିବା ଏକ ନକଲି ପାଣି କାରଖନା ଉପରେ ପୁଲିସ ଚଢଉ କରିଛି ।
କଟକରୁ ସମ୍ବଲପୁର, ରାଜଧାନୀରୁ ବ୍ରହ୍ମପୁର ସବୁଆଡେ ଚାଲିଛି ନକଲି ଖାଦ୍ୟ ସାମଗ୍ରୀ ପସ୍ତୁତି । କିଛି ଦିନ ପୁଲିସ ଧରପଗଡ଼ ପରେ ଏହା ସାମନାକୁ ଆସିଛି । ବ୍ରହ୍ମପୁର ନକଲି ହଳଦୀ, ଲଙ୍କାଗୁଣ୍ଡ, ସସ ପରେ ଏବେ ନକଲି ପାଣି ବି ଜବତ ହୋଇଯାଇଛି । ଯାହାକୁ ନେଇ ସାଧାରଣ ଲୋକ ଭୟଭୀତ ହୋଇପଡିଛନ୍ତି । ୩ଟି ଭିନ୍ନ ଭିନ୍ନ ବ୍ରାଣ୍ଡର ନାଁ ଦେଇ ଏଠାରେ ପାଣି ବୋତଲ ଚାଲଥିଲା । ପୁଲିସ ଏନେଇ ଖବର ପାଇବା ପରେ ଅତର୍କିତ ଚଢାଉ କରିଥିଲା । ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ କରାଯାଉଛି ।
ଫ୍ୟାକ୍ଟ୍ରି ଉପରେ ଚଢାଉ କରି ବିଭିନ୍ନ ନକଲି ସାମଗ୍ରୀ ପୁଲିସ ଜବତ କରିଛି । ବିଭାଗୀୟ ଅନୁମତି ନ ଥାଇ ପାଣି ପାଉଚ ଓ ପାଣି ବୋତଲ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ଆସିଥିଲା । କିଛି ଶ୍ରମିକଙ୍କୁ ସେଠାରେ ନିୟୋଜିତ କରି ପାଣି ବୋତଲ ପ୍ରସ୍ତୁତ କରାଯାଉଥିଲା। ବିଭିନ୍ନ ସ୍ଥାନରୁ ଖାଲି ପାଣି ବୋତଲ ଆଣି ସେଥିରେ ପାଣି ଭର୍ତ୍ତି କରାଯାଉଥିଲା। ଏହାପରେ ୩ଟି କମ୍ପାନିର ଷ୍ଟିକର୍ ଲଗାଇ ତାହା ମାତ୍ର ୧୦ଟଙ୍କାରେ ବଜାରକୁ ଛଡ଼ା ଯାଉଥିଲା।