ଅର୍ଥନୈତିକ ସର୍ଭେ ରିପୋର୍ଟ : ଓଡ଼ିଶାରେ କମିଲା ମୁଣ୍ଡ ପିଛା ଆୟ

ବଜେଟ ଉପସ୍ଥାପନ ହେବା ପୂର୍ବରୁ ଆସିଛି ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଜ୍ଝ ପ୍ରକାଶ ପାଇଲା ୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟ । ଗତ ବର୍ଷ ତୂଳନାରେ ରାଜ୍ୟରେ ମୁଣ୍ଡ ପିଛା ଆୟ କମିଥିବା ରିପୋର୍ଟରୁ ପ୍ରକାଶ । ଦେଶ ତୂଳନାରେ ଓଡିଶାର ମୁଣ୍ଡ ପିଛା ଆୟ ମଧ୍ୟ କମିଛି। କରୋନା ମାଡ଼ରେ ରାଜ୍ୟ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି।

୨୦୧୯-୨୦ରେ ରାଜ୍ୟରେ ମୁଣ୍ଡପିଛା ଆୟ ଥିଲା ୧ଲକ୍ଷ ୪ ହଜାର ୫୬୬ ଟଙ୍କା। ତେବେ ୨୦୨୦-୨୧ରେ ଏହା ୧ଲକ୍ଷ ୨ ହଜାର ୧୫୬ ଟଙ୍କାକୁ ହ୍ରାସ ପାଇଛି। ୨୦୨୦-୨୧ରେ ଦେଶର ମୁଣ୍ଡପିଛା ଆୟ ୧,୨୬,୯୬୮ ଟଙ୍କା ରହିବ ବୋଲି ଆକଳନ କରାଯାଇଥିବା ବେଳେ ଦେଶ ତୁଳନାରେ ଓଡ଼ିଶାର ମୁଣ୍ଡପିଛା ଆୟ ୨୪,୮୧୨ ଟଙ୍କା କମ ରହିଛି ଜ୍ଝ ସେହିପରି ଗତବର୍ଷ ତୁଳନାରେ ଜାତୀୟ ମୁଣ୍ଡପିଛା ଆୟ ହାରାହାରି ୫.୪୧ ପ୍ରତିଶତ କମ୍ ରହିବ ।

୨୦୧୨-୧୩ ରୁ ୨୦୧୯-୨୦ ମଧ୍ୟରେ ଓଡ଼ିଶାର ଅର୍ଥନୀତି ହାରାହାରି ବାର୍ଷିକ ୭.୧ ପ୍ରତିଶତ ହାରରେ ବୃଦ୍ଧି ପାଇଥିବା ବେଳେ ଜାତୀୟ ହାର ଥିଲା ୬.୬ ପ୍ରତିଶତ । ତେବେ କରୋନା ପ୍ରଭାବରେ ୨୦୨୦-୨୧ରେ ଦେଶର ଅଭିବୃଦ୍ଧି ହାର ଵିଯୁକ୍ତ ୭.୭ ପ୍ରତିଶତ ରହିବା ନେଇ ଆକଳନ କରାଯାଇଥିବା ବେଳେ ଓଡ଼ିଶା ଅର୍ଥନୀତିର ଅଭିବୃଦ୍ଧି ହାର ଵିଯୁକ୍ତ ୪.୯୨ ରହିବ। ଆଶ୍ବାସନାର ବିଷୟ ହେଲା, ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାରଠୁ ଭଲ ସ୍ଥିତିରେ ରହିବ।
କେବଳ ମୁଣ୍ଡ ପିଛା ଆୟ ନୁହେଁ କୃଷି କ୍ଷେତ୍ରରେ ମଧ୍ୟ ରାଜ୍ୟକୁ ଜୋରଦାର ଝଟକା ଲାଗିଛି। କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର କମିଛି। ଗତ ବର୍ଷ ଅଭିବୃଦ୍ଧି ହାର ୧୧.୯୨ ପ୍ରତିଶତ ଥିଲା। କିନ୍ତୁ ଏ ବର୍ଷ କରୋନା ମହାମାରୀ କାରଣରୁ ଅଭିବୃଦ୍ଧି ହାର ବିଯୁକ୍ତ ୬.୫୪ ପ୍ରତିଶତ ରହିଛି।

Comments (0)
Add Comment