ମହାନଦୀରେ ଜୀବନ-ମରଣ ସହ ସଂଘର୍ଷ କରୁଛି ହାତୀ । ହାତୀଟି ରାତି ଚାରିଟାରୁ ବ୍ରିଜତଳେ ସିମେଣ୍ଟ ଚଟାଣରେ ଅଟକି ରହିଛି । ମୁଣ୍ଡୁଳି ବ୍ୟାରେଜ୍ ନିକଟରେ ମହାନଦୀର ପ୍ରଖର ଜଳସ୍ରୋତରେ ଏକ ହାତୀପଲ ଭାସିଯାଇଥିବା ଖବର ମିଳିଛି । ନଦୀପାର ହେଉଥିବାବେଳେ ହାତୀପଲରେ ଥିବା ୭ଟି ହାତୀ ଭାସିଯାଇଥିବା ଜଣାପଡିଛି । ତେବେ ଗୋଟିଏ ଶିଶୁ ହାତୀ ମୁଣ୍ଡଳି ବ୍ରିଜ ନିକଟରେ ଲାଖି ରହି ବଞ୍ଚିବାକୁ ସଂଘର୍ଷ କରୁଛି ।
ଗୋଟିଏ ଶିଶୁ ହାତୀ ବ୍ୟାରେଜ ନିକଟରେ ଫସି ରହିଛି । ଘଟଣାସ୍ଥଳରେ ବନବିଭାଗ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ଏକ ରସିରେ ଟାୟାର ବାନ୍ଧି ହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି । ହାତୀକୁ ଖାଇବାକୁ ଦେବାକୁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । ଏପରିକି ମୁଣ୍ଡଳି ବ୍ରିଜ ଉପରୁ ଲୋକଙ୍କୁ ଖାଲି କରିଛି ପୋଲିସ । କିଭଳି ସୁରକ୍ଷିତ ଭାବେ ହାତୀଟି ଉଦ୍ଧାର ହୋଇପଡିବ ସେ ନେଇ ପ୍ରୟାସ ଜାରି ରହିଛି ।
ଫସିଥିବା ହାତୀକୁ ଉଦ୍ଧାର ପାଇଁ ଅଗ୍ନିଶମ ଓ ବନ ବିଭାଗ କର୍ମଚାରୀ ଉଦ୍ୟମ ଚଳାଇଛନ୍ତି। ଉଦ୍ଧାର ପାଇଁ ବିଶେଷଜ୍ଞ ଟିମ୍ ଓ ଅତ୍ୟାଧୁନିକ ସାମଗ୍ରୀ ମଗା ଯାଇଥିବା ଜଣାପଡ଼ିଛି।ଘଟଣାସ୍ଥଳରେ ଆଠଗଡ଼ ରେଞ୍ଜରଙ୍କ ସମେତ ଉଚ୍ଚପଦସ୍ତ ଅଧିକାରୀ ଉପସ୍ଥିତ ଅଛନ୍ତି। ମାତ୍ର ନଦୀରେ ପାଣିର ସ୍ରୋତ ପ୍ରଖର ଥିବାରୁ ହାତୀକୁ ଉଦ୍ଧାର କରିବା ଏକ ପ୍ରକାର ଚ୍ୟାଲେଞ୍ଜ ହୋଇ ଯାଇଛି ବୋଲି ଆଠଗଡ଼ ରେଞ୍ଜର ସୂଚନା ଦେଇଛନ୍ତି।