ନକଲିର ହବ୍ ପାଲଟିଛି କଟକ ସହର । ଗତ କିଛି ଦିନ ହେବ କଟକର କୌଣସି ନା କୌଣସି ସ୍ଥାନରେ ଖାଦ୍ୟ ସାମଗ୍ରୀର ନକଲି କାରଖାନା ଉପରେ ଚଢାଉ କରୁଛି ପୁଲିସ । ତେବେ ଏତେ ପରିମାଣର ନକଲି କାରଖାନା ଚାଲୁଥିବା ବେଳେ ପୁଲିସ ଆଗରୁ କେମିତି ଜାଣିପାରୁନଥିଲା ତାକୁ ନେଇ ମନରେ ପ୍ରଶ୍ନ ଉଠିଛି ।
ଆଜି କଟକର ଜଗତପୁର ଶିଳ୍ପାଚଂଳରେ ଥିବା ନକଲି ଘିଅ କାରଖାନା ଉପରେ ଚଢାଉ କରିଛି କମିସନରେଟ ପୁଲିସ । କାରଖାନାରୁ ପାଖାପାଖି କୋଟିଏ ଟଙ୍କାର ଅପମିଶ୍ରିତ ଘିଅ ଜବତ କରାଯାଇଛି । ଏହା ସହ ନକଲି ସସ୍ ମଧ୍ୟ ଜବତ କରାଯାଇଛି । ସୁବାଷ ଘିଅ ନାମରେ ଏହି କାରଖାନାରେ ଅଚାନକ ଆଜି ପୁଲିସ ଚଢାଉ କରିଛି । ବିଭିନ୍ନ ନାମୀଦାମୀ କମ୍ପାନୀର ଲୋଗୋ, ଯନ୍ତ୍ରାଂଶ ଓ ଘିଅ ପ୍ରସ୍ତୁତିରେ ମିଶୁଥିବା କେମିକାଲକୁ ଜବତ କରାଯିବା ସହ ୨ ଜଣଙ୍କୁ ପୁଲିସ ଅଟକ ରଖିଛି ।
ଲଗାତର ୩ ଦିନ ହେବ ୩ଟି ନକଲି ଘିଅ କାରଖାନା ଉପରେ ପୁଲିସ ଚଢାଉ କରିଛି । ଆଜିକୁ ମିଶାଇ ଗତ କିଛି ଦିନ ଭିତରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଥିବା ୧୬ଟି ନକଲି କାରଖାନା ଉପରେ ପୁଲିସ ଚଢାଉ କରିଛି । ବାରମ୍ବାର କଟକରୁ ଏଭଳି ଖାଦ୍ୟ ସାମଗ୍ରୀର ନକଲି କାରଖାନା ଠାବ ହେବା ପୁଲିସର ଚିନ୍ତା ବଢାଇଦେଇଛି ।