ହାଇଦର ଫେରାର ପଛରେ ପରିବାର!

ଗ୍ୟାଙ୍ଗଷ୍ଟର ହାଇଦର ଏସସିବିରୁ ଚମ୍ପଟ ମାରିବା ଘଟଣାକୁ ୩ ଦିନ ବିତିଛି । କିନ୍ତୁ ଏବେ ବି ପୁଲିସ ହାତ ଖାଲି । ତେବେ ହାଇଦର ଫେରାର ହେବା ପଛରେ ତାଙ୍କ ପରିବାର ଲୋକଙ୍କ ହାତ ଥିବା ସନ୍ଦେହ କରାଯାଉଛି । କାରଣ ହାଇଦର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କନଷ୍ଟେବଲ ମହମ୍ମଦ ମୌସିମ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ମହମ୍ମଦ୍ ମୌସିମ ଏକ ଲିଖିତ ଏତଲା ଥାନାରେ ଦାଏର କରିଛନ୍ତି । କନେଷ୍ଟବଳଙ୍କ ଏତଲା ମୁତାବକ ଫେରାର ହେବା ଦିନ ହାଇଦରଙ୍କୁ ତାଙ୍କ ପୁଅ ଓ ଜ୍ୱାଇଁ ଭେଟିବାକୁ ଆସିଥିଲେ । ତେଣୁ ହାଇଦର ଫେରାର ପଛରେ ତାର ପୁଅ ସମେତ ନିକଟ ସମ୍ପର୍କୀୟଙ୍କର ଷଡଯନ୍ତ୍ର ଥାଇପାରେ ।

ଗତ ୧୦ ତାରିଖରେ ହାଇଦର ଫେରାର ହେବା ପରେ ସେହି ଦିନ ରାତିରେ ଦିଆଯାଇଥିବା ଏତଲାରେ କନଷ୍ଟେବଲ ଜଣକ ଘଟଣା ସଂପର୍କରେ ଉଲ୍ଲେଖ କରିଛନ୍ତି । ଏତଲାରେ ଉଲ୍ଲେଖ ରହିଛି, ଫେରାର ଦିନ ହାଇଦରକୁ ଭେଟିବାକୁ ତାର ପରିବାର ଓ ସଂପର୍କୀୟ ମାନେ ଆସିଥିଲେ । ପୁଅ, ଭାଇ, ପୁତୁରା,ଶଳା ଓ ସାନ ଜ୍ବାଇଁ ସେଦିନ ଭେଟିବାକୁ ଆସିଥିଲେ । ଶନିବାର ଦିନ ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ କନଷ୍ଟେବଲ ମୌସିମ ପହରା ଡ୍ୟୁଟି କରୁଥିବାବେଳେ ଏହି ଲୋକମାନେ ସମସ୍ତେ ହାଇଦର ପାଖକୁ ଆସିବା ସହ ମୋ ଉପରକୁ କୌଣସି ଏକ ବିଷାକ୍ତ ପଦାର୍ଥ ପକାଇ ଅଚେତ କରି ଦେଇଥିବା ମୌସିମ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ହାଇଦରର ସହଯୋଗୀ କୁହାଯାଉଥିବା ୟାକୁବ୍ ଖାଁ ଆଜି କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି । କୁହାଯାଉଛି କି ୟାକୁବ୍ ଏସସିବି ଭିତରେ ହାଇଦରକୁ ଭେଟିବା ସହ ତାକୁ ବିରିୟାନୀ ଖାଇବାକୁ ଦେଇଥିଲା । ହେଲେ ସେ ହାଇଦର ଫେରାର ବାବଦରେ କିଛି ଜାଣିନାହିଁ ବୋଲି ପୋଲିସକୁ କହିଛି ।

Comments (0)
Add Comment