ମୋଦି ସରକାରଙ୍କ ପାଇଁ ବଢୁଛି ଅଡୁଆ । କୃଷି ଆଇନ ପ୍ରତ୍ୟାହାର ନେଇ ଚାଷୀଙ୍କ ଦାବି ମୋଦି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କେନ୍ଦ୍ର ସରକାରଙ୍କ ସହ ବାରମ୍ବାର ବୈଠକ ପରେ ବି କିଛି ନିଷ୍କର୍ସ ବାହାରିପାରୁନି । ଚାଷୀମାନେ ନିଜ ଜିଦରେ ଅଟଳ ରହିବା ସହ କୃଷି ଆଇନ ପ୍ରତ୍ୟାହାର ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଦିନ ବଢିବା ସହିତ ଆନ୍ଦୋଳନକାରୀଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ତେଣୁ ଚାଷୀଙ୍କ ଜିଦ ଆଗରେ ମୋଦି ସରକାର ମୁଣ୍ଡ ନୁଆଁଇବେ କି ତାହା ଏବେ ପ୍ରଶ୍ନ ଉଠୁଛି ।
ରାଷ୍ଟୀୟ ରାଜଧାନୀ ଦିଲ୍ଲୀରେ ୧୨ ଦିନ ଧରି କୃଷକ ମାନେ ଆନ୍ଦୋଳନ ଚଳାଇଛନ୍ତି । ହଜାର ହଜାର କୃଷକ ସଡ଼କକୁ କବଜା କରିନେଇଛନ୍ତି । ସଡ଼କ ଉପରେ ଦିନ ରାତି ଶୀତ କାକରକୁ ଖାତିର ନକରି ପଡିରହିଛନ୍ତି । ରାସ୍ତା ଉପରେ ଖାଉଛନ୍ତି,ଶୋଉଛନ୍ତି । କଂଗ୍ରେସ,ଆପ,ଅକାଳୀ ଦଳ ସହିତ ୩୫ରୁ ଅଧିକ ସଂଗଠନ ମଧ୍ୟ ଚାଷୀଙ୍କ ସହ ଯୋଡିହୋଇଛନ୍ତି । ଯାହା ଏବେ କେନ୍ଦ୍ର ସରକାର ମୁଣ୍ଡବିନ୍ଧାର କାରଣ ପାଲଟିଛି ।
କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହ ୫ ଥର ବୈଠକ ସତ୍ୱେ ସମାଧାନର ବାଟ ବାହାରୁନାହିଁ । ନୂଆ କୃଷି ଆଇନରେ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିବା ବେଳେ କୃଷକ ସଂଗଠନ କିନ୍ତୁ ଏଥିରେ ରାଜି ହୋଇନାହିଁ । ସଂଶୋଧନ ନୁହେଁ ନୂଆ କୃଷି ଆଇନ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଚାଷୀ ।
ସିଂଘୁ ବର୍ଡ଼ରରେ ଚାଷୀ ସଂଗଠନ ପକ୍ଷରୁ ଗୁରୁତ୍ୱପୁର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ କେନ୍ଦ୍ର ସରକାରଙ୍କୁ କଡ଼ା ସନ୍ଦେସ ଦେଇଥିଲେ ଚାଷୀ ।ଏପରକି ଚାଷୀଙ୍କ ପକ୍ଷରୁ କୁହାଯାଇଛି ନିଜ ଦାବିରେ ସେମାନେ ବୁଝାମଣା କରିବେନି । ଏହା ସହ ଚାଷୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ୟ୍ୟକ୍ରମ ଆମେ ଶୁଣୁ । ଏବେ ପ୍ରଧାନମନ୍ତ୍ରୀ ମୋଦୀ ଚାଷୀଙ୍କ ମନର କଥା ଶୁଣନ୍ତୁ । କୃଷି ଆଇନ ପ୍ରତ୍ୟାହର କର ନଚେତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ଚାଷୀ ।