ଦୋହଲିଗଲା ଦିଲ୍ଲୀ

୭୨ତମ ଗଣତନ୍ତ୍ର ଦିବସ ପରେଡ ଉପରେ ଯେମିତି ନଜର ରହିଥିଲା ସେମିତି ଚାଷୀଙ୍କ ଟ୍ରାକ୍ଟର ରାଲିର ରୂପରେଖ କଣ ହେବ ତା ଉପରେ ମଧ୍ୟ ରହିଥିଲା ସାରା ଦେଶର ନଜର । ମଙ୍ଗଳବାର ସକାଳେ ଆନ୍ଦୋଳନରତ କୃଷକ ସଂଗଠନର ଏକ ଗୋଷ୍ଠୀ ସିଙ୍ଘୁ ବର୍ଡରରେ ପୁଲିସ ବ୍ୟାରିକେଡ ଭାଙ୍ଗି ଶୋଭାଯାତ୍ରା ଆରମ୍ଭ କରିଥିଲେ । ପୁଲିସ୍‌ ସେମାନଙ୍କୁ ଅଟକାଇବାକୁ ଗଲାବେଳେ ଏଇଠାରୁ ହିଁ ପୁଲିସ୍‌ ସହ ସେମାନଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା। ବିଭିନ୍ନ ସ୍ଥାନରେ ପୋଲିସ ଓ ଆନ୍ଦୋଳନକାରୀ ସଂଘର୍ଷରେ ୧୯ ଜଣ ଆହତ ହୋଇଥିବା ବେଳେ ଟ୍ରାକ୍ଟର ଓଲଟିପଡିବାରୁ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି ।

ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଦିଲ୍ଲୀ ପୁଲିସ ବିଭିନ୍ନ ସ୍ଥାନରେ ବ୍ୟାରିକେଡ଼ କରିଥିଲେ । ଶାନ୍ତିପୂର୍ଣ୍ଣ ରାଲିର ଅନୁମତି ନେଇ ବାହାରିଥିବା ଟ୍ରାକ୍ଟର ରାଲି ସେତେବେଳ ହିଂସାତ୍ମକ ରୂପ ନେଇଥିଲା ,ଯେତେବେଳେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଯାଇଥିବା ଖବର ସାମନାକୁ ଆସିଲା ।ଦଳ ଦଳ ହୋଇ ଚାଷୀ ରାସ୍ତା ଉପରକୁ ଓହ୍ଲାଇ ଆସିଲେ । ଏମିତିକି କିଛି ଲୋକଙ୍କ ହାତରେ ଖଣ୍ଡା ମଧ୍ୟ ଥିଲା । ଦିଲ୍ଲୀର ଏକାଧିକ ସ୍ଥାନରେ ପୋଲିସ-ଆନ୍ଦୋଳନକାରୀ କୃଷକ ମୁହାଁମୁହିଁ ହୋଇଛନ୍ତି । ଚାଷୀଙ୍କ ଉପରକୁ ପୁଲିସ ଲାଡିମାଡ଼ କରିଥିବା ବେଳେ ପୁଲିସ ଉପରକ ମଧ୍ୟ ଆନ୍ଦୋଳନକାରୀ ପଥର ଫିଙ୍ଗିଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଯାଇ ପୋଲିସ ଲୁହ ବୁହା ଗ୍ୟାସ ସହ ପାଣି ମାଡ଼ କରିଥିଲା ।

କୃଷକମାନେ ପରେଡ ଆରମ୍ଭ ହେବାର କିଛି ଘଣ୍ଟା ପରେ ୨୦ରୁ ଅଧିକ ଟ୍ରାକ୍ଟର ସହ ଐତିହାସିକ ଲାଲକିଲ୍ଲା ଦୁର୍ଗ ମଧ୍ୟକୁ ପ୍ରବେଶ କରିଥିଲେ। ସେମାନେ ଜାତୀୟ ପତାକା ଦେଖାଇ ଟ୍ରାକ୍ଟର ଚଳାଉଥିବା ବେଳେ କେତେଜଣ ବିକ୍ଷୋଭକାରୀ ଲାଲକିଲ୍ଲାରେ ଚଢ଼ି ବିଭିନ୍ନ ସ୍ଲୋଗାନ ଦେଉଥିବାର ଦେଖାଯାଇଥିଲା ।

ଆନ୍ଦୋଳନକୁ ଦେଖି ଦିଲ୍ଲୀର ଏକାଧିକ ମେଟ୍ରୋ ଷ୍ଟେସନକୁ ବନ୍ଦ କରି ଦିଆଯାଇଛି । କନ୍ନଟ ପ୍ୟାଲେସ୍ ମାର୍କେଟ ବି ବନ୍ଦ ରହିଛି । ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦେଖି ଦିଲ୍ଲୀ-ଏନସିଆରର କେତେକ ସ୍ଥାନରେ ୧୨ ଘଣ୍ଟା ଲାଗି ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି । ସରକାର ଏହି ତିନିଗୋଟି ଆଇନକୁ ଐତିହାସିକ କହିବା ସହ ଚାଷୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଆଇନରେ ସଂଶୋଧନ ସହ ୧୮ ମାସ ପାଇଁ ଆଇନ୍ କାର୍ୟ୍ୟକାରୀତା ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି । ୩ ଆଇନ୍ ପ୍ରତ୍ୟାହାର ଦାବିରେ ଅଡ଼ି ବସିଛନ୍ତି କୃଷକ ।

Comments (0)
Add Comment