କେନ୍ଦ୍ର ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ଅଷ୍ଟମ ଥର ପାଇଁ ମଧ୍ୟ ବିଫଳ ହେଲା ବୈଠକ । ଆଜିର ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନି । ଆସନ୍ତା ବୈଠକ ଜାନୁଆରୀ ୧୫ରେ ବସିବ । ଆଜିର ବୈଠକରେ କୌଣସି ଫଳାଫଳ ବାହାରିନଥିବା କହିଛନ୍ତି କୃଷିମନ୍ତ୍ରୀ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନ ଅଟଳ ରହିଥିବା ବେଳେ, ଆଇନ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ସିଧା ସିଧା କହିଛନ୍ତି କେନ୍ଦ୍ର ସରକାର ।
ନୂଆ କୃଷି ଆଇନକୁ କୌଣସି ପରିସ୍ଥିତିରେ ମଧ୍ୟ ପ୍ରତ୍ୟାହାର କରିବା ପାଇଁ ମନା କରିଦେଇଛନ୍ତି କେନ୍ଦ୍ର ସରକାର । ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ପିୟୁଷ ଗୋୟଲ ଉପସ୍ଥିତ ଥିଲେ । ଚାଷୀମାନଙ୍କ ସହ ଆଲୋଚନା କାଳରେ କୃଷି ମନ୍ତ୍ରୀ କହିଛନ୍ତି, ଏହି ଆଇନ ସାରା ଦେଶ ପାଇଁ ଲାଗୁ ହୋଇଛି ନା କି ନିର୍ଦ୍ଧିଷ୍ଟ କେଉଁ ରାଜ୍ୟ ପାଇଁ । ଦେଶର ଚାଷୀମାନେ ଏହି ନୂଆ ଆଇନକୁ ଭରପୁର ସମର୍ଥନ କରୁଛନ୍ତି ।ବୈଠକ ଆରମ୍ଭରୁ ହିଁ ନିଜର ପୂର୍ବ ଦାବିକୁ ଦୋହରାଇଥିଲେ କୃଷକ ସଙ୍ଗଠନ। ସଂଶୋଧନ ନୁହେଁ, ନୂତନ କୃଷି ଆଇନ ପ୍ରତ୍ୟାହାର କରାଯାଉ ବୋଲି କୃଷକ ସଂଗଠନ ଦାବି କରିଥିଲେ। ହେଲେ ପୂର୍ବ ଭଳି କୃଷକଙ୍କ ଏହି ପ୍ରସ୍ତାବରେ ରାଜି ହୋଇନାହାନ୍ତି ସରକାର।
ସମାଧାନର ବାଟ ବାହାରିବ ବୋଲି ଦେଶବାସୀ ଆଶା କରୁଥିବା ବେଳେ ବୈଠକ ପୂର୍ବରୁ ଚାଷୀମାନେ ନିଜର କଡ଼ା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ନୂଆ କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ସେମାନେ ରାସ୍ତାରୁ ହଟିବେ ନାହିଁ ବୋଲି କହିସାରିଛନ୍ତି। ପ୍ରବଳ ଥଣ୍ଡା ଓ ବର୍ଷା ସହି ସିଙ୍ଘୁ ସୀମା ଓ ଗାଜିପୁର ସୀମାରେ ହଜାର ହଜାର ଚାଷୀ ପ୍ରତିକୁଳ ପରିସ୍ଥିତିରେ ଆନ୍ଦୋଳନ ଜାରି ରଖିଛନ୍ତି ।ତେବେ ଆଗାମୀ ଦିନରେ ଚାଷୀମାନଙ୍କା ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । କାରଣ କେନ୍ଦ୍ର ସରକାରଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।