ମଣିଷ କଣ ଏତେ ନୃଶଂସ ହୋଇପାରେ? ରାଗ ବେଳେ ନିଜ ଛୁଆଙ୍କୁ ବି ଆକ୍ରମଣ କରିବାକୁ ପଛାଏ ନାହିଁ? ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଯୌତୁକବାହାଲ ଗାଁରେ। ନିଜ ଛୋଟ ଛୋଟ ୪ ଛ୍ରୁଆଙ୍କ ତଂଟି କାଟି ହତ୍ୟା ଉଦ୍ୟମ କରିଛି ବାପା । ଗୋଟିଏ ଝିଅକୁ ହାଣି ମାରି ଦେଇଥିବା ବେଳେ ଆଉ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଗଡ଼ପୋଷ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବାପାର ବିଭତ୍ସ କାଣ୍ଡ। ଯୌତୁକବାହାଲ ଗାଁର ସୁଖୁ ଓରାମ ଆଜି ସକାଳୁ ତାର ସ୍ତ୍ରୀ ଓ ୪ ନାବାଳିକା ଝିଅଙ୍କ ଫାର୍ସାରେ ତଂଟି କାଟି ହତ୍ୟା ଉଦ୍ୟମ କରିଥିଲା । ଘଟଣାସ୍ଥଳରେ ସାଢ଼େ ୩ ବର୍ଷର ଝିଅର ମୃତ୍ୟୁ ଘଟିଥିବା ବେଳେ ୨, ୫ ଓ ୧୨ ବର୍ଷର ଅନ୍ୟ ତିନି ଝିଅଙ୍କ ଅବସ୍ଥା ଗୁରୁତର ରହିଛି। ପତ୍ନୀ ବି ଆହତ ହୋଇଛନ୍ତି। ପତ୍ନୀ ଓ ଛୁଆଙ୍କୁ ଆକ୍ରମଣ କରିବା ପରେ ସୁଖୁ ନିଜ ବେକକୁ ଫାର୍ସାରେ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ତିନି ଝିଅଙ୍କ ସହିତ ଏହି ଦୁଇ ଜଣ ବି ଗଡ଼ପୋଷ ଗୋଷ୍ଠୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ତେବେ ଅଭିଯୁକ୍ତ ସୁଖୁ କଣ ପାଇଁ ଏସବୁ ଘଟାଇଲା , ଏହା ପଛର କାରଣ କଣ ତାହା ଜଣାପଡିନାହିଁ । ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ହସ୍ପିଟାଲରେ ସମସ୍ତଙ୍କ ଚିକିତ୍ସା ଚାଲିଛି ।