ପୁଅ ଏମିତି କି ଚାକିରୀ କରିଥିଲା କି?

ଜଙ୍ଗଲ ବାବୁଙ୍କ ଟଙ୍କା ଗଛର କାରନାମା ହୁଲସ୍ତୁଲ କରି ପକାଇଲାଣି । ଦିନରାତି ଏକ କରି ୧୫୦ରୁ ଅଧିକ ଭିଜିଲାନସ କର୍ମଚାରୀ ସମ୍ପତ୍ତି ତାଲିକା ତିଆରି କରିବାରେ ବ୍ୟସ୍ତ । କେଉଁଠି ସାରିବେ ଥଳକୁଳ ମିଳୁନି କାରଣ ଯୁଆଡେ ହାତ ବଢାଇଲା ବେଳେ ଟଙ୍କା ଗଛର ସଂକେତ ମିଳୁଛି । ସଂପର୍କୀୟ ଘରୁ ରାଜ୍ୟ ବାହାର ଯାଏଁ ସୁନା ଆଉ ବିଣ୍ଡିଲ ବିଣ୍ଡିଲ ଟଙ୍କା ହିଁ ଦେଖାଯାଉଛି । ହେଲେ ଏତେ ଟଙ୍କା କୁଆଡୁ ଆସିଲା ତାକୁ ନେଇ ଯେତେବେଳେ ପ୍ରଶ୍ନ ଉଠିଲା ସେତେବେଳେ ନିଲମ୍ବିତ ଅଧିକାରୀ କହୁଛନ୍ତି, ପୁଅର ମାସିକ ଦରମା କୋଟିଏ ଟଙ୍କା ।

ମାସକୁ ଦରମା କୋଟିଏ ଅର୍ଥାତ୍ ବର୍ଷକୁ ୧୨ କୋଟି । ଆଛା ପୁଅ ଏମିତି କଣ କରୁଥିଲା ଯେ ବର୍ଷକୁ ୧୨ କୋଟି ଟଙ୍କା ରୋଜଗାର କରୁଥିଲା? କରୋନା ସମୟରେ ଯେତେବେଳେ ଦରମା କାଟ୍ ହେଉଛି, ଲୋକ ଚାକିରୀ ହରାଉଛନ୍ତି, ନିଯୁକ୍ତିର ନୁଆ ସୁଯୋଗ ମିଳୁନାହିଁ, ଠିକ ସେତିକିବେଳେ ଏମିତି ଚାକିରୀ ଆପଣଙ୍କୁ ମାଲେମାଲ କରିଦେବ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଯେଉଁ ଚାକିରୀକୁ ଇଙ୍ଗିତ କରି ବାପା ିଜ ପୁଅକୁ ଖସାଇବାକୁ ଚାହୁଁଛନ୍ତି ତାହା ହେଲା ଠକେଇର ଚାକିରୀ ।

କିଛି ଦିନ ଆଗରୁ ଟାଟା ତରଫରୁ ଆକାଶ ପାଠକଙ୍କ ନାଁରେ ଏକ ଏଫଆଇଆର ରୁଜ୍ଜୁ କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା ନିଜକୁ ଟାଟା ପାସେଂଜର ଡିଭିଜନର ଏମଡି ଦର୍ଶାଇ ଆକାଶ ପାଠକ ନାମକ ଜଣେ ବ୍ୟକ୍ତି ଠକେଇ କରିବା ସହ ଚଂଚକତା ମଧ୍ୟ କରିଛନ୍ତି । ଏପରିକି ଲୋକଙ୍କ ଅର୍ଥ ତୋଷାରପାତର ମଧ୍ୟ ଅଭିଯୋଗ ଆଣିଥିଲା ଟାଟା । ସଫାସଫା କହିବାକୁ ଗଲେ ଆକାଶ କେବେ ମଧ୍ୟ ଟାଟାର ଜଣେ କମଚାରୀ ନଥିଲେ । ମାସକୁ ଟଙ୍କାଟିଏ ମଧ୍ୟ ସେ ଟାଟା ତରଫରୁ ପାଉନଥିଲେ । ହେଲେ ନିଜତ ଥାଟ୍ ସେ କିଛି ଏମିତି ମାତ୍ରାରେ ଜମାଇଥିଲେ ଯେ ଦେଖିଲା ଲୋକ ଅବିଶ୍ୱାସ ହିଁ କରିପାରିବନି ।

ତେଣୁ ଅଭୟ ପାଠକ ରଖିଥିବା ଯୁକ୍ତି କେତେ ଦୁର ଗ୍ରହଣୀୟ ତାହା ସମୟ କହିବ, ହେଲେ ବନୀକରଣ ନାଁରେ ଆସୁଥିବା କୋଟି କୋଟି ଟଙ୍କା ଯେ ଲୁଟି ଦିଆଯାଇଥିଲା ଏଥିରେ କୈାଣସି ସନ୍ଦେହ ନାହିଁ । ରାଜ୍ୟ ତଥା ରାଜ୍ୟ ବାହାରେ ରାଜକୀୟ ଜୀବନ ବଂଚିଥିବା ଏହି ବାପା ପୁଅଙ୍କ ସହ ଆଉ କାହାର ହାତ ଅଛି? କାରସାଦିରେ ଆଉ କିଏ ସଂପୃକ୍ତ ଏହାର ଖୁଲାସା ହେବା ନିହାତି ଦରକାର । ଜଣେ ଆଇଏଫଏସ ଅଫିସର ବର୍ଷ ବର୍ଷ ଧରି କରିଥିବା ଲୁଟରେ କାହାର କେତେ ପ୍ରତିଶତ ସାମିଲ ଅଛି ତାକୁ ମଧ୍ୟ ଭିଜିଲାନସ ନିଜ ତଦନ୍ତ ପରିଧି ଭିତରକୁ ଆଣିବା ଦରକାର । କାରଣ ନେତାଙ୍କ ବିନା ସହାୟତାରେ ଏତେ ବଡ ଦୁର୍ନୀତି କରିବା କେବେ ମଧ୍ୟ ସମ୍ଭବ ନୁହେଁ ।

Comments (0)
Add Comment