ରାଜଧାନୀରେ ଗହଣା ଦୋକାନୀଙ୍କୁ ଗୁଳି । । ରାତି ଅଧରେ ବ୍ୟବସାୟ ସାରି ଘରମୁହାଁ ହେଉଥିବା ବ୍ୟବସାୟୀଙ୍କୁ ଟାର୍ଗେଟ କରୁଛନ୍ତି ଲୁଟେରା। ସାମନ୍ତରାପୁର ଛକରେ ହୋଇଛି ଗୁଳିମାଡ଼ । ଦେବୀ ଦୁର୍ଗା ଜୁଏଲାରୀ ମାଲିକ ଓ କାରିଗର ଲୁଟ୍ର ଶିକାର ହୋଇଥିବା ବେଳେ କାରିଗର ରାଜେନ୍ଦ୍ର ସାହୁଙ୍କ ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଅଳ୍ପକେ ବର୍ତ୍ତିଛନ୍ତି ସୁନା ଦୋକାନ ମାଲିକ ପ୍ରଶାନ୍ତ କୁମାର ସାହୁ । ସ୍ଥାନୀୟ ଲୋକ ଆସିବାରୁ ଦୋକାନ ଲୁଟିବା ଯୋଜନା ଫେଲ୍ ମାରିଛି ।
ଶ୍ରୀଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବେ ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ତଢାଉ କରିଛି । ରାଜଧାନୀରେ କିଛି ଦିନ ହେବ ଗହଣା ଦୋକାନ ଉପରକୁ ଟାର୍ଗେଟ କରିଛନ୍ତି ଲୁଟେରା । ନିକଟରେ ଜାଁଆଳାରେ ଥିବା ସ୍ୱାତୀ ଜୁଏଲର୍ସର ଉପରକୁ ଲୁଟେରା ଗୁଳି କରି ଲୁଟ ଉଦ୍ୟମ କରିଥିଲେ । ଏହି ମାମଲାରେ କମିଶନରେଟ ପୋଲିସର ହାତ ଖାଲି ରହିଛି ।
କାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବେଳେ କଳାପଲସରରେ ୩ଜଣ ଲୁଟେରା ଆସି ୩ରାଉଣ୍ଡ ଗୁଳି ଚଲାଇଥିଲେ । ସୁନା ଦୋକାନ କର୍ମଚାରୀଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ମାଲିକ ପ୍ରଶାନ୍ତଙ୍କ ଗୋଡ଼ରେ ଘସି ହୋଇ ଗୁଳି ଖସିଯାଇଛି । ଲିଙ୍ଗରାଜ ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ସିସିଟିଭି ଫୁଟେଜ୍ ଆଧାରରେ ଚାଲିଛି ଛାନବିନ୍ ।