ଆଜି ପଂଚାୟତ ନିର୍ବାଚନର ପ୍ରଥମ ପର୍ୟ୍ୟାୟ ପାଇଁ ମତଦାନ ଆରମ୍ଭ । ୩୦ଟି ଜିଲ୍ଲାର ୧ ହଜାର ୬୬୯ ଗ୍ରାମପଂଚାୟତରେ ପ୍ରଥମ ପର୍ୟ୍ୟାୟ ଭୋଟ, ଯେଉଁଥିରେ ପ୍ରାୟ ୬୮ ଲକ୍ଷ ଲୋକ ଭୋଟ ଦେବେ । ୨ଶହ ଜିଲ୍ଲାପରିଷଦ ସଭ୍ୟ ପାଇଁ ୭୨୬ ଜଣ ପ୍ରାର୍ଥୀ ଏଥର ପ୍ରତିଦ୍ୱନ୍ଦିତା କରୁଛନ୍ତି । କୋଭିଡ୍ କଟକଣା ଭିତରେ ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଭୋଟ୍ ଗ୍ରହଣ ହେବ ।
ଆଜି ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ମୋଟ୍ ୮୫୩ଟି ଜିଲ୍ଲା ପରିଷଦ ଜୋନ୍ ଭିତରୁ ୨୦୦ଟିରେ ଭୋଟ୍ ଗ୍ରହଣ କରାଯାଉଛି। ୨୦୦ଟି ଜିଲ୍ଲା ପରିଷଦ ସଭ୍ୟ ଆସନ ସମେତ ୧୬୬୯ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ସେହିପରି ୨୨,୩୭୯ଟି ଓ୍ୱାର୍ଡ ସଭ୍ୟ ପାଇଁ ବି ମତଦାନ ଚାଲିଛି। ଆଜି ୬୭ ଲକ୍ଷ ୫୧ ହଜାର ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।ପ୍ରଥମ ପର୍ୟ୍ୟାୟ ନିର୍ବାଚନରେ ଭୋଟ୍ ଗ୍ରହଣ ପାଇଁ ମୋଟ ୨୨,୩୭୯ଟି ବୁଥ୍ର ବ୍ୟବସ୍ଥା ହୋଇଛି। ଏଥିରୁ ୩୩୫୭ଟି ବୁଥ୍ ଉତ୍ତେଜନାପ୍ରବଣ। ଶାନ୍ତଶୃଙ୍ଖଳାର ସହ ଭୋଟ୍ ଗ୍ରହଣ ନିମନ୍ତେ ମୋଟ ୨୨୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ମୋଟ୍ ୫ଟି ପର୍ୟ୍ୟାୟରେ ଭୋଟିଂ ହେବ । ଫେବ୍ରୁଆରୀ ୧୮ରେ ଦ୍ୱିତୀୟ, ୨୦ରେ ତୃତୀୟ, ୨୨ରେ ଚତୁର୍ଥ ଓ ୨୪ ତାରିଖରେ ପଂଚମ ପର୍ୟ୍ୟାୟ ନିର୍ବାଚନ ହେବ । ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ୍ ଗଣତି କରାଯିବ । ସବୁ ପର୍ୟ୍ୟାୟ ନିର୍ବାଚନ ଶେଷ ହେବା ପରେ ବ୍ଲକ ସ୍ତରେ ଭୋଟ୍ ଗଣତି କରାଯିବ ।