ବିଶ୍ୱରେ ‘ଓମିକ୍ରନ’ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଓମିକ୍ରନ ଯୋଗୁଁ ଅନେକ ଦେଶରେ ଅର୍ଥ ବ୍ୟବସ୍ଥା ପ୍ରଭାବିତ ହେଉଛି । ବିମାନ ଯାତ୍ରା ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ଗତ ଶୁକ୍ରବାରରୁ ସାରା ବିଶ୍ୱରେ ୧୧ ହଜାର ୫୦୦ ବିମାନ ଉଡାଣ ବାତିଲ କରିଦିଆଯାଇଛି । ବିମାନ ଉଡାଣ ବାତିଲ ହେବା କାରଣରୁ ଛୁଟିରେ ଘରକୁ ଫେରିବାକୁ ଥିବା ଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।
ଅନେକ ଏୟାର ଲାଇନ୍ସ କହିଛନ୍ତି ଯେ, ଓମିକ୍ରନ ବ୍ୟାପିବା ଯୋଗୁଁ କର୍ମଚାରୀଙ୍କ ମଧ୍ୟ ଅଭାବ ଦେଖାଦେଇଛି । ଫ୍ଲାଇଟ ଟ୍ରାକର ଫ୍ଲାଇଟ ଆୱାର ଅନୁଯାୟୀ, ସୋମବାର ଦିନରେ ବିଶ୍ୱରେ ପ୍ରାୟ ୩ ହଜାର ବିମାନ ବାତିଲ କରାଯାଇଛି । ଏବଂ ମଙ୍ଗଳବାର ଦିନ ୧୧୦୦ ବିମାନ ଉଡାଣ ରଦ୍ଦ କରାଯାଇଛି ।
ଦେଶରେ ଦ୍ରୁତ ଗତିରେ ବଢୁଛି ଓମିକ୍ରନ୍ ସଂକ୍ରମଣ ମାମଲା । ଦିନକରେ ରେକର୍ଡ ୧୩୫ ଆକ୍ରାନ୍ତ ସହ ମୋଟ୍ ସଂଖ୍ୟା ୬୦୦ ପାର କରିଛି । ୨୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ କରୋନାର ଏହି ନୂଆ ଭାରିଆଂଟ ଚିହ୍ନଟ ହୋଇ ସାରିଲାଣି । ରାଜଧାନୀ ଦିଲ୍ଲୀରେ ଗତକାଲି ଗୋଟିଏ ଦିନରେ ରେକର୍ଡ ୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ମୋଟ୍ ଓମିକ୍ରନ୍ ମାମଲା ୧୪୨ରେ ପହଂଚିଛି ।ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୭୧ ଓମିକ୍ରନ୍ କେସ୍ ଆସିଥିବା ବେଳେ କେବଳ ଦିଲ୍ଲୀ ଓ ମହାରାଷ୍ଟ୍ରରୁ ୪୬ ପ୍ରତିଶତ ଚିହ୍ନଟ ହୋଇଛନ୍ତି । ତୃତୀୟ ସର୍ବାଧିକ ପ୍ରଭାବିତ ରାଜ୍ୟରେ ଭାଗେ ଗୁଜରାଟରୁ ୭୩ ଓ ଏହା ତଳକୁ କେରଳରୁ ୫୭ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଗୋଆ ଓ ମଣିପୁରରୁ ପ୍ରଥମ ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି ।