କେନ୍ଦୁଝର: ବନ୍ୟା ଉଜାଡିଦେଲା ଫସଲ

ବାତ୍ୟା ‘ୟାସ’ ଚାଲିଗଲା ହେଲେ ଦେଇଗଲା ଦୁଃଖ । ବାତ୍ୟା ପରେ ବନ୍ୟା ଯୋଗୁ ବଢିଯାଇଛି ଚାଷୀଙ୍କ ଦୁର୍ଦ୍ଦଶା । ଦୋହଲିଯାଇଛି ଚାଷୀଙ୍କ ମେରୁଦଣ୍ଡ । ନଦୀକୂଳିଆ ଅଂଚଳବାସୀ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଚାଷ ଜମିରେ ହସୁଥିବା ସୁନାର ଫସଲ ମାଟିରେ ମିଶିଯାଇଛି । ଧାର କରଜ କରି ଚାଷୀ କରିଥିବା ଫସଲ ମାଟିରେ ମିଶିଯିବା ପରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।

ଯାଜପୁର,କେନ୍ଦ୍ରାପଡା,ବାଲେଶ୍ୱରରୁ ପୂର୍ବରୁ ଏଭଳି କ୍ଷୟକ୍ଷତିର ଖବର ଆସିଥିବା ବେଳେ କେନ୍ଦୁଝର ହାଟଡିହିରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ବନ୍ୟା ଯୋଗଁ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ଚାଷୀ କୂଳ । ବୈତରଣୀ ନଦୀ କୂଳରେ ଚାଷ କରିଥିବା ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ ହୋଇଛି ।ଆଇତିପୁର ପଂଚାୟତର ରାଘବପୁର ଗାଁର ଶତାଧିକ ଚାଷୀ ବିଭିନ୍ନ ପ୍ରକାର ପରିବା ଚାଷ କରିଥିବା ବେଳେ ପରିବା ଫସଲ ନଷ୍ଟ ହୋଇଛି ।ବୈତରଣୀ ନଦୀ କୂଳରେ ବାଇଗଣ, ଭେଣ୍ଡି, ପୋଟଳ କଲରା ଆଦି ପରିବା ଚାଷ କରିଥିଲେ ଚାଷୀ । ହେଲେ ଅଚାନକ ବନ୍ୟା ଆସିବା ଦ୍ୱାରା ଏହି ଜମିରେ ପାଣି ପଶିଯିବାରୁ ଏବେ ପରିବା ଜମିରେ ପଟୁ ମାଡ଼ି ଯାଇଛି । ଚାଷୀଙ୍କ ବିଲରେ ବାଲିଚର ମାଡ଼ି ଯାଇଥିବାରୁ ସରକାରୀ ସହାୟତାକୁ ଅନାଇ ବସିଛି ଚାଷୀ ।

ଯାଜପୁର ଜିଳ୍ଲାରେ ମଧ୍ୟ ବାତ୍ୟା ଓ ବନ୍ୟାରେ ଶହ ଶହ ଏକର ଚାଷ ଜମିରେ ନଷ୍ଟ ହୋଇଛି ପନିପରିବା ଓ ଧାନ । ସବୁ କିଛି ଉଜୁଡିଯାଇଛି ବାତ୍ୟା ଓ ବନ୍ୟାରେ । ଖାଲି ପନିପରିବା ନୁହେଁ ଡାଳୁଅ ଧାନ ବି ମାଟିରେ ମିଶିଯାଇଛି । ଚାଷୀ ମାନେ ଧାର କରଜ କରି କରିଥିବା ଫସଲ ଉଜୁଡଯିବା ପରେ ଏବେ କ୍ଷତିପୂରଣ ଆଶାରେ ପଡିରହିଛନ୍ତି ।

Comments (0)
Add Comment