କାହିଁକି ଆସିଲେନି ଅପରାଜିତା?

ଲୋକସଭାରେ ଖୁବ ହଙ୍ଗାମା କରିଥିଲେ । ରାଜ୍ୟରେ ନାରୀ ଅସୁରକ୍ଷିତ ଥିବା ପ୍ରସଙ୍ଗ ଉଠାଇଥିଲେ । ବଢୁଥିବା ନାରୀ ନିର୍ଯ୍ୟାତନାର ତଥ୍ୟ ରଖି ସଂସଦରେ ରାଜ୍ୟ ସରକାରଙ୍କ ଅପାରଗତାକୁ ସାରା ଦେଶ ସାମ୍ନାରେ ରଖିଥିଲେ । ହେଲେ ଶେଷରେ ଯେତେବେଳେ ନୟାଗଡର ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ତାର ସବୁଠାରୁ ବଡ ଲଢେଇକୁ ଓହ୍ଲାଇଛି ସେଥିରୁ ନିଜକୁ ଦୂରେଇ ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଯାହା ବେଶ ଆଶ୍ଚର୍ଯ୍ୟକର ଏବଂ ଚମକପ୍ରଦ ମଧ୍ୟ । କାହିଁକି ପରୀକୁ ନ୍ୟାୟ ଦେବା ପାଇଁ ହେଉଥିବା ପଦଯାତ୍ରାରେ ସାମିଲ ହେଲେ ନାହିଁ ସାଂସଦ?

ବିଜେପିରେ ସାମିଲ ହେବା ଦିନଠାରୁ ନିଜର ଏକ ସମାନ୍ତରାଳ ସଂଗଠନ ଗଢି ଅପରାଜିତା ଆଗକୁ ବଢୁଥିବା ଚର୍ଚ୍ଚା ହେଉଛି । ଖୁବ କମ୍ ସମୟ ସେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଆନ୍ତି । ଅତି ଆବଶ୍ୟକ ନପଡିଲେ ସେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି ନାହିଁ । ଏପରିକି ଦଳୀୟ ନେତା ଏବଂ ରାଜ୍ୟ ସଭାପତିଙ୍କ ସହ ତାଙ୍କର ଭଲ ସଂପର୍କ ନଥିବା ଚର୍ଚ୍ଚା ହୁଏ । ରାଜନୈତିକ ଦୃଷ୍ଟିରୁ ଦଳ ପାଇଁ ଏହା ବିପଦଜନକ । ହେଲେ ସମସ୍ତଙ୍କ ସହ ମିଶି କାର୍ଯ୍ୟ କରିବା ବଦଳରେ ଅପରାଜିତା ଷଡଙ୍ଗୀ ଏକାକୀ ଚାଲିବାକୁ ବେଶ ପସନ୍ଦ କରିଥାନ୍ତି ।

ବଡ କଥା ହେଉଛି ଯେଉଁ ସମୟରେ ବିଜେପି ପଦଯାତ୍ରା କରି ନୟାଗଡ ଯଦୁପୁର ଅଭିମୁଖେ ବାହାରିଛି ଠିକ ସେହିଦିନ ଅପରାଜିତା ଷଡଙ୍ଗୀ ଯାଜପୁର ଗସ୍ତରେ ଯାଇଥିଲେ । ଏହା ପୂର୍ବ ନିର୍ଦ୍ଧାରିତ ଥିଲା ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି ତାହା ତ ସମୟ କହିବ, ହେଲେ ପରୀ ପ୍ରସଙ୍ଗରୁ ଆରମ୍ଭରୁ ନିଜକୁ ବେଶ ସତର୍କତାର ସହ ଦୂରେଇ ରଖିଛନ୍ତି ଅପରାଜିତା । ପରୀ ପ୍ରସଙ୍ଗରେ ଖୁବ ପ୍ରତିକ୍ରିୟାଶୀଳ ଅଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । କାରଣ ଏହା ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକ ପ୍ରସଙ୍ଗ । କାଳେ ସମ୍ବିତ ପାତ୍ର ଫାଇଦା ନେଇଯିବେ ସେଥିପାଇଁ ଅପରାଜିତା ନିଜେ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି କି?

ରାଜ୍ୟ ବିଜେପି ପକ୍ଷରୁ ପଦଯାତ୍ରା କରାଯିବ ବୋଲି ବହୁ ଆଗରୁ ଘୋଷଣା କରାଯାଇଥିଲା । ଏପରିକି ତାରିଖ ସଂକ୍ରାନ୍ତରେ ମଧ୍ୟ ଦଳ ସୂଚନା ଦେଇସାରିଥିଲା । ଏଭଳି ସ୍ଥଳେ ଦଳର ଗୁରୁ ଦାୟିତ୍ୱ ଥିଲା ସବୁ ନେତାଙ୍କୁ ଏକାଠି କରି ରାଜ୍ୟରେ ନିଜର ଶକ୍ତି ଦେଖାଇବା ପାଇଁ । ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ପାଇଁ । ହେଲେ ଦଳ ଭିତରେ ଯେ ଏକ ବଡ ଧରଣର ମନୋମାଳିନ୍ୟ ଅଛି ଏହା ଧୀରେ ଧୀରେ ସ୍ପଷ୍ଟ ହେଉଛି । ଖାସ୍ କରି ଯେତେବେଳେ ଦଳର ସଂଗଠନ କଥା ଆସୁଛି ସେତେବେଳେ ସମାନ୍ତରାଳ ଗୋଷ୍ଠୀ ଅଧିକାରୁ ଅଧିକ ସକ୍ରିୟ ହୋଇ କାର୍ଯ୍ୟ କରୁଛନ୍ତି ଯାହା ଦଳ ପାଇଁ ଘାତକ ସାବ୍ୟସ୍ତ ହେଉଛି ।

ଅପରାଜିତା ଷଡଙ୍ଗୀଙ୍କୁ କାହିଁକି ରାଜ୍ୟ ନେତୃତ୍ୱ ଗ୍ରହଣ କରୁନାହାନ୍ତି ତାହା ବି ଏକ ବଡ ପ୍ରଶ୍ନ । ପ୍ରଶାସିକାରୁ ରାଜନେତା ବନିଥିବା ଅପରାଜିତା ଯଦି ଲୋକଙ୍କ ଭିତରେ ଗ୍ରହଣୀୟ ହେଉଛନ୍ତି ତେବେ ତାଙ୍କୁ ରାଜ୍ୟ ବିଜେପିରେ ବଡ ପଦ ପଦବୀ ଦେଲେ ଅସୁବିଧା କଣ? ନିଜ ଗୋଡଟଣା ନୀତି ପାଇଁ ହିଁ ରାଜ୍ୟ ବିଜେପି ଏଯାଏଁ ରାଜ୍ୟରେ ନିଜର ଶକ୍ତି ବୃଦ୍ଧି କରିପାରୁନାହିଁ ବୋଲି ଚର୍ଚ୍ଚା ହେଉଛି । ବଡ କଥା ହେଉଛି ଅପରାଜିତା ଷଡଙ୍ଗୀଙ୍କ ପଛରେ ଏକ ବିରାଟ ଶକ୍ତି କାମ କରୁଛି । ଉଭୟ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ ପାତ୍ର ଚାହିଁ ମଧ୍ୟ ତାଙ୍କ ରାସ୍ତାରେ ପ୍ରତିବନ୍ଧକ ତିଆରି କରିପାରୁନାହାନ୍ତି । ଏପରିକି ଜିଲ୍ଲା ସଭାପତିଙ୍କ ବିନା ଉପସ୍ଥିତିରେ ମଧ୍ୟ ସାଂଗଠନିକ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି ଅପରାଜିତା । ଯାହା ପ୍ରମାଣିତ କରୁଛି ଦିଲ୍ଲୀରେ ତାଙ୍କର ଖାଦି କେତେ ରହିଛି । ସେ ଯାହା ହେଉନା କାହିଁକି ରାଜ୍ୟ ବିଜେପିରେ ବହୁଧା ବିଭାଜିତ ସଂଗଠନ ହିଁ ଦଳକୁ ଦୁର୍ବଳ କରି ରଖୁଛି ଏବଂ ପରୀକୁ ନ୍ୟାୟ ଦେବା ପାଇଁ ହେଉଥିବା ଲଢେଇ ସମସ୍ତଙ୍କ ସାମ୍ନାରେ ଦୁର୍ବଳ ଜଣାପଡୁଛି ।

Comments (0)
Add Comment