ରାୟଗଡ଼ା: ପ୍ରେମ ପାଇଁ ସାଂଗକୁ ମାରିଲା ସାଂଗ

ସାଙ୍ଗକୁ ମାରିଲା ସାଙ୍ଗ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ପୋଙ୍ଗିଲି ନାଳ ନିକଟରେ ତ୍ରିକୋଣୀୟ ପ୍ରେମ କାହାଣୀରୁ ହତ୍ୟାକାଣ୍ଡ ଘଟିଛି । ଘଟଣାରେ ପୁଲିସ ଜଣକୁ ଗିରଫ କରିଥିବା ବେଳେ ଆଉ ଦୁଇଜଣ ଅଟକ ଅଛନ୍ତି । ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ଉମାକାନ୍ତ କାଣ୍ଡ । ମସ୍ତଙ୍କ ଘର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅଞ୍ଚଳରେ । ତ୍ୟାକାଣ୍ଡରେ ଜଡ଼ିତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଏସଡିପିଓ ଦେବଜ୍ୟୋତି ଦାଶ କହିଛନ୍ତି ।

ରୁମାନ ଓ ଉମାକାନ୍ତ ଦୁହେଁ ହେଉଛନ୍ତି ସାଙ୍ଗ । ଉଭୟ ଗୋଟିଏ ଯୁବତୀଙ୍କୁ ଭଲପାଇ ଆସୁଥିଲେ । ଉକ୍ତ ଯୁବତୀ ଜଣଙ୍କ ଉମାକାନ୍ତଙ୍କ ସହ କଥା ହେଉଥିବା ଦେଖି ରୁମାନ ଏଥିରେ କ୍ଷୁବ୍ଧ ହୋଇଥିଲେ । କିଛିଦିନ ପରେ ଉମାକାନ୍ତଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ । ମେ ମାସ ୨ତାରିଖରେ ରୁମାନ ନିଜ ନାନୀଘରକୁ ରାୟଗଡା ଆସି ଏକ ଷଡଯନ୍ତ୍ର କରି ଉମାକାନ୍ତକୁ ରାୟଗଡାକୁ ଟିକଟ କରି ଆସିବା ପାଇଁ ୩ ତାରିଖରେ ଫୋନ କରି କହିବାରୁ ଉମାକାନ୍ତ ୪ତାରିଖ ଦିନ ନିଜ ପରିବାରକୁ କହି ରାୟଗଡା ଆସିଥିଲା। ଉମାକାନ୍ତ ରାୟଗଡ଼ା ପହଞ୍ଚିବା ପୂର୍ବରୁ ରୁମାନ ନିଜ ସମ୍ପର୍କୀୟ ଭାଇ ପ୍ରଶାନ୍ତ ଓ ବିକାଶଙ୍କୁ ପୂର୍ବରୁ ପ୍ରସ୍ତୁତ କରି ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲେ । ଷଡ଼ଯନ୍ତ୍ର ପ୍ରକାରେ ସେମାନେ ମିଳିତ ଭାବେ କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡ଼ୁ ପଞ୍ଚାୟତ ଘୋଡ଼ାନାଳ ଡ୍ୟାମକୁ ଭୋଜି କରିବା ପାଇଁ ଯାଇଥିଲେ । ସେଠାରେ ମଦ୍ୟପାନ କରିବା ପରେ ରୁମାନ ଓ ଉମାକାନ୍ତଙ୍କ ମଧ୍ୟରେ ବଚସା ହୋଇଥିଲା ।ଏହାପରେ ରୁମାନ, ବିକାଶ ଓ ପ୍ରଶାନ୍ତ ମିଳିତ ଭାବେ ଉମାକାନ୍ତଙ୍କୁ ହତ୍ୟା କରିଥିଲେ ।

ହତ୍ୟା କରିବା ପରେ ଦୁଇ ସାଙ୍ଗଙ୍କ ସାହାଯ୍ୟରେ ଚେକଡେମ ନିକଟର ବାଲିପଠାରେ ଗାତଖୋଳି ପୋତିବା ପରେ ମୃତ ଶରୀର ଉପରେ ପଥର ଲଦି ବାଲି ଘୋଡାଇ ୬ ତାରିଖ ଦିନ ଗାଁକୁ ଚାଲିଯାଇଥିଲେ ରୁମାନ । ଉମାକାନ୍ତର ମୋବାଇଲ ଫୋନ ବନ୍ଦ ଥିବାରୁ ପରିବାର ଲୋକେ ରୁମାନକୁ ଯାଇ ଉମାକାନ୍ତ କୁଆଡେ ଗଲା ବୋଲି ପଚାରିଥିଲେ। ତେବେ ଉମାକାନ୍ତଙ୍କ ବାବଦରେ ଜାଣିନଥିବା କହି ନିଜକୁ ଏହି ମାମଲାରୁ ଦୂରେଇ ରଖିବାକୁ ଉଦ୍ୟମ କରିଥିଲା ରୁମାନ । ତେବେ ପରିବାର ଲୋକେ ଅନେକ ଖୋଜା ଖୋଜି କରି କିଛି ସୂଚନା ନ ପାଇ ଗତ ୧୧ ତାରିଖ ଦିନ ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଟିଟିଲାଗଡ଼ ପୁଲିସ ଘଟଣାର ତଦନ୍ତ କରିବା ସହ ମୋବାଇଲ ଟ୍ରାକିଂ କରିଥିଲା । ମୋବାଇଲ ଟ୍ରାକିଂ ଜରିଆରେ ଟିଟିଲାଗଡ଼ ପୁଲିସର ଏକ ଟିମ ରାୟଗଡ଼ା ଆସି ଘଟଣାର ଅନୁସନ୍ଧାନ କରିବା ସହ ଉଭୟ ଚାନ୍ଦିଲି ଓ କଲ୍ୟାଣସିଂହପୁର ପୁଲିସକୁ ଅବଗତ କରାଇଥିଲା । କଲ୍ୟାଣସିଂହପୁର ଥାନା ପୁଲିସ ଘଟଣାର ତଦନ୍ତ କରି ହତ୍ୟାକାଣ୍ଡର ଖିଅ ଖୋଜିଥିଲା । ଶେଷରେ ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି।

Comments (0)
Add Comment