ଆଗଧାଡିର ଯୋଦ୍ଧାଙ୍କୁ ଅଫିସରେ ଦିଆଯିବ ଟିକା, ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ସରକାର ।

ଆଗଧାଡିର ଯୋଦ୍ଧାଙ୍କୁ ଅଫିସରେ ଦିଆଯିବ କରୋନା ଟିକା । ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ କରୋନା ଟିକା ଦିଆଯାଉଥିବା ବେଳେ ଆସନ୍ତା ଫେବ୍ରୁଆରୀ ୬ ତାରିଖରୁ ରାଜ୍ୟର ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ, ରାଜସ୍ୱ ବିଭାଗର କର୍ମଚାରୀଙ୍କୁ ଏହି ଟିକାକରଣରେ ସାମିଲ କରାଯିବ । ସବୁଠୁ ବଡ କଥା ହେଲା ଏହି ଅଧିକାରୀମାନଙ୍କୁ ଟିକା ନେବା ପାଇଁ ହସ୍ପିଟାଲ ଆସିବାକୁ ପଡିବନି । ବରଂ ଅଫିସ ରୁମ ଭିତରେ ଏହି ବିଭାଗର କର୍ମଚାରୀମାନଙ୍କୁ ଟିକା ଦିଆଯିବ । ଆଉ ଏଥିପାଇଁ ସେମାନଙ୍କ ଅଫିସରେ ଟିକାକରଣ ରୁମ କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଆସନ୍ତା ୬ ତାରିଖରୁ ଏହି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ୧ ଲକ୍ଷ ୯୨ ହଜାର ଲୋକଙ୍କର ଡାଟାବେସ ପ୍ରସ୍ତୁତ କରାଯାଇଛି । ଆଉ ଟିକାକରଣ ଆରମ୍ଭର ୩ ସପ୍ତାହ ମଧ୍ୟରେ ଏହାକୁ ଶେଷ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଆଉ ଏଥିପାଇଁ ୬୩ ହଜାର ୯୦ ଡୋଜ କୋଭିସିଲ୍ଡ ଓ ୮୩ ହଜାର ୫୦୦ କୋଭାକ୍ସିନ ଟିକା ଆସିଛି । ଏସବୁ ଭିତରେ ବିଜୟ ପାଣିଗ୍ରାହୀ ପ୍ରଥମ ପର୍ଯ୍ୟାୟ ଟିକାକରଣକୁ ନେଇ ବଡ ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ୬୨ ପ୍ରତିଶତ ଲୋକଙ୍କୁ କରୋନା ଟିକା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ଆସନ୍ତା ୧୦ରେ ଶେଷ ହେବ ଓ ଫେବ୍ରୁଆରୀ ୧୫ରୁ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଡୋଜ ଟିକା ସମସ୍ତଙ୍କୁ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଠାରେ କୌଣସି ପାଶ୍ୱର୍ ପ୍ରତକ୍ରିୟା ଦେଖିବାକୁ ମିଳିନଥିବା ବେଳେ କରୋନା ମହାମାରୀ ଲଢେଇରେ ଏହି ଟିକା ମହୋଷୌଧୀ ଭଳି ଏବେ କାମ କରୁଛି । ତେଣୁ ଭାରତ ଉପରେ ଏବେ ପୂରା ବିଶ୍ୱର ନଜର ରହିଛି ।

Comments (0)
Add Comment