ବବି-ବ୍ୟୋମକେଶ-ବଳବନ୍ତରାୟ। ବିଜେଡିର ବିଶ୍ୱାସ, ବିକାଶ, ବଳ ।

ରାଜ୍ୟରେ ନବୀନ ସରକାରର ପାଳି ବଦଳିବା ସହ ବିଜୁ ଜନତା ଦଳରେ ଏକ ପିଢୀ ପରିବର୍ତ୍ତନ ହୋଇଥାଏ । ଏହାର ଅନେକ ନଜିର୍ ରହିଛି । ଗତ ଦୁଇ ଦଶନ୍ଧି ଧରି ଅନେକ ନେତା ନବୀନଙ୍କ ନିକଟତର ହୋଇଛନ୍ତି ଆଉ ପରବର୍ତ୍ତୀ ସମୟରେ ଦୁରେଇ ବି ଯାଇଛନ୍ତି । ହେଲେ ୨୦୧୪ ପରଠାରୁ ଦଳ ଏବଂ ସରକାରରେ ଏଭଳି କିଛି ନେତାଙ୍କର ଅଭ୍ୟୁଦୟ ହୋଇଛି ଯେଉଁମାନେ ବେଶ ପ୍ରଭାବୀ ଢଙ୍ଗରେ ଉଭୟ ସ୍ଥାନରେ ନିଜର ଛାପ ଛାଡି ଯାଇଛନ୍ତି । ବିଜେଡିର ଭବିଷ୍ୟତ ଏହି ନେତାଙ୍କ ରଣନୀତି ଆଉ ଦାୟିତ୍ୱବୋଧ ଉପରେ ନିର୍ଭର କରୁଛି । ସଂଗଠନକୁ ଶକ୍ତିଶାଳୀ କରିବା ସହ ସରକାରକୁ ସମସ୍ତ ବିପଦରୁ ଉଦ୍ଧାର କରିବାର ଗୁରୁ ଦାୟିତ୍ୱ ବିଜେଡି ମୁଖିଆ ତିନି ଯୁବ ନେତାଙ୍କ ଉପରେ ଛାଡି ଦେଇଛନ୍ତି ।

ବିଜେଡିରେ ଏହି ୩-ବିଙ୍କୁ ଭାରି ଚର୍ଚ୍ଚା । ବବି-ବ୍ୟୋମକେଶ-ବଳବନ୍ତରାୟ । ଯାଜପୁର ଆଉ ଭଦ୍ରକ ଜିଲ୍ଲାର ଏହି ତିନି ନେତା ଏବେ ରାଜ୍ୟ ବିଜେଡି ସଂଗଠନର ତିନି ପିଲର୍ ଭଳି କାର୍ଯ୍ୟ କରୁଛନ୍ତି । ନବୀନଙ୍କ ବିଶ୍ୱାସକୁ ଏତେ ପରିମାଣରେ ଏହି ତିନି ନେତା ଜିତିଛନ୍ତି ଯେ ସେମାନଙ୍କର ପ୍ରତିଟି ରଣନୀତିକୁ ଆଖିବୁଜି ବିଶ୍ୱାସ କରୁଛନ୍ତି । ଆଉ ଗୋ-ଆହେଡର ମେସେଜ୍ ତୁରନ୍ତ ମିଳିଯାଉଛି । ଦଳୀୟ ମହଲରେ ଚାଲିଥିବା ଚର୍ଚ୍ଚା ଅନୁସାରେ ଦଳ ଆଗାମୀ କେତେ ଦଶନ୍ଧି କ୍ଷମତାରେ ରହିବ, ତାହା ଏହି ତିନି ନେତାଙ୍କ ଗେମପ୍ଲାନ ଉପରେ ନିର୍ଭର କରୁଛି ।

ପ୍ରଣବ ପ୍ରକାଶ ଦାସ
ସମୟ ଗଡିବା ସହ ଦଳ ଭିତରେ ଆବିର୍ଭାବ ହୋଇଥିଲା ପ୍ରଣବ ପ୍ରକାଶ ଦାସଙ୍କର । ରାଜନୈତିକ ପରିଚୟର ଆବଶ୍ୟକତା ନାହିଁ । ଠିକ ଯେମିତି ନବୀନ ପଟ୍ଟନାୟକ ଓଡିଶାକୁ ଆସି ରାଜନୀତିର ମଙ୍ଗ ଧରିବା ବେଳେ ତାଙ୍କ ପରିଚୟ ଥିଲା ସେ ବିଜୁ ବାବୁଙ୍କର ପୁଅ, ଠିକ୍ ସେମିତି ବବି ଦାସଙ୍କର ପରିଚୟ ଥିଲା ସେ ଅଶୋକ ଦାସଙ୍କର ପୁଅ । ମାତ୍ର ଗୋଟିଏ ଦଶନ୍ଧିରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଲେ । ବାପାଙ୍କ ଭଳି ରାଜନୈତିକ ବିଚକ୍ଷଣତା ଆଉ ସାହାସିକତା ଭରି ରହିଛି ତାଙ୍କ ନିକଟରେ, ଦମ୍ଭର ସହ ଯେକୈାଣସି ପରିସ୍ଥିତିର ମୁକାବିଲା କରିବାର ଦକ୍ଷତା ରଖୁଥିବା ଏହି ନେତା ଆଜି ବିଜୁ ଜନତା ଦଳର ସଂଗଠନ ସଂପାଦକ ଭାବେ କାର୍ଯ୍ୟ କରୁଛନ୍ତି । ବିଜେଡି ଇତିହାସରେ ଯେଉଁ ପଦ ପଦବୀ କେବେ ସୃଷ୍ଟି ହୋଇନଥିଲା ତାକୁ ନିଷ୍ଠାର ସହ କାର୍ଯ୍ୟ କରି ହାସଲ କରିଛନ୍ତି ଯାଜପୁରର ଏହି ବିଧାୟକ ।

ସଂଗଠନ ସଂପାଦକ ଭାବେ ବିଜେଡି ପାଇଁ ଏକ ଲଙ୍ଗଟର୍ମ ଯୋଜନା ବବି ଦଳ ପାଇଁ ପ୍ରସ୍ତୁତ କରିଛନ୍ତି । ଆଉ ଏହା ଯଦି ସଫଳତାର ସହ କାର୍ଯ୍ୟକାରୀ ହୋଇଯାଏ ଆଉ ସମସ୍ତଙ୍କର ସମର୍ଥନ ମିଳେ ତେବେ ବିଜେଡିକୁ କ୍ଷମତାକୁ ହଟାଇବା ଏତେ ସହଜ ହେବନାହିଁ । ବିଜେଡି ଦୀର୍ଘଦିନ ଯାଏଁ ଶାସନରେ ରହିବ, ଏହାର ଆଉ କୈାଣସି ଅବକାଶ ରହିବନି । ବବି ଦାସ ଭଲ ଭାବେ ଜାଣିଛନ୍ତି, ବିଜେଡିକୁ କ୍ଷମତାରେ ରଖିବାକୁ ହେଲେ ଛାତ୍ର ଆଉ ଯୁବ ସମାଜ ସହ ଯୁବ ଆଉ ଭଲ ନେତା ଦଳ ସହ ସାମିଲ ହେବା ଦରକାର । ଭିଜନ ୨୦୩୬ ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱପ୍ନ ରହିଛି, ତାକୁ ବାସ୍ତବତାର ରୁପ ଦେବା ପାଇଁ ବବି ଏବେ ବ୍ୟଗ୍ର । ସେଥିପାଇଁ ଅଧିକରୁ ଅଧିକ ଛାତ୍ର ଆଉ ଯୁବକଙ୍କୁ ଦଳ ସହ ଯୋଡିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାର ଛାପ ଦଳୀୟ ସଂଗଠନରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଦଳରେ ବରିଷ୍ଠ ଉପ-ସଭାପତି ପଦ ସୃଷ୍ଟି କରାଗଲା । ଏଥିରେ ବରିଷ୍ଠ ନେତାଙ୍କୁ ସୁଯୋଗ ଦିଆଗଲା ଯେଉଁମାନେ ଦଳର ମାର୍ଗଦର୍ଶନ କରିବେ । ପରେ ଉପ-ସଭାପତିଙ୍କୁ ରଖାଗଲା, ଯାହାଙ୍କ ଉପରେ ଦଳ ବହୁତ ବର୍ଷ ଧରି ନିର୍ଭରଶୀଳ ଥିଲା । ପରେ ଯୁବଗୋଷ୍ଠୀଙ୍କୁ ଦଳର ବିଭିନ୍ନ ପଦ ପଦବୀ ଦିଆଗଲା, ଯେଉଁମାନେ ଜୋରେ ଦୈାଡିପାରିବେ, ଯେଉଁମାନେ ଦଳକୁ ନୁଆ ବିଚାରଧାରା ସହ ଯୋଡି ଶକ୍ତିଶାଳୀ କରିପାରିବେ । ଏହାପଛରେ ପ୍ରଣବ ପ୍ରକାସ ଦାଶଙ୍କର ଏକ ବଡ ଚିନ୍ତାଧାରା କାର୍ଯ୍ୟ କରିଥିଲା । ଦଳକୁ ଆଗକୁ ବଢାଇବାକୁ ହେଲେ ନୁଆ ନୁଆ ଚିନ୍ତାଧାରା ସହ ଟେକ୍ନୋଲୋଜୀକୁ ବୁଝୁଥିବା ନେତା ଦରକାର । ବାସ୍ ଏହାକୁ କାର୍ଯ୍ୟକାରୀ କରାଇ ଦଳ ପାଇଁ ଏକ ଲଙ୍ଗ ଟର୍ମ ପଲିସି ଧରି ଟାର୍ଗେଟ ନିର୍ଦ୍ଧାରଣ କରିଦେଲେ ବବି ଦାସ ।

ଉଭୟ ଛାତ୍ର ଆଉ ଯୁବ ସଗଠନରେ ନୁଆ ନୁଆ ଚେହେରାଙ୍କୁ ଭର୍ତ୍ତି କରି ଜିଲ୍ଲା ସ୍ତରରେ ଆଉ ଜୋନ୍ ସ୍ତରରେ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଦଳରେ ଏହି ଦୁଇ ଛାମୁଆ ସଂଗଠନ ଯେତେ ଶକ୍ତିଶାଳୀ ହେବ ନିର୍ବାଚନ ଜିତିବା ଦଳ ପାଇଁ ସେତେ ସହଜ ହେବ । ଯାହାକୁ ଭଲ ଭାବେ ବୁଝିଛନ୍ତି ପ୍ରଣବ ପ୍ରକାଶ ଦାସ । ଦୁଇ ଯୁବ ବିଧାୟକ ବ୍ୟୋମକେଶ ରାୟ ଏବଂ ପ୍ରଣବ ବଳବନ୍ତରାୟଙ୍କ ମାଧ୍ୟମରେ ଦଳୀୟ ସଂଗଠନକୁ କିଭଳି ଆହୁରି ରୁଦ୍ଧିମନ୍ତ କରାଯାଇପାରିବ, ସେନେଇ ରଣନୀତି ମଧ୍ୟ ପ୍ରସ୍ତିତ ହୋଇଛି । ଜିଲ୍ଲାରୁ ଜିଲ୍ଲା ନେତା ବୁଲୁଛନ୍ତି, ଆଉ ଅଧିକରୁ ଅଧିକ ଯୁବକଙ୍କୁ ଦଳ ପ୍ରତି ଆକର୍ଷିତ କରୁଛନ୍ତି । ବବି ଦାସଙ୍କର ସବୁଠାରୁ ବଡ ଶକ୍ତି ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ସେ ଶିଖି କାର୍ଯ୍ୟରେ ଲଗାଇଛନ୍ତି କଥା କମ୍ କାମ ବେଶୀ । ଅଯଥା ମିଡିଆରେ ଶିରୋନାମା ପାଇବା ପାଇଁ ସେ କେବେ ଚେଷ୍ଟା କରିନାହାନ୍ତି, ଚୁପ କିନା ନିଜ କାମ ସାରିଦେଇ ଦଳକୁ ଆଗକୁ ବଢାଇଛନ୍ତି । ଗଣମାଧ୍ୟମକୁ ଆସି ବୟାନ ରଖି ନିଜ ବାହାବା ନେବାକୁ କେବେ ଚେଷ୍ଟା କରିନାହାନ୍ତି ବରଂ ପରଦା ପଛରେ ରହି କାର୍ଯ୍ୟ କରିବାକୁ ସବୁବେଳେ ଆଗ୍ରହ ଦେଖାଇଛନ୍ତି । ମନ୍ତ୍ରୀ ପଦରେ ଥାନ୍ତୁ ଅବା ନଥାନ୍ତୁ ସେ କାମରେ ବିଶ୍ୱାସ କରିଥାନ୍ତି କଥାରେ ନୁହେଁ । ମନ୍ତ୍ରୀ ପଦ ପାଇବାର ଲାଳସା ତାଙ୍କ ନିକଟରେ ଦେଖିବାକୁ ମିଳୁନାହିଁ । ଅନ୍ୟ ଯୁବନେତା ଯେମିତି ମନ୍ତ୍ରୀପଦ ପାଇବାକୁ ଲବି କରିଥାନ୍ତି ତାଠାରୁ ବହୁ ଦୁରରେ ବବି ଦାସ । ଯାହା ତାଙ୍କର ଦଳ ପାଇଁ ଥିବା ସମର୍ପିତ ମନୋଭାବର ପରିଚୟ ।

ବ୍ୟୋମକେଶ ରାୟ
ସାଂଗଠନିକ ଶକ୍ତିର ବିସ୍ତାର ଆଉ ଯୁବକଙ୍କ ମନରେ ବିଜେଡି ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ମିଶନରେ ବାହାରିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ପୁର୍ବରୁ ବିଜୁ ଛାତ୍ର ଜନତା ଦଳର ଦାୟିତ୍ୱରେ ଥିବା ଏହି ନେତା ଏବେ ଯୁବକ ବିଜେଡି ଦାୟିତ୍ୱରେ ଅଛନ୍ତି । ଦଳକୁ କ୍ଷମତାରେ ବଜାୟ ରହିବାକୁ ହେଲେ ଯୁବକଙ୍କ ବିଶ୍ୱାସ ଜିତିବାକୁ ପଡିବ । ଯାହାର ଗୁରୁ ଦାୟିତ୍ୱ ବିଜେଡି ସୁପ୍ରିମୋ ଚାନ୍ଦବାଲିର ଏହି ଯୁବ ବିଧାୟକଙ୍କ ଉପରେ ନ୍ୟସ୍ତ କରିଛନ୍ତି । ପାଂଚ ପାଂଚ ଥର କ୍ଷମତାକୁ ଆସିଥିବା ଗୋଟିଏ ଦଳ ପାଇଁ ଅନେକ ଆହ୍ୱାନଭରା ଦିଗ ସାମ୍ନାକୁ ଆସିଥାଏ । ନିର୍ବାଚନ ବୈତରଣୀ ପାର୍ ହେବାକୁ ହେଲେ ମଜଭୁତ କାନ୍ଧର ଆବଶ୍ୟକତା ପଡେ । ନିର୍ବାଚନ ରଣନୀତିକାରଙ୍କ ମତରେ ଯାହାର ଯୁବଶକ୍ତି ଯେତେ ଶକ୍ତିଶାଳୀ, ସେହିଦଳକୁ ନିର୍ବାଚନରେ ହରାଇବା ଏତେ ସହଜ କଥା ନୁହେଁ । ଆଉ ବାପି ରାୟଙ୍କ ନବୀନ ପଟ୍ଟନାୟକଙ୍କର ରହିଛି ପ୍ରଚଣ୍ଡ ବିଶ୍ୱାସ ।

ଜିଲ୍ଲାରୁ ଜିଲ୍ଲା ବୁଲି ଏବେ ଯୁବ ଆଉ ଛାତ୍ର ସମାବେଶ ଦଳ କରୁଛି । ପୂର୍ବରୁ ଏତେ ବିଶାଳ ଆକାରର କାର୍ଯ୍ୟକ୍ରମ କେବେ ଦେଖିବାକୁ ମିଳୁନଥିଲା । ଛାତ୍ର ଆଉ ଯୁବ ସଂଗଠନର ଦାୟିତ୍ୱ ବଂଟା ସରିବା ପରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ନେତା ବୁଲୁଛନ୍ତି । ଆଉ ଲକ୍ଷ୍ୟ କରିବାର କଥା ହେଉଛି, ସବୁ ବୈଠକରେ ମୁଖିଆ ସାମିଲ ହେଉନାହାନ୍ତି, ବେଳେ ବେଳେ ମୁଖିଆଙ୍କର ଭିଡିଓ ବାର୍ତ୍ତା ଯଦିଓ ରହୁଛି ହେଲେ ସମାନ୍ତରାଳ ଭାବେ ପ୍ରତି କ୍ଷେତ୍ରରୁ ସାଂଗଠାନିକ ବିସ୍ତାର ପାଇଁ ରଣନୀତି ତିଆରି ହୋଇ କାର୍ଯ୍ୟକାରୀ ହେଉଛି । ଯାହାକୁ ପୁରା ୩୬୦ ଡିଗ୍ରୀର କାର୍ଯ୍ୟକ୍ରମ ବୋଲି କୁହାଯାଉଛି । ଏଭଳି କରିବା ପଛରେ ଏକ ସୁଚିନ୍ତିତ ରଣନୀତି ମଧ୍ୟ ରହୁଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନିର୍ଦ୍ଦିଷ୍ଟ କିଛି ଦିଗ ଆଉ ବିକାଶମୁଳକ କାର୍ଯ୍ୟ ଆଉ ସର୍ବୋପରି ଲୋକାଭିମୁଖୀ ସରକାର ଆଉ ପ୍ରଶାସନ ଦିଗରେ କାର୍ଯ୍ୟ କରୁଥିବା ବେଳେ ସାଂଗଠନିକ ବିସ୍ତାର ଆଉ ନୁଆ ଲୋକଙ୍କୁ ଦଳ ପ୍ରତି ଆଗ୍ରହ ସୃଷ୍ଟି କରିବା ଦାୟିତ୍ୱ ସଂପୁର୍ଣ୍ଣ ଭାବେ ଛାମୁଆ ସଂଗଠନ ଉପରେ ଡଛାଡିଛନ୍ତି । ଯାହାର ଏକ ସିଂହଭାଗ ବୋଝକୁ ସଫଳତାର ସହ ନିର୍ବାହ କରିଚାଲିଛନ୍ତି ବ୍ୟୋମକେଶ ରାୟ ।

୨୦୩୬ର କଥାକୁ ମୁଖ୍ୟମନ୍ତ୍ରୀ ଭିଜନ ଆକାରରେ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି । ସ୍ୱତନ୍ତ୍ର ରାଜ୍ୟ ଗଠନର ୧୦୦ ବର୍ଷ ପୁର୍ତ୍ତି ଯେତେବେଳେ ରାଜ୍ୟ ପାଳନ କରିବ ସେତେବେଳ ସମୃଦ୍ଧ ଓଡିଶାର ଗଠନରେ ବିଜେଡିର ଏକ ଗୈାରବରମୟ ଅଧ୍ୟାୟ ଥିବ, ଆଉ ଯାହାର ନାୟକ ସାଜିଥିବେ ରାଜ୍ୟର ଯୁବସମାଜ, ଯେଉଁମାନଙ୍କର ନେତୃତ୍ୱ ନେଉଥିବେ ବାପି ରାୟଙ୍କ ଭଳି ନେତା । ୨୦୦୦ ମସିହାରେ କଂଗ୍ରେସର ଦୁର୍ନୀତି ଆଉ ଅରାଜକତାର କଥା କହି ବିଜେଡି କ୍ଷମତାକୁ ଆସିଥିଲା । ଆଉ ସେହି ସମୟରେ ରାଜ୍ୟରେ ଜନ୍ମ ହୋଇଥିବା ପୁଅ ଝିଅ ଆଜି ଭୋଟ ଦେବାର ଯୋଗ୍ୟତା ହାସଲ କରିସାରିଲେଣି । ସେମାନେ ବିଜେଡିର ଶାସନକୁ ଦେଖି ଆଗକୁ ବଢିଛନ୍ତି । ସେମାନଙ୍କୁ ଆଉ ଅତୀତର କଳାଶାସନର ଦ୍ୱାହି ଦିଆଯାଇ ପାରିବନି । ସେମାନଙ୍କୁ ଯଦି ଭୋଟ ମଗାଯିବ ତେବେ ନିଜ ଶାସନର ଉପଲବ୍ଧି ଏବଂ ବିକାଶର ନକ୍ସା ଦେଖାଇ ଭୋଟ ଭିକ୍ଷା କରାଯିବ । ଆଉ ଠିକ ସେହି ସମୟରେ ବିଜେପି ଏକ ବଡ ବିପଦ ହୋଇ ଉଭା ହୋଇଛି । ଯାହାର ନେତା ନରେନ୍ଦ୍ର ମୋଦିଙ୍କ ପ୍ରତି ଯୁବ ସମାଜର ଏକ ଅହେତୁକ ଦୁର୍ବଳତା ରହିଛି । ତେଣୂ ରାଜ୍ୟରେ ଯୁବ ସମାଜ ଭିତରେ ନବୀନଙ୍କ ଯେଉଁ ଗ୍ରହଣୀୟତା ରହିଛି ତାକୁ ଆକାଶଛୁଆଁ କରାଇବାକୁ ଏକ ମିଶନ ମୋଡରେ ବାହାରିଛନ୍ତି ବାପି ରାୟ ।

ଦଳ ପ୍ରତି ଆଗ୍ରହ ଦେଖାଇ ଯେଉଁ ଛାତ୍ର ଆଉ ଯୁବ ସମାଜ ବିଜେଡିରେ ସାମିଲ ହେଉଛନ୍ତି ସେମାନଙ୍କ ପାଇଁ ବାପି ରାୟ ହେଉଛନ୍ତି ଆଦର୍ଶ । ନିଶ୍ୱାର୍ଥପର ସେବା ସହ ନିରନ୍ତର ସଂଗ୍ରାମ ହିଁ ତାଙ୍କ ପାଇଁ ଆଗକୁ ବଢିବାର ବାଟ ତିଆରି କରୁଛି । ଶିକ୍ଷାଗତ ଯୋଗ୍ୟତାରେ ଅନ୍ୟନେତାଙ୍କ ଠାରୁ ଢେର ଆଗରେ ଥିବା ବାପି ରାୟ ନିଜ ବୁଦ୍ଧି ଆଉ ପରିଶ୍ରମ ବଳରେ ସବୁକିଛି ହାସଲ କରିବାର କ୍ଷମତା ଏବଂ ଦକ୍ଷତା ରଖୁଛନ୍ତି । ମନ୍ତ୍ରୀପଦ ପାଇଁ ଲବି କରିବା ବଦଳରେ ସଂଗଠନରେ ରହି କାର୍ଯ୍ୟ କରିବାକୁ ସେ ଅଧିକ ଗୁରୁତ୍ୱ ଦେଉଛନ୍ତି । ମନ୍ତ୍ରୀପଦ ନପାଇଲେ ଦଳ ବିରୋଧରେ କାର୍ଯ୍ୟକରୁଥିବା ନେତା ବାପି ରାୟଙ୍କ ଠାରୁ ଅନେକ କିଛି ଶିଖୀବାର ଆବଶ୍ୟକତା ରହିଛି । ଦଳ ରହିଲେ ନେତା ରହିବେ, ସରକାର ତିଆରି ହେବ, ମନ୍ତ୍ରୀପଦ ମିଳିବ ଆଉ ଯଦି ଦଳ କ୍ଷମତାରେ ନରହିବ ତେବେ ଏପବୁ ଅପ୍ରାସଙ୍ଗିକ ହୋଇଯିବ । ତେଣୁ ସୁଦୃଢ ମୁଳଦୁଆ ଉପରେ ବିଶାଳ ଅଟ୍ଟାଳିକା କରିବାର ଯେଉଁ ଦାୟିତ୍ୱ ବାପି ରାୟଙ୍କୁ ମିଳିଛି ତାକୁ ସେ ଆଗକୁ ବଢାଇବାରେ ବ୍ୟସ୍ତ ଅଛନ୍ତି ଆଉ ଦଳକୁ ସୁଦୃଢ କରିବାର ସଂକଳ୍ପ ନେଇ ଆଗକୁ ବଢିଚାଲିଛନ୍ତି ।

ପ୍ରଣବ ବଳବନ୍ତରାୟ
ନୁଆ ଓଡିଶା ଓ ବିକଶିତ ଓଡିଶା ସ୍ୱପ୍ନକୁ ସାକାର କରିବାକୁ ଗତ ଦୁଇ ଦଶନ୍ଧି ଧରି ନିରନ୍ତର ପ୍ରୟାସ ଜାରି ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମର୍ଥ ସାରଥୀ ସାଜିଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ । ଧର୍ମଶାଳାରୁ ଦୁଇ ଦୁଇ ଥର ବିଧାୟକ ହୋଇ ନିର୍ବାଚିତ ହୋଇଥିବା ଏହି ନେତା ଏବେ ଦଳର ଯୁବ ବ୍ୟାପାର ସାଧାରଣ ସଂପାଦକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଏହି ପଦରୁ ଆପଣ ବୁଝିପାରୁଥିବେ, ଦଳକୁ ଆଗକୁ ବଢାଇବାରେ କେଉଁ ଭୁମିକାରେ ଦଳର ସୁପ୍ରିମୋ ପ୍ରଣବଙ୍କୁ ଦେଖିବାକୁ ଚାହୁଁଛନ୍ତି ।

ନିଜ ପାଇଁ ପଦ ପଦବୀକୁ ସବୁବେଳେ ଗୈାଣ ଭାବୁଥିବା ଏହି ନେତା ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ କୈାଣସି ସରକାରୀ ପଦ ପଦବୀ ଗ୍ରହଣ କରିବାକୁ ଚାହିଁନାହାନ୍ତି । ସରକାରୀ ଉପମୁଖ୍ୟ ସଚେତକ ପଦରେ ରହିବା ବଦଳରେ ସେ ବାଛିଥିଲେ ଦଳକୁ ତୃଣମୁଳ ସ୍ତରରେ ସଂଗଠିତ ଆଉ ଶକ୍ତିଶାଳୀ କରିବାକୁ । କାରଣ ସେ ଭଲ ଭାବେ ବୁଝିଛନ୍ତି, ଦଳ ସୁଦୃଢ ରହିଲେ ହିଁ ପଦ ପଦବୀ ପଛକୁ ପଛ ଚାଲିଥିବ । ବାସ୍ ଏହି ମିଶନକୁ କାର୍ଯ୍ୟକାରୀ କରିବା ପାଇଁ ସେ ଆଗକୁ ବଢିଚାଲିଛନ୍ତି । ନବୀନଙ୍କ ସ୍ୱପ୍ନ ଆଉ ବିକଶିତ ଓଡିଶାର ଲକ୍ଷ୍ୟ ବାବଦରେ ଯୁବକଙ୍କ ସହ ଆଲୋଚନା କରୁଛନ୍ତି । ଛାତ୍ର ଏବଂ ଯୁବ ସମାଜକୁ ଦଳ ସହ ଯୋଡିବା ପାଇଁ ନିରନ୍ତର ପ୍ରୟାସ କରିଚାଲିଛନ୍ତି ।

ମୟୁରଭଂଜରେ ଦଳର ସଂଗଠନକୁ ଆହୁରି ସୁଦୃଢ କରିବାକୁ ମୟୁରଭଂଜ ପ୍ରିମିୟର ଲିଗର ଯେଉଁ ପରିକଳ୍ପନା କରଯାଇଥିଲା, ତାପଛରେ ପ୍ରଣବଙ୍କର ଥିଲା ବଡ ଭୁମିକା । ଖେଳ ଜରିଆରେ ଯୁବଶକ୍ତିକୁ ଦଳ ସହ ଯୋଡିବା ପାଇଁ ରଣନୀତି ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ଏହି ନେତା । ବିଭିନ୍ନ ଜିଲ୍ଲାକୁ ଏହା ବ୍ୟପ୍ତ କରିବାକୁ ମଧ୍ୟ ସେ ଉଦ୍ୟମ କରିଚାଲିଛନ୍ତି । ପଶ୍ଚିମରୁ ଆରମ୍ଭ କରି ଦକ୍ଷିଣ, ଉପକୁଳରୁ ଆରମ୍ଭ କରି ଉତ୍ତର ସବୁଠି ବିଜେଡି ସପକ୍ଷରେ ହାୱା ବୁହାଇବାକୁ ଉଦ୍ୟମ ଚାଲିଛି । ପଂଚାୟତ ନିର୍ବାଚନ ଆଗରୁ ସମଗ୍ର ୩୦ ଜିଲ୍ଲାରେ ଛାତ୍ର ଏବଂ ଯୁବ ସଂଗଠନକୁ ଶକ୍ତିଶାଳୀ କରାଇବାକୁ ଅଂଟା ଭିଡିଛନ୍ତି ପ୍ରଣବ ।

୨୦୨୨ ପଂଚାୟତ ନିର୍ବାଚନ ବବି-ବ୍ୟୋମକେଶ-ବଳବନ୍ତରାୟଙ୍କ ଯୋଡି ପାଇଁ ହେବ ପ୍ରଥମ ପରୀକ୍ଷା । ଛାତ୍ର ଏବଂ ଯୁବ ସଂଗଠନକୁ ଶକ୍ତିଶାଳୀ କରାଇ କିଭଳି ଭୋଟ ରାଜନୀତିରେ ପ୍ରତିପକ୍ଷଙ୍କୁ ପଛରେ ରଖାଯାଇପାରିବ, ତାର ଟେଷ୍ଟ ଦେବେ ଏହି ନେତା । ଅନୁମାନ କରାଯାଉଛି ସଫଳତାର ସହ ଏହି ପରୀକ୍ଷାକୁ ଅତିକ୍ରମ କରି ଏହି ତିନି ନେତା ବିଜେଡିର ଭବିଷ୍ୟତ ହେବାକୁ ଯାଉଛନ୍ତି । ଅର୍ଥାତ୍ ଏହି ତିନି ନେତା ଯେବେ ଯାଏଁ ଦଳର ସଂଗଠନ କଥା ବୁଝିବେ ସେବେଯାଏଁ ଦଳ କ୍ଷମତା ରଜନୀତିରେ ରହିଥିବ । ରାଜନୈତିକ ପଣ୍ଡିତଙ୍କ ମତ ଅନୁସାରେ, ଆଗାମୀ ଦଶନ୍ଧି ଦଶନ୍ଧି ଧରି ବିଜେଡିକୁ ସଂଗଠିତ ଆଉ ସୁଦୃଢ କରି ରଖିବାରେ ଏହି ତିନି ନେତା ହିଁ ସଫଳ ହେବେ, ନବୀନଙ୍କ ସ୍ୱପ୍ନକୁ ପୁରଣ କରିବା ସହ ଏକ ବିକଶିତ ଓଡିଶାର ବିନ୍ଧାଣୀ ସାଜିବେ ।

Comments (0)
Add Comment